Investigate Midwest
ସମ୍ବଲପୁର/ରେଙ୍ଗାଲି : ସୀମା ଲଙ୍ଘିଛି ବିରାଜ ଷ୍ଟିଲ୍ ଆଣ୍ଡ ଏନର୍ଜି ଲିମିଟେଡ୍। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ନୀତିନିୟମକୁ ବେଖାତିର କରୁଛି। ଗୋଟିଏ ପଟେ ଏହି କାରଖାନା ଯୋଗୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର ଜମିର ନିଷିଦ୍ଧାଞ୍ଚଳରେ ପାଉଁଶ ପକାଉଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଗୁରୁପାଲି ଠାରେ ଥିବା ବିରାଜ ଷ୍ଟିଲ କଂପାନିକୁ ହୀରାକୁଦ ଜଳଭଣ୍ଡାରର ନିଷାଦ୍ଧାଞ୍ଚଳର ପାଉଁଶ ଓ ଅନ୍ୟ ବର୍ଜ୍ୟବସ୍ତୁ ପକାଉଥିବା ଅଭିଯୋଗ ହେଉଛି। ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ବାମ ପାର୍ଶ୍ବରେ ଗୁରୁପାଲି ପହଂଚିବା ପୂର୍ବରୁ ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ପାଉଁଶ ପକାଉଛି। ରାଜପଥରେ ଯିବା ସମୟରେ ବି ଜଣେ ପାହାଡ଼ ଭଳି ଗଦା ହୋଇଥିବା ପାଉଁଶ ଦେଖିବାକୁ ପାଇବ।
ପାଉଁଶ ପକାଇବା ପାଇଁ ଏହାର ସଂଲଗ୍ନ ସରକାରୀ ଜମିରେ ଅନୁମତି ମିଳିଥିବା ବେଳେ କଂପାନି ଅତିକ୍ରମଣକରି ଜଳଭଣ୍ଡାର ଜମି ପୋତିବା ଆରମ୍ଭ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ଷାରେ ପାଉଁଶ ମିଶ୍ରିତ ପାଣି ହୀରାକୁଦ ଜଳଭଣ୍ଡାର ଜଳରେ ମିଶି ଏହାକୁ ପ୍ରଦୂଷିତ କରୁଛି। ଏତେ ସବୁ ହେବା ସତ୍ତ୍ବେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଥିପ୍ରତି ଅଣଦେଖା କରୁଛନ୍ତି। ଅନ୍ୟ ପଟେ କାରଖାନା ଦ୍ବାରା ହେଉଥିବା ଏଭଳି ଜଳ ଓ ବାୟୁ ପ୍ରଦୂଷଣ ଯୋଗୁ ଅତିଷ୍ଠ ଅଂଚଳବାସୀଙ୍କ ମନରେ ଆନ୍ଦୋଳନ ଦାନା ବାନ୍ଧୁଛି।
ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଆଂଚଳିକ ଅଧିକାରୀଙ୍କ ପଚାରିବାରୁ ସେ କହିଲେ, ଜଳଭଣ୍ଡାର ପାଖ ଏକ ଜମିରେ ପାଉଁଶ ପକାଇବା ନିମନ୍ତେ ଅନୁମତି ମିଳିଛି। ତେବେ, କାରଖାନା ପ୍ରଦୂଷଣ ବଢ଼ାଉଥିବା ଦୃଷ୍ଟିଗୋଚର ହୋଇଛି। ନିକଟରେ ଆମର ଏକ ଟିମ୍ ନିରୀକ୍ଷଣ ପାଇଁ କାରଖାନାକୁ ଯାଇଥିବା ବେଳେ ଇଏସ୍ଫି ଏବଂ ବ୍ୟାକ୍ ଫିଲ୍ଟର କାମ କରୁନଥିବା ଦେଖିବାକୁ ମିଳିଥିଲା। ବାୟୁ ପ୍ରଦୂଷଣ ରୋକିବା ନିମନ୍ତେ ବ୍ୟବହୃତ ହେଉଥିବା ଏହି ଦୁଇ ଯନ୍ତ୍ର କାମ କରୁନଥିବାରୁ ଅଂଚଳରେ ପ୍ରଦୂଷଣ ବଢ଼ାଉଛି। ‘ସିଟିଓ’ ପ୍ରଦାନ ସମୟରେ ଦିଆଯାଇଥିବା ସର୍ତ୍ତାବଳୀ ପାଳନ କରୁନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ନିୟମର ଉଲ୍ଲଂଘନ ନେଇ ୧୮ଟି ବିନ୍ଦୁ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି କାରଖାନା ବିରୋଧରେ ବିଭିନ୍ନ ମହଲରୁ ଅଭିଯୋଗ ଆସୁଥିବାରୁ ଠୋସ୍ କାର୍ଯ୍ୟାନୁଷ୍ଠା ନେବା ପାଇଁ ସୁପାରିସ କରାଯାଇଥିବା ସେ ସୂଚନା ଦେଇଛନ୍ତି।
Follow Us