ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଫ୍ୟାକ୍ଟ୍ରି

Advertisment

ବିପୁଳ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ ଜବତ

ବିପୁଳ ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ ଜବତ

ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଫ୍ୟାକ୍ଟ୍ରି

ପ୍ୟାକିଂ ମେସିନ୍‌, କଞ୍ଚାମାଲ୍‌, ଲେବଲ୍‌ ମିଳିଲା
ନମୁନା ପରୀକ୍ଷା ପାଇଁ ଗଲା, ତିନି ଅଟକ

ବ୍ରହ୍ମପୁର : ବ୍ରହ୍ମପୁର ସହର ଏବେ ଭେଜାଲ୍‌ ସାମଗ୍ରୀର ଭଣ୍ଡାର ପାଲଟିଛି। ଏଠାରେ ଚାଲିଛି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା। ସହରରେ ନକଲି ଇଂଜିନ୍‌ ଅଏଲ୍‌ ଠାରୁ ଆରମ୍ଭ କରି ଭେଜାଲ୍‌ ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, ପ୍ୟାକେଜିଂ ଓ କାରବାର କିଛି ନୂଆ କଥା ନୁହେଁ। ବିଗତ ବର୍ଷରେ ପୁଲିସ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ କରିଥିଲା। ଏବେ ‌ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ପାଣ୍ଡବନଗରରୁ ଏଭଳି ଏକ ଖାଦ୍ୟ ଅପମିଶ୍ରଣ ଫ୍ୟାକ୍ଟି ଓ ଲକ୍ଷ୍ମୀନୃସିଂହ ସାହି ଏବଂ ରଜା ସାହିରେ ବିପୁଳ ଅପମିଶ୍ରିତ ମାଲ୍‌ ଗଚ୍ଛିତ ଥିବା ଗୋଦାମ ଠାବ କରିଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖିଛି।

