ମଉଳୁଛି ଆଶା: ଟିଟିପିଏସ୍ ବନ୍ଦ ସପକ୍ଷରେ ସରକାର

Advertisment
ମଉଳୁଛି ଆଶା: ଟିଟିପିଏସ୍ ବନ୍ଦ ସପକ୍ଷରେ ସରକାର

ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌) ଆଉଥରେ ଚାଲିବା ନେଇ ଆଶା ମଉଳିବାରେ ଲାଗିଛି। ଏହି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ସବୁଜ ସଙ୍କେତ ଦେବା ପରେ ହାଇକୋର୍ଟ ଏଥିରେ ରୋକ୍ ଲଗାଇଥିଲେ। କର୍ମଚାରୀ ଓ ଶ୍ରମିକ ସଂଗଠନର ଆପତ୍ତି, ଅଭିଯୋଗ ଶୁଣି ଆଉ ଥରେ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ହେଲେ ଏଥିରୁ କିଛି ସୁଫଳ ମିଳିନି। କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମାମଲାର ଆଉ ଥରେ ସମୀକ୍ଷା କରିବା ପରେ ସଂଶୋଧିତ ନିର୍ଦେଶାନାମା ଜାରି କରିଛି। କର୍ମଚାରୀଙ୍କ କିଛି ଦାବି ପୂରଣ ସହ ପୁରୁଣା ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ସରକାର ଅନୁମତି ଦେଇଛନ୍ତି। ଫଳରେ ଏଠାରେ କାର୍ଯ୍ୟରତ କର୍ମଚାରୀ ହତାଶ ହୋଇଛନ୍ତି।

ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନଟିପିସି) ଦ୍ବାରା ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରୁ ବିଜୁଳି ଉତ୍ପାଦନ ଗତ ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ରହିଛି। ୪୬୦ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପକୁ କର୍ତ୍ତୃପକ୍ଷ ବନ୍ଦ କରିଥିଲେ ଏଥିନେଇ ବିଧିବଦ୍ଧ ସୂଚନା ମିଳିଥିଲା ଜୁଲାଇ ୧୨ତାରିଖରେ। ପ୍ଲାଣ୍ଟକୁ ଅଗଷ୍ଟ ୨୦ ତାରିଖରୁ ସବୁଦିନ ପାଇଁ ବନ୍ଦ କରିବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଅନୁମତି ଦେଇଥିଲା। ଏହାପରେ କର୍ମଚାରୀ ଓ ବିଭିନ୍ନ ଶ୍ରମିକ ସଂଗଠନ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପ୍ଲାଣ୍ଟ ବନ୍ଦ ହେବା ନିଷ୍ପତ୍ତି ଉପରେ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ। ଏହା ଭିତରେ ଆବେଦନକାରୀଙ୍କୁ ପୁଣିଥରେ ଉପଯୁକ୍ତ ତଥ୍ୟ ସହ ଶ୍ରମ ମନ୍ତ୍ରାଳୟରେ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। ଶେଷରେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିକ ନିର୍ଦେଶାନାମା ଜାରି କରାଯିବା ସହ ପ୍ଲାଣ୍ଟ ବନ୍ଦ ହେବା ସପକ୍ଷରେ ମତ ଦିଆଯାଇଛି। ପ୍ଲାଣ୍ଟ ଚାଲିବା ନେଇ ଆବେଦନକାରୀମାନେ ଦେଇଥିବା ପିଟିସନ ଅନୁସାରେ ପ୍ଲାଣ୍ଟ ଚଲାଇବା ସମ୍ଭବ ନୁହେଁ ବୋଲି ଏଥିରେ କୁହାଯାଇଛି। ଶ୍ରମ ମନ୍ତ୍ରାଳୟର ଏହି ନିର୍ଦେଶାନାମା ପରେ ଟିଟିପିଏସ୍ ପ୍ଲାଣ୍ଟର ଭବିଷ୍ୟତ ପୁଣି ଅନ୍ଧାରକୁ ଚାଲି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe