କୋଭିଡ୍‌ ପରିଚାଳନାକୁ ନେଇ ମୁହାଁମୁହିଁ

Advertisment
ସମ୍ବଲପୁର ପାଲଟୁଛି ହଟ୍‌ସ୍ପଟ୍, ଗୋଟିଏ ଦିନରେ ୧୭୫ ଜଣ ଚିହ୍ନଟ, ସୁସ୍ଥ ୧୫୧

Hansard Society

ରାଜ୍ୟ ସରକାର କରୋନା ସ୍ଥିତିକୁ ହାଲ୍‌କା ଭାବେ ନେଇଛନ୍ତି : ବିଜେପି
କରୋନା ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି : ବିଜେଡି

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ପରିଚାଳନାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇବା ପରିବର୍ତ୍ତେ ସଙ୍ଗିନ୍‌ ମହାମାରୀ ସ୍ଥିତିକୁ ହାଲ୍‌କା ଭାବେ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି। ଜବାବରେ ବିଜେଡି କହିଛି, ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି କରୁଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର। କରୋନା ସଂକ୍ରମଣ ବିଶ୍ବ ମହାମାରୀର ରୂପ ନେଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏହି ମହାମାରୀ ବିରୋଧୀ ଯୁଦ୍ଧରେ ସମସ୍ତ ପ୍ରକାର ଆପାତକାଳୀନ ସହଯୋଗ ନିରନ୍ତର ଭାବେ ଯୋଗାଇ ଦେଇ ଆସୁଛନ୍ତି। ମାତ୍ର ରାଜ୍ୟ ସରକାର ଓ ତାଙ୍କ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଚିରାଚରିତ ଭାବେ କେନ୍ଦ୍ରକୁ ଦୋଷ ଦେଇ ସମାଲୋଚନା କରିବାର ଅଭ୍ୟାସ ଜାରି ରଖିବା ଅତ୍ୟନ୍ତ ଲଜ୍ଜାଜନକ। ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ଟେଷ୍ଟିଂ ମାତ୍ରା ବହୁଗୁଣିତ କରିସାରିଥିଲା ବେଳେ ଓଡ଼ିଶା ସରକାର ଏବେ ବି ଶୋଇ ରହିଛନ୍ତି। ଏଠାରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ପରିବର୍ତ୍ତେ ହ୍ର‌ାସ କରାଯାଇଛି। ଫଳରେ ସଂକ୍ରମିତ ଲୋକମାନେ ବହୁ ବିଳମ୍ବରେ ଅଧିକ ସଂକ୍ରମିତ ହୋଇ ଡାକ୍ତରଖାନା ଆସୁଛନ୍ତି ଏବଂ ଠିକ୍ ଚିକିତ୍ସା ସୁବିଧା ନ ପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଅଛି କି ନାହିଁ, ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ। ସଂକ୍ରମଣ ବୃଦ୍ଧି ପାଉଥିବା ସତ୍ତ୍ବେ ରାଜ୍ୟ ସରକାର ଟିଏମ୍‌ସି ତଥା ସଙ୍ଗରୋଧ ଗୃହ କାର୍ଯ୍ୟକ୍ଷମ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ରାଜ୍ୟବାସୀ ଆହୁରି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବିଜେପିର ଏହି ଅଭିଯୋଗ ଉପରେ ଜବାବ ଦେଇ ବିଜେଡି ମୁଖପାତ୍ର ‌ସୁଲତା ଦେଓ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ ଏହା ଚାହୁଁ ନାହାନ୍ତି। ଏପରି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢ଼େଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢ଼ାଇଥା’ନ୍ତେ, ତେବେ ଓଡ଼ିଶାବାସୀ ଖୁସି ହୋଇଥା’ନ୍ତେ। କିନ୍ତୁ ତାହା ନ କରି ନିଜର ରାଜନୈତିକ ଅସ୍ତିତ୍ବ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି। ରାଜ୍ୟବାସୀ ବିଜେପି ନେତାଙ୍କ ମନୋଭାବ ସଂକ୍ରାନ୍ତରେ ଭଲ ଭାବେ ଅବଗତ ଅଛନ୍ତି ଓ‌ ସେମାନଙ୍କର ଏପରି ହୀନ ରାଜନୈତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe