ସରିଲା ଓୟୁଏଟି ପ୍ରବେଶିକା ପରୀକ୍ଷା : ଧରାପଡ଼ିଲେ ଦୁଇ ନକଲି ପରୀକ୍ଷାର୍ଥୀ

Advertisment
ସରିଲା ଓୟୁଏଟି ପ୍ରବେଶିକା ପରୀକ୍ଷା : ଧରାପଡ଼ିଲେ ଦୁଇ ନକଲି ପରୀକ୍ଷାର୍ଥୀ

ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

ଭୁବ‌ନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୨୪ଟି ସହରର ୬୯ଟି କେନ୍ଦ୍ରରେ ୩୬ ହଜାର ୩୪୬ ଜଣ ପରୀକ୍ଷା ଦେଇଛନ୍ତି। ମୋଟ ୩୮ ହଜାର ୩୬୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦୧୭ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

ଓୟୁଏଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରେ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ତେବେ ଭୁବନେଶ୍ବରରେ ଦୁଇ ଜଣ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସହରର ବଡ଼ଗଡ଼ ବ୍ରିଟ୍‌ କଲୋନି ଓ ଧର୍ମବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏ ନକଲି ପରୀକ୍ଷାର୍ଥୀ ଧରାପଡ଼ିଥିବା ଜଣାପଡ଼ିଛି। ଜଣଙ୍କ ନାଁରେ ଆଡମିଟ୍‌ କାର୍ଡ ଥିବା ବେଳେ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ। ଏହା ନଜରକୁ ଆସିବା ପରେ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟମା‌ନେ ନିକଟସ୍ଥ ଥାନାରେ ଏତଲା ଦେବା ପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି।

ଜୁନ୍‌ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରବେଶିକା ପରୀକ୍ଷା ମାର୍କ ଓ କ୍ୟା‌ରିଅର ମାର୍କକୁ ମିଶାଇ ଜୁଲାଇ ପ୍ରଥମ ସପ୍ତାହରେ ରୢାଙ୍କ ପ୍ରସ୍ତୁତ ହେବ। ଏହାପରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ-ବି ପୂରଣ କରି‌ବେ। ଜୁଲାଇ ୨୦ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ସହ ଅଗଷ୍ଟ ୭ରୁ ପାଠପଢ଼ା ଆରମ୍ଭ ହେବ। ରୢାଙ୍କ ପ୍ରକାଶ ପାଇବା ପରେ କୃଷି ମହାବିଦ୍ୟାଳୟ, ବନ ମହାବିଦ୍ୟାଳୟ, କୃଷି ଯାନ୍ତ୍ରିକ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଦ୍ୟାନ କୃଷି ମହାବିଦ୍ୟାଳୟ, ପ୍ରାଣୀ ବିଜ୍ଞାନ ଓ ଚିକିତ୍ସା‌ ମହାବିଦ୍ୟାଳୟ, କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ ଓ ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ମହାବିଦ୍ୟାଳୟର ୬୬୫ ସିଟ୍‌ରେ ନାମ ଲେଖାହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe