ରାୟଗଡ଼ାରେ ନକଲି ନୋଟ କାରବାର ରାକେଟ ସକ୍ରିୟ, ଖୁଚୁରା ବ୍ୟବସାୟୀଙ୍କୁ ଟାର୍ଗେଟ

ରାୟଗଡ଼ାରେ ନକଲି ନୋଟ କାରବାର ରାକେଟ ସକ୍ରିୟ, ଖୁଚୁରା ବ୍ୟବସାୟୀଙ୍କୁ ଟାର୍ଗେଟ

ରାୟଗଡ଼ା : ରାୟଗଡ଼ାରେ ନକଲି ନୋଟ କାରବାର ରାକେଟ ପୁଣି ଥରେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଆଜି ଦୈନିକ ବଜାର ରାସ୍ତାକଡରେ କାଙ୍କଡ଼ ବିକ୍ରି କରୁଥିବା ଆଦିବାସୀ ମହିଳା କାଡ୍ରାକା ରାଜେ ଏଥିରେ ଠକାମିର ଶିକାର ହୋଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ କୋଲନରା ବ୍ଲକ ଡୁ଼ମୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିକାଙ୍କୁବାଡ଼ି ଗ୍ରାମର କାଡ୍ରାକା ରାଜେ କାଙ୍କଡ ଆଣି ସ୍ଥାନୀୟ ଦୈନିକ ବଜାର ରାସ୍ତାକଡରେ ବିକ୍ରି କରୁଥିଲେ। କେହି ଜଣେ ଅଜଣା ବ୍ୟକ୍ତି ମହିଳାଙ୍କ ନିକଟରୁ ୧ କିଲୋ କାଙ୍କଡ଼ କିଣି ୫ଶହ ଟଙ୍କିଆ ନୋଟ ଦେଇଥିଲା। ଏହାପରେ ଖୁଚୁରା ଧରି ସେଠାରୁ ଚାଲିଯାଇଥିଲା। ଏହାର କିଛି ସମୟ ପରେ ମହିଳା ରାଜେ ଉକ୍ତ ୫ଶହ ଟଙ୍କିଆ ନୋଟ ଆଉ ଜଣଙ୍କୁ ଦେଖାଇବାରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ତେବେ ଏହା ଲୋକଲଚନକୁ ଆସିବା ପରେ ବଜାରରେ ଆଉ କିଛି ବ୍ୟବସାୟୀ ମଧ୍ୟ ନକଲି ନୋଟ ଠକାମିରେ ଶିକାର ହୋଇଥିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ତେବେ ମହିଳା ଜଣକ ନକଲି ୫ଶହ ଟଙ୍କିଆ ନୋଟ ଧରି କଣ କରିବ ବୁଝି ପାରୁନଥିଲା। କାଙ୍କଡ଼ ବିକ୍ରୀ କରି ଲାଭ ପାଇବା ବଦଳରେ କ୍ଷତି ସହିବାକୁ ପଡ଼ିଥିଲା। ତେଣୁ ଜନସାଧାରଣ ଏଥିପ୍ରତି ସଚେତନ ରହି ଜାଲ ନୋଟ ସଂପର୍କରେ ସୂଚନା ପାଇବା ମାତ୍ରେ ନିକଟସ୍ଥ ପୁଲିସ ଥାନାକୁ ଜଣାଇବାକୁ ଏସଡ଼ିପିଓ ରାଜ କିଶୋର ଦାଶ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟଯେ ଗତ ମାର୍ଚ୍ଚ ୩୦ ତାରିଖରେ ଚାନ୍ଦିଲି ପୁଲିସ ଜାଲ ନୋଟ କାରବାରରେ ଲିପ୍ତ ୪ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଏହି ଚେର କୋଲନରା ଭାୟା ଗୁଣପୁର, ପୁଟାସିଂ ଦେଇ ଗଜପତି ଜିଲ୍ଲାର ଗୁମ୍ମା ଅଞ୍ଚଳକୁ ଲମ୍ବିଥିଲା। ପୁଲିସ ଗୁମ୍ମା ଅଞ୍ଚଳରୁ ଜାଲ ନୋଟ ପ୍ରସ୍ତୁତ ପାଇଁ ବ୍ୟବହୃତ ଜେରକ୍ସ ମେସିନ, କଂପ୍ୟୁଟର ଏବଂ ଗିରଫ ବ୍ୟକ୍ତିଙ୍କ ନିକଟରୁ ୯ଟି ନକଲି ପାଞ୍ଚ ଶହ ଟଙ୍କା ନୋଟ ଏବଂ ୩ଟି ମୋବାଇଲ ଜବତ କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି ସେତେବେଳେ ମଧ୍ୟ ଜଣେ ବ୍ୟକ୍ତି ଜିନ୍ଦିଲିବାଡିରେ ଚୈତ୍ର ପର୍ବ ବେଳେ ଚାଟ ଦୋକାନିକୁ ଜାଲ ୫ଶହ ଟଙ୍କିଆ ଦେଇ ଖୁଚୁରା ମାଗିବା ବେଳେ ଧରାପଡ଼ିଥିଲା। ଏହାପରେ ଚାନ୍ଦିଲି ପୁଲିସ ରାକେଟର ପର୍ଦ୍ଦାଫାସ କରିଥିଲେ। ବର୍ତମାନ ପୁଣି ନକଲି ନୋଟ କାରବାର କରୁଥିବା ରାକେଟ ଜିଲ୍ଲାରେ ସକ୍ରିୟ ହୋଇ ଖୁଚୁରା ବ୍ୟବସାୟୀଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe