Image Courtesy of Times of India
ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଦେବଗଡ଼ ଆଦର୍ଶ ଥାନା ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପୂର୍ବନାଅପରା ଗ୍ରାମର ପ୍ରଶାନ୍ତ ରାୟ।
ସୂଚନା ଅନୁଯାୟୀ, ଦେବଗଡ଼ ଥାନା କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ଡାକ୍ତର ବୋଲାଉଥିବା ପ୍ରଶାନ୍ତ କୌଣସି ଆବଶ୍ୟକ ଠିକ୍ କାଗଜପତ୍ର ଦେଖାଇ ପାରିନଥିଲେ। ପୁଲିସ ତାଙ୍କୁ ଗିରଫ କରି ଦେବଗଡ଼ ଥାନାକୁ ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାସ୍ ଥିବା ଜଣାପଡ଼ିଛି।
ପ୍ରଶାନ୍ତ କୋଲକାତାର ଏକ ଅନୁଷ୍ଠାନର ନକଲି ସାର୍ଟିଫିକେଟ ଦେଖାଇ ୪ବର୍ଷ ହେଲା କଦମଦର୍ହ ଗ୍ରାମରେ ବେଆଇନ କ୍ଲିନକ ଖୋଲିଥିଲେ। ଏହା ସହିତ ଚିକିତ୍ସା ଆଳରେ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ପୁଲିସ କ୍ଲିନିକ୍ରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛି। ଦୀର୍ଘ ୪ ବର୍ଷ ହେଲା ସେ ବେଆଇନ କ୍ଲିନକ ଖୋଲି ଲୋକମାନଙ୍କୁ ଚିକିତ୍ସା ଚଳାଇଥିବା ବେଳେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିପରି ଜାଣିପାରିଲା ନାହିଁ ବୋଲି ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us