ପାଣ୍ଡବନଗରସ୍ଥିତ ଏକ ଘରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ପ୍ରସ୍ତୁତ ଏବଂ ‌ପ୍ୟାକେଜିଂ ହେଉଥିଲା। ହଳଦୀ ଓ ଲଙ୍କାଗୁଣ୍ଡରେ ଖାଦ୍ୟ ଅନୁପଯୁକ୍ତ ଖୁଦଗୁଣ୍ଡ ମିଶାଇ ସେଥିରେ ରଙ୍ଗ ଦେଇ ଛୋଟଛୋଟ ପ୍ୟାକେଟ୍‌ ତିଆରି ହେଉଥିଲା। ଯାହାକି ୫ଟଙ୍କାରେ ବଜାରରେ ବିକ୍ରି କରାଯାଉଛି ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଲିଙ୍ଗା ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ତାଙ୍କର ବୟାନ୍‌କୁ ଭିତ୍ତିକରି ପୁଲିସ ଅନ୍ୟ ଦୁଇଟି ଅଞ୍ଚଳରୁ ଦୁଇଟି ମିଲ୍‌ ଓ ଗୋଦାମ ଠାବ କରିଛି। ସେହି ମିଲ୍‌ରେ ମଧ୍ୟ ଖାଦ୍ୟ ଅପମିଶ୍ରଣ କରାଯାଉଥିଲା ବୋଲି ଜଣାପଡ଼ିଛି। ସେଠାରୁ ୨ଜଣଙ୍କୁ ଆଣି ଅଟକ ରଖିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ବ୍ରହ୍ମପୁର ସହରରେ ବିଭିନ୍ନ ପ୍ରକାର ଭେଜାଲ୍‌ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ବିଶେଷକରି ହଳଦୀ, ଲଙ୍କାଗୁଣ୍ଡ, ମସଲା ଓ ଚା ପତିରେ ଏଭଳି ଅପମିଶ୍ରଣ ଅଭିଯୋଗ ଆସିଥିଲା। ସେ ନେଇ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ପାଣ୍ଡବ ନଗରରେ ଚଢ଼ାଉ କରିଥିଲା। ପାଣ୍ଡବନଗରସ୍ଥିତ ଉକ୍ତ ଘରେ ହଳଦୀ ଓ ଲଙ୍କାଗୁଣ୍ଡ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିଥିଲା। ଖୁଦଗୁଣ୍ଡ ମିଶ୍ରଣ କରାଯାଇ ୫ ଟଙ୍କିଆ ପ୍ୟାକେଟ୍‌ରେ ବିକ୍ରି କରାଯାଉଥିଲା‌। ବଜାରରୁ ସାଧାରଣ ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ଆଣି ସେଥିରେ ଖୁଦଗୁଣ୍ଡ ମିଶ୍ରଣ କରିବା ପରେ ଲଙ୍କା ପାଇଁ ଲାଲ୍‌ ଓ ହଳଦୀ ପାଇଁ ମାଟିଆ ରଙ୍ଗ ମିଶା ଯାଉଥିଲା। ଏହାପରେ ତାହା ପ୍ୟାକିଂ କରି ବଜାରକୁ ଛଡ଼ା ଯାଉଥିଲା। ଲୋକେ ଦୀର୍ଘଦିନ ହେଲା ଏଭଳି ବିଷ ଖାଦ୍ୟ ବ୍ୟବହାର କରି ଆସୁଥିଲେ। ରାୟପୁରରୁ ଚିଲି ପାଉଡର୍‌ ଲେଖା ହୋଇଥିବା ଏକ ନିର୍ଦ୍ଦି‌ଷ୍ଟ କମ୍ପାନି ନାଁ ଥିବା ପଲିଥିନ୍‌ରେ ତାହା ପ୍ୟାକିଂ କରାଯାଉଥିଲା। ପୁଲିସ ସେଠାରୁ ଦୁଇଟି ପ୍ୟାକିଂ ମେସିନ୍‌, ପଲିଥିନ୍‌ ଲେବଲ୍‌ ଓ ବିପୁଳ ପରିମାଣ କଞ୍ଚାମାଲ ଜବତ କରିଛି। ଲିଙ୍ଗାଙ୍କ ବୟାନ୍‌କୁ ଭିତ୍ତି କରି ପୁଲିସ ଲକ୍ଷ୍ମୀନୃସିଂହ ସାହି ଓ ରଜା ସାହିରେ ଚଢ଼ଉ କରିଥିଲା। ଦୁଇଟି ମିଲ୍‌ ଯାଞ୍ଚ ପରେ ସେଠାରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଲିଂ କରି ଅପମିଶ୍ରଣ କରାଯାଉଥିବା ଜଣାପଡ଼ିଥିଲା। ସେଠାରୁ ଶୁଖିଲା ଲଙ୍କା, ଲାଲ୍‌ ରଙ୍ଗ, ଖୁଦଗୁଣ୍ଡ, ଧନିଆ ଓ ଜିରାର କାଠିଗୁଣ୍ଡ ପ୍ରଭୃତି ଜବତ ହୋଇଥିଲା। ଜବତ ହୋଇଥିବା ସାମଗ୍ରୀର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଲଙ୍କାଗୁଣ୍ଡରେ ଖୁଦ ମିଶ୍ରଣ କରାଯାଉଥିବା ବେଳେ ମସଲା ପାଉଡର୍‌ରେ କାଠିଗୁଣ୍ଡ ମିଶା ଯାଉଥିବା ନେଇ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ଅଧିକ ଜେରା କରୁଛି। ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ଏଠାକୁ ଆସି ସାମଗ୍ରୀ ମିଲିଂ ପାଇଁ ଦେଉଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ମିଲ୍‌ରେ ସାମଗ୍ରୀ ମିଲିଂ କରି ବ୍ୟବସାୟୀମାନେ ତାହା ନେଇ ବିଭିନ୍ନ କମ୍ପାନି ନାଁରେ ପ୍ୟାକିଂ କରି ବଜାରକୁ ଛାଡ଼ୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe