ତିନି ବର୍ଷ ଧରି ସରକାରୀ ଚିକିତ୍ସାକେନ୍ଦ୍ରରେ ରୋଗୀ ଦେଖୁଛନ୍ତି ନକଲି ଡାକ୍ତର

Advertisment

ସବୁ ଜାଣି ଚୁପ୍‌ରହିଛି ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ, ଜାଲ୍‌ ସାର୍ଟିଫିକେଟ୍‌ରେ ୪୦ ମାସ ଚାକିରି, ଦରମା ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା

ସବୁ ଜାଣି ଚୁପ୍‌ରହିଛି ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ, ଜାଲ୍‌ ସାର୍ଟିଫିକେଟ୍‌ରେ ୪୦ ମାସ ଚାକିରି, ଦରମା ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା

ତିନି ବର୍ଷ ଧରି ସରକାରୀ ଚିକିତ୍ସାକେନ୍ଦ୍ରରେ ରୋଗୀ ଦେଖୁଛନ୍ତି ନକଲି ଡାକ୍ତର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ନକଲି ଡାକ୍ତରଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆଗାଁ ଅଞ୍ଚଳରେ ଏଭଳି ଜଣେ ଡାକ୍ତର ବର୍ଷ ବର୍ଷ ଧରି ସରକାରୀ ଚିକିତ୍ସାକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରି ଆସୁଥିଲେ ମଧ୍ୟ ସବୁ ଜାଣି ଚୁପ୍‌ରହିଛି ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ। ଗ୍ରାମାଞ୍ଚଳର ରୋଗୀମାନେ ନକଲି ଚିକିତ୍ସା ପାଇ ମରଣମୁହଁକୁ ଠେଲି ‌ହୋଇଯାଉଥିବା ବେଳେ ତଦନ୍ତ ଆଳରେ ସେମାନେ ସମୟ ଗଡ଼ାଇ ଚାଲିଛନ୍ତି।

ଗତ ୨୦୧୬ ମସିହାରେ ନୂଆଗାଁ ବ୍ଲକ୍‌ ଅଞ୍ଚଳରେ ପଦ୍ମନାଭନ୍‌ ମୁଖୀ କାରୁଆ ଏମ୍‌ବିବିଏସ୍‌ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ବେଳେ ସେ ଦାଖଲ କରିଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଅନୁଯାୟୀ ସେ ଝାଡ଼ଖଣ୍ଡ ରାଜ୍ୟର ମୂଳବାସିନ୍ଦା। ରାଉରକେଲା ସେକ୍ଟର -୭ ଶିକ୍ଷା ସଦନରୁ ୧୯୮୯ରେ ମାଟ୍ରିକ୍‌ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ୧୯୯୧ ମସିହାରେ ଯୁକ୍ତ ଦୁଇରେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ କଲେଜରୁ ୨୦୦୨ ମସିହାରେ ସେ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି। ଏହି ଡାକ୍ତରୀ ସାର୍ଟିଫିକେଟ୍‌ ଦେଖାଇ ସେ ହାଇଟେକ୍‌ ମେଡିକାଲ, ବନ୍ଧମୁଣ୍ଡା ରେଳ ବିଭାଗ ଡାକ୍ତରଖାନା ଓ ରାଉରକେଲା ଇସ୍ପାତ କାରଖାନା ସିଏସ୍‌ଆର୍‌ରେ ମଧ୍ୟ କାମ କରିଛନ୍ତି। ପ୍ରତ୍ୟେକ ସ୍ଥାନରେ ତାଙ୍କ ସାର୍ଟିଫିକେଟ୍ ନେଇ ଖୋଳତାଡ଼ ଆରମ୍ଭ ହେବାପରେ ସେ କୌଶଳକ୍ରମେ ଖସି ପଳାଇଛନ୍ତି। ବିଭିନ୍ନ ଆଡୁ ତଡ଼ା ଖାଇବା ପରେ ପରେ ପଦ୍ମନାଭନ୍‌ ୨୦୧୬ ମସିହାରେ ଅସ୍ଥାୟୀ ଡାକ୍ତର ଭାବେ ନୂଆଗାଁ ପିଏଚ୍‌ସିରେ ନିଯୁକ୍ତି ପାଇଥିଲେ। ତତ୍କାଳୀନ ସିଡିଏମ୍‌ଓ ଡା. ଶଶୀଭୂଷଣ ନାୟକ ଅବସର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ତାଙ୍କୁ ନିଯୁକ୍ତି ମିଳିଥିଲା। ଡାକ୍ତର ଭାବେ ନିଯୁକ୍ତି ଦେବା ପୂର୍ବରୁ ତାଙ୍କ ସାର୍ଟିଫିକେଟ୍‌ଗୁଡ଼ିକୁ ଠିକ୍‌ ଭାବେ ଯାଞ୍ଚ କରାଯାଇ ନଥିବା ଜଣାପଡ଼ିଛି।

ସୂଚନା ଅଧିକାର ଆଇନବଳରେ ମିଳିଥିବା ଏକ ତଥ୍ୟ ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ତାଙ୍କର ଯେଉଁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଖାଉଛନ୍ତି ତାହା ସମ୍ପୂର୍ଣ୍ଣ ନକଲି ବୋଲି ସ୍ପଷ୍ଟ ହେବାରେ ଲାଗିଛି। ତାଙ୍କର ଏମ୍‌ବିବିଏସ୍‌ ସାର୍ଟିଫିକେଟ୍‌ରେ ଲେଖାଥିବା ‘ବୀର ସୁରେନ୍ଦ୍ରସାଏ ମେଡ଼ିକାଲ୍‌ କ‌ଲେଜରେ ମଧ୍ୟ ୨ଟି ବନାନଗତ ତ୍ରୁଟି ରହିଛି। ବିଶ୍ବବିଦ୍ୟାଳୟ ଲୋ‌ଗୋରେ ମଧ୍ୟ ‌ଭିନ୍ନତା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ଷଷ୍ଠ ଶ୍ରେଣୀରୁ ଡାକ୍ତରୀ ପର୍ଯ୍ୟନ୍ତ ପାଠ ପଢିଥିଲେ ବି ସେ ବିହାର ମେଡିକାଲ କାଉନ୍‌ସିଲ୍‌ ପାଟନାରେ ଏମ୍‌ବିବିଏସ୍‌ ସାର୍ଟିଫିକେଟ୍‌ ପଞ୍ଜୀକୃତ କରିଛନ୍ତି। ଓଡ଼ିଶା ମେଡିକାଲ୍‌ କାଉନ୍‌ସିଲରେ ସେ ନାମ ପଞ୍ଜୀକୃତ ନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ଏ ସମ୍ପର୍କରେ ଅଭିଯୋଗ ହେବାପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଏମ୍‌ବିବିଏସ୍‌ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ଚିଠି ଲେଖାଯାଇଛି। କିନ୍ତୁ ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତାଙ୍କୁ ମାସକୁ ୫୫ ହଜାର ଟଙ୍କା ଦରମା ଓ ଗ୍ରାମାଞ୍ଚଳ ପାଇଁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ଭତ୍ତା ମଧ୍ୟ ମିଳୁଛି। ତାଙ୍କ ସଂପର୍କରେ ଅତୀତରେ ଅନେକ ଲୋକ, ଏପରିକି ଡାକ୍ତରମାନେ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି କାରଣରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ‘ପଣ୍ଡା ଓ ‘ନାଏକ ନାମଧାରୀ ଦୁଇ ଜଣ କର୍ମଚାରୀ ତାଙ୍କର ସୁରକ୍ଷା କବଚ ସାଜିଥିବା କୁହାଯାଉଛି। ସେମାନେ ଏହି ଅଭିଯୋଗପତ୍ରଗୁଡ଼ିକୁ ମୁଖ୍ୟ ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ଦେଉ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ଭିତରେ ଗତ ୪୦ ମାସ ଧରି ସେ ସରକାରଙ୍କ ଠାରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଦରମା ଆକାରରେ ନେଇ ଯାଇଛନ୍ତି। ସବୁଠାରୁ ଦୁଃଖର କଥା ହେଲା, ଏହି ନକଲି ଡାକ୍ତର ନୂଆଗାଁ ଅଞ୍ଚଳର ହଜାର ହଜାର ରୋଗୀଙ୍କୁ ଚିକିତ୍ସା କରିଛନ୍ତି। ତାଙ୍କ ଚିଠାରେ ରୋଗୀ ଔଷଧ ଖାଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏହି ନକଲି ଡାକ୍ତରଙ୍କ ସମ୍ପର୍କରେ ଅଭିଯୋଗ ହେବା ପରେ ୩ ଦିନ ପୂର୍ବେ ‘ସମ୍ବାଦ ଟିମ୍‌ ନୂଆଗାଁ ଡାକ୍ତରଖାନାକୁ ଯାଇ ତଦନ୍ତ କରିଥିଲେ। ଏହି ତଦନ୍ତ ପରଠାରୁ ସମ୍ପୃକ୍ତ ଡାକ୍ତର ଆଉ ଡାକ୍ତରଖାନା ଆସୁନଥିବା ଜଣାପଡ଼ିଛି। ତେବେ ଆମ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ତାଙ୍କ ସାର୍ଟିଫିକେଟ୍‌ ଠିକ୍‌, ତାଙ୍କୁ ଅଯଥା ବଦ୍‌ନାମ କରାଯାଉଛି ବୋଲି ସେ କହିଥିଲେ। ‘ସମ୍ବାଦ’ ପକ୍ଷରୁ ବୁର୍ଲାସ୍ଥିତ ମେଡିକାଲ କଲେଜ ଓ ଅନ୍ୟସ୍ଥାନରେ ଅନୁସଂଧାନ କରାଯିବା ବେଳେ ସେଭଳି ନାମଧାରୀ କେହି କେବଳ ୨୦୦୨ ନୁହେଁ, କୌଣସି ସମୟରେ ବି ମେଡିକାଲ୍‌ ପାସ୍‌ କରି ନଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ନକଲି ସାର୍ଟିଫିକେଟ୍‌ ଯାଞ୍ଚ ସରକାରୀସ୍ତରରେ ବିଳମ୍ବ ହେବା ପଛରେ ଏକ ରୢାକେଟ୍‌ କାମ କରୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe