ଭୋଟ୍‌ ପାଇଁ ନକଲି ଭତ୍ତା!

Advertisment
ଭୋଟ୍‌ ପାଇଁ ନକଲି ଭତ୍ତା!

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ଶିଖରପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏପରିକି ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଜିକୁ ୯ ମାସ ହେବ ଯୋଗୀନାଥ ସ୍ୱାଇଁ(୬୫)ଙ୍କୁ ଭତ୍ତା ପ୍ରଦାନ କରି ଆସୁଥିଲେ। କିନ୍ତୁ ଗତ ସେପ୍ଟେମ୍ବର ମାସରେ ହିତାଧିକାରୀଙ୍କ ନାମରେ ଆଉ ଭତ୍ତା ଆସୁ ନାହିଁ ବୋଲି କହି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ଦାସ ଭତ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଦାସ ପୂର୍ବରୁ ମଧ୍ୟ ଗୋଟିଏ ମାସର ଭତ୍ତା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ପ୍ରଧାନ ୭ମାସ ଧରି ଭତ୍ତା ପ୍ରଦାନ କରି ଆସୁଥିଲେ। ତେଣୁ ପ୍ରଶାସନ ପକ୍ଷରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଦିଆଯାଇଥିବା ପରିଚୟ ପତ୍ର ନକଲି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ପଞ୍ଚାୟତ ନିର୍ବାଚନରେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଶାସକ ଦଳ ପାଇଁ ଏଭଳି ନକଲି ଭତ୍ତା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଏ ନେଇ ଖଣ୍ଡପଡ଼ାରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ସମ୍ପର୍କରେ ହିତାଧିକାରୀ ଜଣକ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ତିନି ଦିନ ତଳେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଦେଖିବାକୁ ମିଳିଛି। ତେବେ ପ୍ରଶ୍ନ ଉଠୁଛି ଶିଖରପୁର ପଞ୍ଚାୟତରେ ବିଜେଡି ସରପଞ୍ଚ ପ୍ରାର୍ଥୀ ନବ କିଶୋର ସାହୁ ତତ୍କାଳୀନ ବିଡିଓ ସିପ୍ରା ସେଠୀଙ୍କୁ ହାତ କରି ବିଜୟୀ ସରପଞ୍ଚ ପ୍ରାର୍ଥୀ ଭିକାରୀ ଚରଣ ସାହୁଙ୍କୁ ନିର୍ବାଚନରେ ଅନିୟମିତତା କରି ହରାଇଥିବା ନେଇ ଏକ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି। ଏହି ପରି ମଧ୍ୟ କିଆଝର ପଞ୍ଚାୟତରେ ପକ୍କା ଘର ଓ ଭତ୍ତା ନିମନ୍ତେ କିଛି ନକଲି କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଅନୁଦାନ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ଆସିଛି। ଫଳରେ ଭୋଟ୍‌ ପାଇଁ ନକଲି ଭତ୍ତା ବଣ୍ଟନ ପ୍ରଶାସନ ଓ ସରକାରୀ ଦଳର ଅସଲି ମୁଖାକୁ ପଦାରେ ପକାଇ ଦେଇଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବିଡିଓ ରତନଲାଲ୍‌ ଲୋହରାଙ୍କୁ ପଚାରିବାରୁ ଅନୁଧ୍ୟାନ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe