ଗଞ୍ଜାମରେ ନକଲି ନିର୍ମାଣ ଶ୍ରମିକ ପରିଚୟପତ୍ର ରାକେଟ୍‌, ତଦନ୍ତ ଆରମ୍ଭ

Advertisment

କାର୍ଡ଼ ଯୋଗାଉଥିଲା ଭୁବନେଶ୍ବର ସଂସ୍ଥା, କାର୍ଯ୍ୟାନୁଷ୍ଠାନ ନିଆଯିବ: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ

କାର୍ଡ଼ ଯୋଗାଉଥିଲା ଭୁବନେଶ୍ବର ସଂସ୍ଥା, କାର୍ଯ୍ୟାନୁଷ୍ଠାନ ନିଆଯିବ: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ

ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣ ଶ୍ରମିକ ଯୋଜନା ବାଟବଣା: ମିଳିନି ୮ କୋଟିର ସହାୟତା

Change.org

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କୁ ନକଲି ପରିଚୟପତ୍ର ଦେଇ ଅର୍ଥ ହଡ଼ପ କରୁଥିବା ଏକ ରାକେଟ୍‌ କାମ କରୁଛି। ଗୋଟିଏ କାର୍ଡ଼ ପିଛା ୪ ଶହରୁ ୫ଶହ ଟଙ୍କା ନିଆଯାଉଛି। କାର୍ଡ଼ଧାରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସିବା ପରେ ତାହା ଜାଲ୍‌ ବୋଲି ଜଣାପଡ଼ୁଛି। ଏହି ରାକେଟ୍‌ ଦ୍ବାରା ଜିଲ୍ଲାର ଶହ ଶହ ନିର୍ମାଣ ଶ୍ରମିକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଶ୍ରମ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହି ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି।

publive-image rtiodisha.in

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ପୁରୁଷୋତ୍ତମପୁର ବ୍ଲକ୍‌ ଝାଡ଼ବାଇ ଗ୍ରାମର ଅଜୟ କୁମାର ପଣ୍ତା ଓ ଛତ୍ରପୁର ବ୍ଲକ୍‌ ମୁନିଷିପେଣ୍ଠ ଗ୍ରାମର ପ୍ରମିଳା ବେହେରା ନିର୍ମାଣ ଶ୍ରମିକ ପରିଚୟ ପତ୍ର ଧରି ସହାୟତା ଲାଗି ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସିଥିଲେ। ପରିଚୟପତ୍ରରେ ଶ୍ରମ କାର୍ଯ୍ୟାଳୟ ସିଲ୍ ଥିବା ବେଳେ ଶ୍ରମ ଅଧିକାରୀଙ୍କ ଦସ୍ତଖତ ନ ଥିଲା। ଏହାକୁ ଦେଖିବା ପରେ ସହକାରୀ ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ସନ୍ଦେହ ହୋଇଥିଲା। ସେ ଖୋଳତାଡ଼ କରି ପରିଚୟପତ୍ର ଦ୍ବୟ ଜାଲ୍ ବୋଲି ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ପଛରେ ଏକ ରାକେଟ୍‌ କାମ କରୁଥିବା ଜଣାପଡ଼ିଛି। ଆଜି ସହକାରୀ ଶ୍ରମ ଅଧିକାରୀ ଶ୍ରୀ ତ୍ରିପାଠୀ ଓ କର୍ମଚାରୀ ତ୍ରିଲୋଚନ ପାତ୍ର ଛତ୍ରପୁର ଓ ପୁରୁଷୋତ୍ତମପୁର ବ୍ଲକ୍‌କୁ ଯାଇ ସରଜମିନ୍‌ ତଦନ୍ତ କରିଛନ୍ତି। ପୁରୁଷୋତ୍ତମପୁର ବ୍ଲକ୍‌ ଝାଡ଼ବାଇର ଅଜୟ କୁମାର ପଣ୍ତାଙ୍କ ନାମରେ ଥିବା ଜନସେବା କେନ୍ଦ୍ର ଓ ଛତ୍ରପୁର ବ୍ଲକ୍ ବଡ଼ମାଧପୁର ମହାଲକ୍ଷ୍ମୀ ଜନସେବା କେନ୍ଦ୍ରରେ ତଦନ୍ତ କରିଥିଲେ। ସେହିପରି ମୁନିଷିପେଣ୍ଠ ଗ୍ରାମର ପ୍ରମିଳା ବେହେରାଙ୍କ ଘରକୁ ଯାଇ ସେ ପାଇଥିବା ପରିଚୟପତ୍ର ମାଗିବାରୁ ଗତକାଲି ହିଁ ଘରକୁ ରବି ରଣା ନାମକ ଏଜେଣ୍ଟ୍‌ ଆସି ଫେରସ୍ତ ନେଇ ଯାଇଥିବା ସେ ପ୍ରକାଶ କରିଥିଲେ। ଏହାପରେ ସହକାରୀ ଶ୍ରମ ଅଧିକାରୀ ପୁରୁଷୋତ୍ତମପୁର ରଥ ସାହିର ରବି ରଣା ଘରକୁ ଯାଇଥିଲେ। ହେଲେ ଏଜେଣ୍ଟ ରଣା ଘରେ ନ ଥିଲେ ଏବଂ ତାଙ୍କ ମୋବାଇଲ ସୁଇଚ୍ ଅଫ୍‌ ଥିଲା। ସେହିପରି ଛତ୍ରପୁର ବ୍ଲକ୍‌ ଗଙ୍ଗାପୁର ଜନସେବା କେନ୍ଦ୍ରକୁ ଶ୍ରମ ଅଧିକାରୀ ତଦନ୍ତ ପାଇଁ ଯାଇଥିବା ବେଳେ ‌ଉକ୍ତ ଜନସେବା କେନ୍ଦ୍ର ବି ବନ୍ଦ ଥିଲା। ନକଲି ପରିଚୟ ପତ୍ର ରାକେଟ୍‌ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ସକ୍ରିୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଝାଡ଼ବାଇ ଜନସେବା କେନ୍ଦ୍ରରେ ୧୦୦ ଜଣ ଆବେଦନ କରିଥିବା ବେଳେ ୨୫ଟି ନକଲି ପରିଚୟପତ୍ର ଏବଂ ବଡ଼ ମାଧପୁର ଜନସେବା କେନ୍ଦ୍ରରେ ପ୍ରାୟ ୫୦ ଜଣ ଆବେଦନ କରିଥିବା ବେଳେ ୧୧ଟି ନକଲି ପରିଚୟପତ୍ର ପାଇଥିବା ଜନସେବା କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀମାନେ ସହକାରୀ ଶ୍ରମ ଅଧିକାରୀଙ୍କୁ କହିଛନ୍ତି। ଉକ୍ତ ଜାଲ୍ ପରିଚୟପତ୍ର ଗୁଡ଼ିକୁ ତୁରନ୍ତ ଶ୍ରମ କାର୍ଯ୍ୟାଳୟରେ ହସ୍ତାନ୍ତର କରିବାକୁ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ କୁହାଯାଇଛି।

ଏହି ରାକେଟ୍‌ ପଛରେ ଭୁବନେଶ୍ବରର ଏଫେକ୍ସ ଓଡ଼ିଶା ନେଟ୍ କେଫ୍ ନାମକ ଏକ ସଂସ୍ଥା ଠକୁଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବାକୁ ହେଲେ ଆବେଦନକାରୀଙ୍କ ରାସନ୍ କାର୍ଡ଼, ଆଧାର କାର୍ଡ଼, ଫଟୋ ଏବଂ ବ୍ୟାଙ୍କ ଜମାଖାତାର ଜେରକ୍ସ କପି ଜନସେବା କେନ୍ଦ୍ର ମାଧ୍ୟମରେ ଉକ୍ତ ସଂସ୍ଥା ନିକଟକୁ ପଠାଯାଉଥିଲା। ମାସକ ପରେ ଆବେଦନକାରୀଙ୍କ ପରିଚୟପତ୍ର ଯୋଗାଇ ଦିଆଯିବାକୁ ଜନସେବା କେନ୍ଦ୍ରରେ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହ ସଂସ୍ଥା ଦ୍ବାରା ପରିଚାଳିତ ଦଲାଲ୍‌ମାନେ ପ୍ରତିଶ୍ରୁତି ଦେଉଥିଲେ। ଜନସେବା କେନ୍ଦ୍ର ଗୁଡ଼ିକ ଜଣଙ୍କ ଠାରୁ ୪ରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରି ବିଭିନ୍ନ କାଗଜପତ୍ର ସଂସ୍ଥାକୁ ପଠାଉଥିବା ଜଣାପଡ଼ିଛି। ଏହି ଘଟଣା‌ ଜଣାପଡ଼ିବା ପରେ ଏଥିରେ ସମ୍ପୃକ୍ତ ଥିବା ଜନସେବା କେନ୍ଦ୍ର ପରିଚାଳକଙ୍କ ଭିତରେ ଭାଳେଣି ପଡ଼ିଛି। ଆଜି କିଛି ଜନସେବା କେନ୍ଦ୍ରର ମାଲିକ ଛତ୍ରପୁର ଥାନାକୁ ଏତଲା ଦେବାକୁ ଆସିଥିବା ଏବଂ ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ ଫେରି ଯାଇଥିବା କୁହାଯାଉଛି। ଆସନ୍ତକାଲି ଆସି ପୁଣି ଏତଲା ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe