ଶ୍ରୀମନ୍ଦିର କାର୍ଯ୍ୟାଳୟ ନାଁରେ ନକଲି ଚିଠି

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ମହାପ୍ରଭୁଙ୍କ ଜମି ହାତେଇବାକୁ ଷଡ଼୍‌ଯନ୍ତ୍ର
ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗ
ବାଲେଶ୍ବର ଜିଲ୍ଲାପାଳ, ତହସିଲଦାରଙ୍କୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ

ପୁରୀ, : ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଏକର ଏକର ମୂଲ୍ୟବାନ ଜମି ହାତେଇବାକୁ ହୋଇଛି ସାଂଘାତିକ ଷଡ୍‌ଯନ୍ତ୍ର। ଶ୍ରୀମନ୍ଦିର କାର୍ଯ୍ୟାଳୟ ନାଁରେ ବାଲେଶ୍ବର ଜିଲ୍ଲା ସୋର ତହସିଲଦାରଙ୍କୁ ହୋଇଛି ନକଲି ଚିଠି। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନ ସୋର ତହସିଲ ଅଞ୍ଚଳରେ ମହାପ୍ରଭୁଙ୍କ ନାମରେ ରହିଥିବା କିଛି ଜମିକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବା ଉଲ୍ଲେଖ ରହିଛି। ଗୋଟିଏ ନୁହେଁ, ଏଭଳି ତିନି ତିନିଟି ନକଲି ଚିଠି ସୋର ତହସିଲକୁ କରାଯାଇଛି। ସେ ପୁଣି ‌ଜନୈକ ପୂର୍ବତନ ପ୍ରଶାସକଙ୍କ ନାମରେ। କିଏ ଓ କିଭଳି ଏଭଳି ସାଂଘାତିକ ଷଡ଼୍‌ଯନ୍ତ୍ର କରିଛି, ତାହା ସ୍ପଷ୍ଟ ହୋଇ ନଥି‌‌ଲେ ବି ଏଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କିଛି ଅଧିକାରୀ ସଂପୃକ୍ତ ଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ଘଟଣାର ଖୋଳତାଡ଼ ପରେ ସମସ୍ତ ଚିଠି ନକଲି ଜଣାପଡ଼ିବାରୁ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି। ଅନ୍ୟପଟେ ସଂପୃକ୍ତ ବ୍ୟକ୍ତିମାନେ ସୁପ୍ରିମକୋର୍ଟଙ୍କ ଆଦେଶର ବି ଜାଲିଆତି କରିଥିବା ଅଭିଯୋଗ ଉଠିଛି।

ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ସୋର ତହସିଲ ଅଧୀନରେ ମହାପ୍ରଭୁଙ୍କ ନାମରେ ରହିଥିବା କେତେକ ଜମିର ରେକର୍ଡ ସଂଶୋଧନ ପାଇଁ ୨୦୨୦ ସେପ୍ଟେମ୍ବର ୧ରେ ଚିଠି ନଂ-୧୦୫୩୨, ୨୦୨୧ ଜାନୁଆରି ୫ରେ ଚିଠି ନଂ-୧୩୬ ଓ ୨୦୨୧ ଜାନୁଆରି ୧୭ରେ ଚିଠି ନଂ-୧୫୦୦ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସୋର ତହସିଲଦାରଙ୍କୁ ଚିଠି କରାଯାଇଥିଲା। ଯାହାର ନକଲ ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ବି ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସୋର ତହସିଲ ଅଧୀନ ରାଇପୁର, କମାଣପୁର, ଶିରାପୁର ଓ ବ୍ରହ୍ମପୁର ମୌଜାର ରେକର୍ଡ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମିକୁ ଦଖଲରେ ଥିବା ପ୍ରଜାଙ୍କ ନାମରେ ସ୍ଥିତିବାନ ସ୍ବତ୍ତ୍ବରେ ରେକର୍ଡ କରାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଓ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଏହି ସଂଶୋଧନ କରାଯାଇଛି। ଏଣୁ ମହାପ୍ରଭୁଙ୍କ ଏହି ଜମିର ଖାତା ଓ ପ୍ଲଟଗୁଡ଼ିକୁ ସଂଶୋଧନ କରି ତଫସିଲଭୁକ୍ତ ପ୍ରଜାଙ୍କ ନାମରେ ସ୍ଥିତିବାନ ସୂତ୍ରରେ ରେକର୍ଡ ସଂଶୋଧନ କରିବାକୁ ଚିଠି ମାଧ୍ୟମରେ କୁହାଯାଇଛି।

ବାରମ୍ବାର ଏଭଳି ଚିଠି ପରେ ବି ତହସିଲ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଂପୃକ୍ତ ଅଭିଯୁକ୍ତମାନେ ପୁଣି ଚିଠି ସହ ସୋର ତହସିଲଦାରଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ। ତାହା ସନ୍ଦେହ ବଢ଼ାଇଥିଲା। ଏଣୁ ଗତ ୧୬ ତାରିଖରେ ସୋର ତହସିଲଦାର ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ଚିଠି ସତ କି ମିଛ ଜାଣିବାକୁ ଚେଷ୍ଟା କରିଥିଲେ। ଖୋଳତାଡ଼ ପରେ ଏହି ଚିଠି ସବୁ ନକଲି ବୋଲି ଜଣାପଡ଼ିଥିଲା। ସଂପୃକ୍ତ ବ୍ୟକ୍ତିମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ୟାଡ୍‌ର ନକଲ କରି ଏଥିରେ ନକଲି ଚିଠି ନମ୍ବର ପକାଇଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅଦ୍ୟାବଧି ୯୩୬୦ଟି ଚିଠି ବିଭିନ୍ନ କାର୍ଯ୍ୟାଳୟ, ନିଯୋଗ ଓ ଅନ୍ୟମାନଙ୍କୁ କରାଯାଇଥିବାବେଳେ ୨୦୨୦ରେ ପ୍ରେରିତ ଚିଠିର ନମ୍ବର ୧୦୫୩୨ ରହିଥିଲା। ଚିଠି ସବୁ ନକଲି ବୋଲି ଜଣାପଡ଼ିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆଜି ସଂଧ୍ୟାରେ ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସୋର ତହସିଲଦାରଙ୍କୁ ପୁନର୍ବାର ଆଉ ଏକ ଚିଠି କରାଯାଇଛି। ଉପରୋକ୍ତ ସମସ୍ତ ଚିଠି ଓ ମାନ୍ୟବର କୋର୍ଟଙ୍କ ଆଦେଶ ମିଛ ଏବଂ ଏହାକୁ ଗ୍ରହଣ ନ କରିବାକୁ କୁହାଯାଇଛି। ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe