ଅସଲି ଜମିରେ ନକଲି ଚାଷୀର କୃଷିବୀମା, ପ୍ରକୃତ ଚାଷୀ ଥାନାର ଦ୍ବାରସ୍ଥ

Advertisment
ଅସଲି ଜମିରେ ନକଲି ଚାଷୀର କୃଷିବୀମା, ପ୍ରକୃତ ଚାଷୀ ଥାନାର ଦ୍ବାରସ୍ଥ

Prameyanews.com

ରୁପ୍ରାରୋଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଅଧିକାଂଶ ଜମି ଅଣଜଳସେଚିତ। ତେଣୁ ପ୍ରତିବର୍ଷ ମରୁଡ଼ି ଆଶଙ୍କା ରହିଥାଏ। ଏଥିପାଇଁ ଚାଷୀମାନେ ନିଜ ନିଜ ଫସଲର ବୀମା କରାଇଥାନ୍ତି। ଚଳିତ ବର୍ଷ ମଧ୍ୟ କମ୍‌ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଚାଷୀମାନେ ବୀମା କରିଛନ୍ତି। ହେଲେ କିଛି ଚାଷୀଙ୍କ ଜମିକୁ ଦର୍ଶାଇ ଅନ୍ୟ କେହି ନକଲି ଚାଷୀ ବୀମା କରାଇ ନେଇଥିବା ସୂଚନା ମିଳିଛି। ଏନେଇ ଚାଷୀମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ, କିଛିଦିନ ତଳେ ବ୍ଲକ ଅଞ୍ଚଳର କିଛି ଚାଷୀ ବ୍ୟାଙ୍କକୁ ଯାଇ ଫସଲ ବୀମା କରିବା ସମ୍ବନ୍ଧରେ ପଚାରିଥିଲେ। ଶାଖା ପରିଚାଳକ ତଥ୍ୟ ଖୋଜି ସେମାନଙ୍କ ଜମିର ବୀମା ହୋଇ ସାରିଥିବା ପ୍ରକାଶ କରିଥିଲେ। ଏଥିରେ ସଂପୃକ୍ତ ଚାଷୀମାନେ ଚକିତ ହୋଇଯାଇଥିଲେ। ସେମାନଙ୍କ ଜମିରେ ଆଉ କିଏ ବୀମା କଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଗତ ତିନିବର୍ଷ ହେଲା ହୋଇଆସୁଛି। କେହିଜଣେ ଦୁର୍ବୃତ୍ତ ନର୍ଲା ଅଞ୍ଚଳର ଚାଷୀଙ୍କ ଫସଲ ବୀମା କରି ନିଜ ବ୍ୟାଙ୍କ ଆକାଉଣ୍ଟ ଦେଇ ଭଲ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ରୁପ୍ରାରୋଡ଼ ପଞ୍ଚାୟତ ଧରଣୀପଦର ଗ୍ରାମର ଚାଷୀ ରଜନୀ ସା ରବିବାର ଏନେଇ ନର୍ଲା ଥାନାରେ ଏତଲା ଦେଇଛନ୍ତି। ସେହିଭଳି ଶ୍ରୀପୁରର ଚାଷୀ ମିତ୍ରସେନ ପଧାନ ପଲମ ଫାଣ୍ଡିରେ ତାଙ୍କ ୧.୮ ଏକର ଜମିର କିଏ ଜଣେ ଅଜଣା ବ୍ୟକ୍ତି ଫସଲ ବୀମା କରିଥିବା ନେଇ ଏତଲା ଦେଇଥିବା ସୂଚନା ମିଳିଛି। ସେହିପରି ଗିଗିନା ପଞ୍ଚାୟତ ଅନ୍ତର୍ଗତ ଶ୍ରୀପୁର ଗ୍ରାମର ୫ ଜଣ, ଘଣ୍ଟମାଳ, ଗାଡ଼େବନ୍ଧ ଆଦି ଗ୍ରାମର ମୋଟ ୬୦ରୁ ଅଧିକ ଚାଷୀଙ୍କ ଜମିର ଫସଲ ବୀମା କେହି ଜଣେ ଦୁର୍ବୃତ୍ତ କରିସାରିଥିବାରୁ ଚାଷୀ ମହଲରେ ଛନକା ପଶିଛି। ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe