ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି: ମିଳିପାରୁନି ୟୁଜିସି ମାନ୍ୟତା, ତେଜୁଛି ଅସନ୍ତୋଷ

Advertisment
ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି: ମିଳିପାରୁନି ୟୁଜିସି ମାନ୍ୟତା, ତେଜୁଛି ଅସନ୍ତୋଷ

ବ୍ରହ୍ମପୁର: ରାଜ୍ୟରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟର ସୁନାମ ରହିଥିଲା। ସରକାର ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କଲେ ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନଟି ୟୁଜିସି ମାନ୍ୟତା ପାଇପାରିନାହିଁ। ଏହାକୁ ନେଇ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଖଲ୍ଲିକୋଟ ବିଶ୍ୱବିଦ୍ୟ‌ାଳୟଟି ବେଶ ପରିଚିତ। ଏହି ଶିକ୍ଷାନୁଷ୍ଠାନରେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନାମରେ ନାମକରଣ କରାଯାଇଛି। ଖଲ୍ଲିକୋଟ ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯିବା ପରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରାଯାଇଥିଲା। କ୍ଲଷ୍ଟର ବିଶ୍ବବିଦ୍ୟାଳୟ ପରେ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ଏବଂ ବର୍ତ୍ତମାନ ଏହାକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଇଛି। ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ଥିବା ବେଳେ ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ଯୋଡ଼ି ଦେଇଥିଲେ। ତେବେ ଭିନ୍ନ ଭିନ୍ନ ସମୟରେ ଏହାର ନାମକରଣ ହୋଇଥିବା ଯୋଗୁଁ ୟୁଜିସି କର୍ତ୍ତୃପକ୍ଷ କେଉଁ ବିଶ୍ବବିଦ୍ୟାଳୟ ନାମରେ ମାନ୍ୟତା ଦିଆଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଝୁଲନ୍ତା ଅବସ୍ଥାରେ ରହିଛି। ୟୁଜିସି ମାନ୍ୟତା ମିଳିନଥିବା ଯୋଗୁଁ ଏହି ଶିକ୍ଷାନୁଷ୍ଠାନକୁ କୌଣସି ଅନୁଦାନ ମିଳିପାରୁନାହିଁ। ୟୁଜିସି ମାନ୍ୟତା ନମିଳିବା କାରଣରୁ ଏଠାରୁ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ପ୍ରମାଣପତ୍ର ଅନ୍ୟ କୌଣସି ରାଜ୍ୟରେ ଦାଖଲ ସମୟରେ ତାହା ବୈଧ କି ନୁହେଁ ସେଥିନେଇ ବି ସମସ୍ୟା ଦେଖାଦେଉଛି। ଏଥିପାଇଁ ଅନେକ ସମୟରେ ଛାତ୍ରଛାତ୍ରୀଙ୍କୁ ନାକେଦମ ହେବାକୁ ପଡ଼ୁଛି। ଏଭଳିକି ଅନେକ ସମୟରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ପଡ଼ୁଛି।

୧୮୭୮ରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠନରେ ବର୍ତ୍ତମାନ ସ୍ନାତକୋତ୍ତରରେ ୧୮ଟି ନିୟମିତ, ୪ଟି ସେଲ୍‌ଫ ଫାଇନାନ୍ସ ଓ ସ୍ନାତକରେ ୧୭ଟି ପାଠ୍ୟକ୍ରମରେ ଶିକ୍ଷାଦାନ ଚାଲୁଛି। ଏହି ବିଶ୍ବବିଦ୍ୟାଳୟର ଯେଉଁ ଶୈକ୍ଷିକ ବାତାବରଣ ରହିଛି ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଗବେଷଣା ଉପଯୋଗୀ ପରିବେଶ ନଥିବା ଯୋଗୁଁ ଶୃଙ୍ଖଳିତ ପରିଚାଳନାର ଘୋର ଅଭାବ ଦେଖାଦେଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭରୁ ୧୧୨ଟି ଶିକ୍ଷକ ଓ ୧୯ଟି ଅଣଶିକ୍ଷକ ପଦ ଖାଲି ପଡ଼ିଛି। ଅଧ୍ୟାପକ ଅଭାବ ପାଇଁ ୧୮ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ପାଠପଢ଼ା ସ୍ବାଭାବିକ ହୋଇପାରିନାହିଁ। କର୍ମଚାରୀ ଅଭାବରୁ ଠିକ ସମୟରେ ପରୀକ୍ଷା ପରିଚାଳନା ମଧ୍ୟ ହୋଇପାରୁନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ନିଯୁକ୍ତି ହୋଇପାରିନାହାନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଭାରପ୍ରାପ୍ତ କୁଳପତି ପାଇଁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶିକ୍ଷକ ଅଭାବକୁ ଦୂର କରିବା ଲାଗି ୧୫ ଜଣଙ୍କୁ ଅନ୍ୟତ୍ର ଶିକ୍ଷାନୁଷ୍ଠାନରୁ ଅଣାଯାଇ କାମଚଳା ନୀତିରେ ଅଣାଯାଇଛି। ଗଣିତ, ଅର୍ଥନୀତି, ଦର୍ଶନଶାସ୍ତ୍ର ଓ ହିନ୍ଦୀ ବିଭାଗରେ ଜଣେହେଲେ ବି ପ୍ରାଧ୍ୟାପକ ନାହାନ୍ତି। ଗତବର୍ଷ ନିଯୁକ୍ତି ପାଇଥିବା ୫୨ଜଣ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରିଲା ପରେ ଆଉ ସେମାନଙ୍କ ନବୀକରଣ କରାଯାଇନାହିଁ। କର୍ମଚାରୀ ଅଭାବ ସିଧାସଳଖ ପରୀକ୍ଷା ପରିଚାଳନା, ନାମଲେଖା ପ୍ରକ୍ରିୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସମସ୍ୟା ଆଣୁଛି। ଏନେଇ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଦାଶଙ୍କୁ ପଚାରିବାରୁ ସମସ୍ୟା ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ଓ ଏଆଇୟୁର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅତିଥି ଅଧ୍ୟାପକଙ୍କ ନିଯୁକ୍ତି ଶେଷ ପର୍ଯ୍ୟାୟରେ ଅଛି ଓ ଜୁଲାଇ ଦ୍ବିତୀୟ ସପ୍ତାହ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜନ କରାଯିବ ବୋଲି କହିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe