ତାରିଣୀପୀଠରେ ଅସାଧୁ ମେଣ୍ଟ ସକ୍ରିୟ : ଭେଜାଲ ନଡ଼ିଆ ତେଲ ବିକି ମାଲେମାଲ

Advertisment

ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗରେ କୁଠାରଘାତ

ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗରେ କୁଠାରଘାତ

ତାରିଣୀପୀଠରେ ଅସାଧୁ ମେଣ୍ଟ ସକ୍ରିୟ : ଭେଜାଲ ନଡ଼ିଆ ତେଲ ବିକି ମାଲେମାଲ

ଘଟଗାଁ : ଗତକିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବ୍ୟାପକ ଭେଜାଲ ଜିନିଷ ଜବତ କରାଯାଇଥିବା ବେଳେ ପ୍ରସିଦ୍ଧ ତାରିଣୀ ପୀଠରେ ବି ଖାଣ୍ଟି ନଡ଼ିଆ ତେଲ ନାଁରେ ଅସାଧୁ ମେଣ୍ଟ ଭେଜାଲ ତେଲ ବିକି ମାଲେମାଲ ହେଉଛନ୍ତି। ଏହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗ ପ୍ରତି କୁଠାରଘାତ କରୁଛି।

ଓଡିଶା ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରିଣୀ ପୀଠର ମହିମା ଓ ଅପାର କରୁଣା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ବିପଦ ଆପଦରୁ ଉଦ୍ଧାର ପାଇଁ ମୁଣ୍ଡରେ ନଡ଼ିଆ ଟିଏ ଛୁଆଁଇ ଦେଇ ତାରିଣୀ ମାଆ ପାଖକୁ ପଠାଇ ଦେଇଥାଏ ଭକ୍ତ। ପ୍ରତିଦିନ ହଜାର ହଜାର ମାନସିକ ନଡ଼ିଆ ଏଠାକୁ ଆସେ। ଏହିସବୁ ନଡ଼ିଆ ଭୋଗ ଲାଗିବାପରେ ମନ୍ଦିର ପ୍ରଶାସନ ତରଫରୁ ସୁଲଭ ମୂଲ୍ୟରେ ନଡ଼ିଆ କୋରା ବ୍ୟବସାୟୀ, ନଡ଼ିଆ ତେଲ ପ୍ରସ୍ତୁତ କାରୀଙ୍କୁ ଯୋଗାଯାଇଥାଏ। ବଜାରରରେ ଗୋଟା ନଡ଼ିଆର ମୂଲ୍ୟ୨୦ଟଙ୍କାରୁ ୨୫ ଟଙ୍କା ବିକ୍ରି ହେଉଥିବା ବେଳେ ମନ୍ଦିର ପ୍ରଶାସନ ମାନସିକ ନଡ଼ିଆକୁ ଭୋଗ ଲଗାଇବାପରେ ନଡ଼ିଆ କୋରା ବ୍ୟବସାୟୀଙ୍କୁ ମାତ୍ର ୫ ଟଙ୍କା ରେ ବିକ୍ରି କରୁଛନ୍ତି। ଏହି ନଡ଼ିଆରୁ କୋରା କରାଯିବା ସହିତ ତେଲ ପ୍ରସ୍ତୁତ କରାଯାଇଥାଏ। ପ୍ରଥମତଃ ଏହା ବେଶିଦିନ ରହିଥାଏ। ଏହାର ଔଷଧୀୟ ଗୁଣ ଥିବାରୁ ତାହାକୁ ଲୋକେ କିଣିଥାନ୍ତି। ଗୋଟିଏ ପଟେ ନଡ଼ିଆ କୋରା ହେଲା, ଅନ୍ୟପଟେ ତେଲ ମିଳିଲା। ନଡ଼ିଆ କୋରା ଓ ନଡ଼ିଆ ତେଲ ବିକି ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଧାରାରେ ଘଟଙ୍ଗା ବଜାରରେ ପ୍ରାୟ ୩୦୦ ନଡ଼ିଆ କୋରା ବ୍ୟବସାୟୀ ଅଛନ୍ତି।

ଓଡିଶାର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରଥମ ପସନ୍ଦ ନଡ଼ିଆ କୋରା ଓ ନଡ଼ିଆ ତେଲ। ବିଶ୍ୱାସ ରହିଛି ଯେ ଏହା ଖାଣ୍ଟି ନଡ଼ିଆ ତେଲ ଏଠାରେ ମିଳେ। ମାତ୍ର ଗତ କିଛି ବର୍ଷ ହେଲା କେ‌ତେକ ଅସାଧୁ ଲୋକ ବାହାରୁ ଆସି ଏଠାରେ ଅପମିଶ୍ରଣ କରି ତେଲ ବିକ୍ରି କରୁଛନ୍ତି। ପ୍ରଥମେ ବିଭିନ୍ନ ରିଫାଇନ ତେଲ ମିଶାଇ ବିକ୍ରି କରୁଥିଲେ। ଏବେ ସୁଦୂର ରାୟପୁରରୁ କମ ଦାମରେ ଏକ ରିଫାଇନ ତେଲକୁ ଆଣି ନଡ଼ିଆ ତେଲ ସହ ମିଶାଇ ବିକ୍ରି କରି ମାଲେମାଲ ହେଉଛନ୍ତି। ଲୋକେ ଏହି ଅପମିଶ୍ରଣ ତେଲ ନେଇ ବ୍ୟବହାର କଲାବେଳେ ସେଥିରୁ ପଚାଗନ୍ଧ ସହ ବ୍ୟବହାର ଉପଯୋଗୀ ହେଉ ନାହିଁ। ଏହା ଦ୍ୱାରା ଘଟଙ୍ଗା ତଥା ତାରିଣୀ ପୀଠର ବଦନାମ ହେଉଛି। ଏହି ଆସଧୁ ବ୍ୟବସାୟୀ ଅତି ଚତୁରତାର ସହ ତାରିଣୀ ବ୍ରାଣ୍ଡ ମାରି ଲୋକଙ୍କୁ ପ୍ରଲୋଭିତ କରି ଅବାଧରେ ତେଲ ବିକୁଛନ୍ତି।

ରାୟପୁର ନଡ଼ିଆ ତେଲ ଆସିବାପରେ ସ୍ଥାନୀୟ ବ୍ୟବସାୟୀମାନେ ପ୍ରମାଦ ଗଣୁଛନ୍ତି। ଅପମିଶ୍ରଣ ଯୋଗୁ ଅଧିକ ଲାଭ ମିଳୁ ଥିବାରୁ ଅନ୍ୟମାନେ ଏହାକୁ ଆଦରି ନେଲେଣି। ଫଳରେ ବିଶୁଦ୍ଧ ରନ୍ଧା ନଡ଼ିଆ ତେଲ ବଜାରରୁ ଏକ ପ୍ରକାର ଉଭାନ ହୋଇ ଗଲାଣି। କିଛି ଅସାଧୁ ବ୍ୟବସାୟୀଙ୍କ ପାଇଁ ଘଟଗାଁ ବଦନାମ ହେଉଛି। ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ ଓ କେତେକ ସ୍ୱଚ୍ଛସେବୀ ଆଗକୁ ଆସି ଏହାର ବିହତ ପଦକ୍ଷେପ ନେବା ପାଇଁ ଦାବି କରୁଥିଲେ। ୫ ବର୍ଷ ତଳେ ଆମ ପୁଲିସ ସମିତି ତରଫରୁ ରାଜ ରାସ୍ତାକୁ ଓହ୍ଲାଇ ସମସ୍ତ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିଲା।

ମକୁନ୍ଦପୁରପାଟଣା ଗ୍ରାମ ପଂଚାୟତ ତରଫରୁ ସୂଚନା ଫଳକ ଲଗାଯାଇ ଅଭିଯୋଗ କରିବା ପାଇଁ ଫୋନ ନମ୍ବର ଦିଆଯାଇଥିଲା। ତୁରନ୍ତ ପୁଲିସକୁ ଜଣାଇ ବାକୁ କୁହା ଯାଇଥିଲା। ଘଟଗାଁ ଗ୍ରାମର ଅଗ୍ରଣୀ ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ମଧ୍ୟ ଆଗକୁ ଆସି ଅଚାନକ ଚଢ଼ଉ କରି ତେଲ ଜବତ କରି ପୁଲିସ ଜିମା ଦେଇଥିଲେ। ମାତ୍ର କାର୍ୟନୁଷ୍ଠାନ ଶୂନ ବୋଲି ଜଣାଯାଇଛି। ଆହୁରି ମଧ୍ୟ ଜଣାଯାଇଛି ଯେ କେନ୍ଦୁଝର ସଦର ମହକୁମାରେ ଫୁଡ ଇନସିପେକ୍ଟର ଓ ସ୍ବତନ୍ତ୍ର ସ୍କ୍ବାଡ୍ ଥିବାବେଳେ ସେମାନଙ୍କ ଦୃଷ୍ଟି ଆଜିଯାଏ ପଡ଼ୁ ନ ଥିବା ଅଭିଯୋଗ ହେଉଛି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନ, ସ୍ବୟଂସହାୟକ ଗୋଷ୍ଠୀ, ଶ୍ରଦ୍ଧାଳୁ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe