ଏବେ ହଟସ୍ପଟ୍ ଉପରେ ଆଖି : ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ପ୍ରତିରୋଧ ନିର୍ଦେଶ

Advertisment
ଏବେ ହଟସ୍ପଟ୍ ଉପରେ ଆଖି : ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ପ୍ରତିରୋଧ ନିର୍ଦେଶ

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ
୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଅବଧି ସରିଲା
ଆଉ ବଢ଼ିବନି ବୋଲି କହିଲେ ମୁଖ୍ୟସଚିବ
ସତର୍କ ନ ହେଲେ ଆଗକୁ କଠୋର ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟ ସରକାର ୩ ତାରିଖ ରାତି ୮ଟାରୁ ଆରମ୍ଭ କରିଥିବା ସଟ୍‌ଡାଉନ୍‌ ସମୟସୀମା ଆଜି ରାତି ୮ଟାରେ ଶେଷ ହୋଇଛି। ଏହି ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି। ତେବେ ସେ ଏକଥା ବି କହିଛନ୍ତି ଯେ ଯେଉଁ ଅଞ୍ଚଳ ‘ହଟସ୍ପଟ୍’ ଭାବେ ଚିହ୍ନଟ ହେବ, ସେ ଅଞ୍ଚଳକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରି ରଖାଯିବ। ସେ ଅଞ୍ଚଳର ଲୋକମାନଙ୍କୁ ବାହାରକୁ ଆସିବାକୁ ଦିଆଯିବ ନାହିଁ କିମ୍ବା ସେ ଅଞ୍ଚଳରେ କେହି ପ୍ରବେଶ କରିବେ ନାହିଁ। ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି।

କେବଳ ସେତିକି ନୁହେଁ, ଓଡ଼ିଶାରେ କେଉଁଠାରେ ବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ମୁଖ୍ୟ ସଚିବ ଆଶ୍ବସ୍ତ କରିଥିଲେ ହେଁ ଚେତାଇ ଦେଇଛନ୍ତି ଯେ ସାମାଜିକ ଦୂରତ୍ବ ନ ରଖିଲେ, ସ୍ଥିତି ବିଗିଡ଼ିବ ଓ ସରକାର ଏହାଠାରୁ ବି ଆହୁରି କଠୋର ନିଷ୍ପତ୍ତି ନେବାକୁ ପଛାଇବେ ନାହିଁ।

ମୁଖ୍ୟସଚିବ କହିଥିଲେ, “ସୂର୍ଯ୍ୟନଗରର ଯେଉଁ କେସ୍ ଆସିଥିଲା, ତାହା କୋଲକାତାରୁ ଆସିଥିଲା। ସେହିପରି ବମିଖାଲ୍‌ରୁ ଯେଉଁ କେସ୍ ଆସିଥିଲା, ତାହା ଭୋପାଳରୁ ଆସିଥିବା ଜଣାପଡ଼ିଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ନେଇ ଆମେ ଯେଉଁ ଆଶଙ୍କା କରୁଥିଲୁ, ବହୁ ମାତ୍ରାରେ ସେ ଡର ଆଉ ନାହିଁ। ସେହିଭଳି ଏମିତି କୌଣସି ପ୍ରମାଣ ନାହିଁ, ଯାହାକୁ ନେଇ ଆମେ କହିପାରିବା ଯେ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି।” ସଂକ୍ରମଣର କାରଣ ଜାଣିବା ପାଇଁ ଏହି ୪୮ ଘଣ୍ଟିଆ ସଟ୍‌ଡାଉନ୍ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ ଜଣାଇଥିଲେ, ଯେଉଁଥିରେ ସଫଳତା ମିଳିଛି।

ଭୁବନେଶ୍ୱର ଓ କଟକ ବାହାରେ ମଧ୍ୟ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ, ଏବେ ଯେଉଁ ଅଞ୍ଚଳଗୁଡ଼ିକରୁ ପଜିଟିଭ୍ କେସ୍ ଆସିବ, ଯେଉଁଠି ହଟ୍‌ସ୍ପଟ୍ ପାଇବୁ ବା ଯେଉଁଠି ଆକ୍ରାନ୍ତ କୌଣସି ସ୍ଥାନକୁ ଯାତ୍ରା କରିଥିବାର ପ୍ରମାଣ ନଥିବ, ସେ ଅଞ୍ଚଳକୁ ଆବଦ୍ଧ ବା ସମ୍ପୂର୍ଣ୍ଣ ପ୍ରତିରୋଧ କରାଯିବ। ଏହା ଦ୍ୱାରା ସଂକ୍ରମଣ ସେଠାରୁ ବାହାରକୁ ବ୍ୟାପିପାରିବ ନାହିଁ। ସଂକ୍ରମଣକୁ ଏକ ସୀମା ଭିତରେ ରଖାଯାଇପାରିବ ଏବଂ ଜାଣିହେବ କେଉଁ କାରଣ ପାଇଁ ଏହା ହେଲା।

ତେବେ ଆଜି ରାତିଠାରୁ ପୁଣି ଥରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ଲକ୍‌ଡାଇନ୍ ପ୍ରକ୍ରିୟା ରହିବ, ଯେଉଁଥିରେ କି ରାସନ ଦୋକାନ ଆଦି ଖୋଲା ରହିବ। ତେଣୁ ଆଜି ସଟ୍‌ଡାଉନ୍ ପରେ ବଜାରକୁ ଯାଇ ଗହଳି ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଲୋକମାନଙ୍କୁ ନିବେଦନ କରିଥିଲେ। ଅନ୍ୟଥା ୪୮ ଘଣ୍ଟାର ସଟ୍‌ଡାଉନ୍‌ରୁ ଯେଉଁ ଲାଭ ମିଳିଛି, ତାହା ବୃଥା ଯିବ ବୋଲି ସେ କହିଥିଲେ।

କରୋନା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ଼ ବୈଜ୍ଞାନିକ ସମ୍ମତ ଉପାୟ ବୋଲି ସୂଚନା ଦେଇ ମୁଖ୍ୟସଚିବ କହିଥିଲେ, ଓଡ଼ିଶାରେ ଏଯାଏ ଯେତେଟି ସଂକ୍ରମଣ ସଂପର୍କିତ ମାମଲା ଆସିଛି, ସେଥିରୁ ୮୦% ସାଧାରଣ ରୋଗୀ ଭଳି ଲାଗୁଛନ୍ତି। ତେଣୁ ସେମାନେ କରୋନା ଆକ୍ରାନ୍ତ ବୋଲି ଜାଣିବା କଷ୍ଟକର। ଆଉ ଏମାନଙ୍କ ସଂସ୍ପର୍ଶରେ ଆସି ଘରେ ପହଞ୍ଚିଲେ ପରିବାରର ଦୁର୍ବଳ ଲୋକେ ଆକ୍ରାନ୍ତ ହେବାର ଭୟ ରହିଛି। ଏଣୁ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହେବ। ବଜାରକୁ ରାସନ ଓ ପରିବା ଆଣିବାକୁ ଯାଇ ଘରକୁ କରୋନା ଆଣି ଆସିବା ନାହିଁ। ଯଦି ଲୋକ ଅମାନିଆ ହୋଇ ବିପଦକୁ ଆମନ୍ତ୍ରଣ କରନ୍ତି, ତେବେ ସରକାର ବାଧ୍ୟ ହୋଇ ସଟ୍‌ଡାଉନ୍‌ଠାରୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସେ ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe