କଟକରେ ନକଲି ସିମେଣ୍ଟ କାରଖାନା : ୪୦୦ ବସ୍ତା ସିମେଣ୍ଟ ଜବତ; ୮ ଅଟକ

Advertisment
କଟକରେ ନକଲି ସିମେଣ୍ଟ କାରଖାନା : ୪୦୦ ବସ୍ତା ସିମେଣ୍ଟ ଜବତ; ୮ ଅଟକ

କଟକ/ଫୁଲନଖରା : କଟକର ଆଜି ତିନିଟି ସ୍ଥାନରେ ନକଲି ସିମେଣ୍ଟ କାରଖାନା ଓ ଗୋଦାମ ଠାବ କରାଯାଇଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି କାରଖାନା ଓ ଗୋଦାମ ପଛରେ ଏକ ବଡ଼ ଧରଣର ର‍୍ୟାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ପୁଲିସ ଏଯାଏ ୮ ଜଣଙ୍କୁ ଅଟକ ରଖି ଜେରା କରୁଛି। କଟକ ସଦର ଥାନା ଅଞ୍ଚଳରୁ ଦୁଇଟି ନକଲି ସିମେଣ୍ଟ କାରଖାନା ଠାବ କରାଯାଇଥିବା ବେଳେ ମର୍କତନଗର ଅଞ୍ଚଳରେ ଗୋଟିଏ ନକଲି ସିମେଣ୍ଟ ଗୋଦାମ ଠାବ କରାଯାଇଛି। ପୁଲିସ ୩ଟି ସ୍ଥାନରେ ଚଢ଼ଉ କରି ୪୦୦ ବସ୍ତା ନକଲି ସିମେଣ୍ଟ, ବିପୁଳ ପରିମାଣର ଖାଲି ଅଖା ସହିତ ସିମେଣ୍ଟରେ ମିଶ୍ରଣ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି।

ସୂଚନାନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ପୀରବଜାର ଓ ମୁଗଭଙ୍ଗା ଅଞ୍ଚଳରେ ଦୁଇଟି ନକଲି ସିମେଣ୍ଟ କାରଖାନା ଚାଲୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏସିପି ନିମାଇଁ ସେଠୀ, ଅତିରିକ୍ତ ଆଇଆଇସି ମାନଗୋବିନ୍ଦ ସାହୁ, ସ୍ପେସାଲ ସ୍କ୍ଵାଡ୍‌ ଏବଂ ପୁଲିସ୍‌ର ଏକ ଟିମ ଉକ୍ତ ଦୁଇଟି ସ୍ଥାନରେ ଆଜି ଅତର୍କିତ ଚଢ଼ଉ କରିଥିଲେ। ଏହି ସମୟରେ ଅଲଟ୍ରାଟେକ, ଡାଲମିଆଁ, ଡିଏସପି ଆଦି ନାମୀଦାମୀ ସିମେଣ୍ଟ କମ୍ପାନିର ଖାଲି ଅଖା ଓ ବିଭିନ୍ନ ସାମଗ୍ରୀର ସେଠାରୁ ମିଳିଥିଲା। ନକଲି ସିମେଣ୍ଟ କାରଖାନାର ମ୍ୟାନେଜର ସୁରେନ୍ଦ୍ର କାଣ୍ଡିଙ୍କ ସମେତ ସାତ ଜଣଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ଏହି ନକଲି କାରଖାନା କେବେଠାରୁ ଚାଲିଛି ଓ ଅପମିଶ୍ରିତ ସିମେଣ୍ଟ କେଉଁ ଅଞ୍ଚଳକୁୁ ଚାଲାଣ ହେଉଥିଲା, ସେ ସଂପର୍କରେ ପୁଲିସ ଖୋଳତାଡ଼ ଜାରି ରଖିଛି।

ଅନ୍ୟପଟେ ସିଡିଏ ଅଞ୍ଚଳର କାଠଯୋଡ଼ି ବିହାର ମୁଣ୍ଡାସାହି ନିକଟରେ ନକଲି ସିମେଣ୍ଟ ଗୋଦାମ ଠାବ ହୋଇଛି । ସେହି ଘରୁ ପାଖାପାଖି ୪୦୦ ବସ୍ତା ନକଲି ସିମେଣ୍ଟ ମର୍କତନଗର ଥାନା ପୁଲିସ ଜବତ କରିଛି। ଘଟଣାରେ ସମ୍ପୃକ୍ତ ମାଛୁଆ ବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁୁ ପୁଲିସ ଉଠାଇ ନେଇ ଥାନାରେ ଜେରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe