ନକଲି ସାର୍ଟିଫିକେଟ୍‌ରେ ପ୍ରାଥମିକ ଶିକ୍ଷକ : ଡିଇଓ, ବିଇଓମାନଙ୍କୁ ରିପୋର୍ଟ ତଲବ

Advertisment
ନକଲି ସାର୍ଟିଫିକେଟ୍‌ରେ ପ୍ରାଥମିକ ଶିକ୍ଷକ : ଡିଇଓ, ବିଇଓମାନଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର : ନକଲି ବିଏଡ୍‌ ଓ ସିଟି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତ ହୋଇଛନ୍ତି ପ୍ରାଥମିକ ଶିକ୍ଷକ। ନକଲି ସାର୍ଟିଫିକେଟ୍‌ ଦେଇ ପଦୋନ୍ନତି ପାଇଛନ୍ତି। ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନକଲି ସାର୍ଟିଫିକେଟ୍‌ ତଥା ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତନାଘନା ହୋଇଥିଲା। ୩ ବର୍ଷ ତାଳୁ ଏନେଇ ଅଭିଯୋଗ ହେବା ପରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେହି ଆଧାରରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ୨୦୧୫ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଇଓ ଓ ଡିଇଓମାନଙ୍କୁ ୬ ଥର ଚିଠି ଲେଖାଯାଇଛି। ତଥାପି କୌଣସି ବି ଶିକ୍ଷା ଅଧିକାରୀ ଏପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହାନ୍ତି। ଯେଉଁଥିପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଅସନ୍ତୋଷ ବ୍ୟକ୍ତି କରାଯାଇଛି। ଏଥିସହ ନକଲି ସାର୍ଟିଫିକେଟ୍‌ ଯାଞ୍ଚ ରିପୋର୍ଟ ମାର୍ଚ୍ଚ ୧୬ ସୁଦ୍ଧା ନିର୍ଦେଶାଳୟରେ ଦାଖଲ କରିବାକୁ ସମସ୍ତ ଡିଇଓ ଓ ବିଇଓଙ୍କୁ କୁହାଯାଇଛି।

ପୂର୍ବରୁ ହାଇସ୍କୁଲରେ ନିଯୁକ୍ତ ହୋଇଥିବା କେତେଜଣ ପିଇଟିଙ୍କ ଆବଶ୍ୟକୀୟ ଯୋଗ୍ୟତା‌ ନଥିବା ନଜରକୁ ଆସିଥିଲା। ମାଟ୍ରିକ୍‌ ସହ ସାର୍ଟିଫିକେଟ୍‌ ଇନ୍‌ ଫିଜିକାଲ ଏଜୁକେସନ୍‌ (ସିପିଇଡି) ଯୋଗ୍ୟତା ଥାଇ ସେମାନେ ପିଇଟି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଯୁକ୍ତ୨ ସହ ସିପିଇଡି ଯୋଗ୍ୟତା ହାସଲ କରିଥିବା ଦର୍ଶାଇଥିଲେ। ଏହାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତନାଘନା କରାଯାଉଛି। ସେହିପରି ହାଇସ୍କୁଲରେ ନିଯୁକ୍ତି ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ଯୋଗ୍ୟତା ନେଇ ମଧ୍ୟ ଏକାଧିକ ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର ୨୦୧୮ ନଭେମ୍ବର ମାସରେ ସମୀକ୍ଷା କରିଥିଲେ। ନକଲି ସାର୍ଟିଫିକେଟ୍‌ ଦେଇ ଯେଉଁମାନେ ଚାକିରି ପାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe