ବଢ଼ି ଚାଲିଛି ନକଲି ସସ୍ କାରଖାନା ସଂଖ୍ୟା, କାର୍ଯ୍ୟାନୁଷ୍ଠାନ ନାହିଁ

ବଢ଼ି ଚାଲିଛି ନକଲି ସସ୍ କାରଖାନା ସଂଖ୍ୟା, କାର୍ଯ୍ୟାନୁଷ୍ଠାନ ନାହିଁ

ରାଉରକେଲା: ଫାଷ୍ଟଫୁଡ଼୍ ଦୋକାନରେ ଖାଦ୍ୟ ନାଁରେ ପରସା ଯାଉଛି ବିଷ। କମ୍ ଦାମରେ ଦାମୀ କମ୍ପାନୀର ଷ୍ଟିକର ଲଗାଇ ବଜାରକୁ ଆସୁଛି ଭେଜାଲ ସସ୍। ସହରର ଅଧିକାଂଶ ଫାଷ୍ଟଫୁଡ଼୍ ଦୋକାନରେ ବ୍ୟବହାର ହେଉଛି ଭେଜାଲ ସସ୍। କିଛି ମାସ ପୂର୍ବରୁ ରାଉରକେଲା ସମେତ ନିକଟ ଅଞ୍ଚଳରେ ଭେଜାଲ ସସ୍ ତିଆରି ହେଉଥିବାର ଅନେକ ଉଦାହରଣ ରହିଛି। ଏନେଇ କିଛି ଦିନ ଧରପଗଡ଼୍ ମଧ୍ୟ ହୋଇଥିଲା। ପରେ ଏହି ଧରପଗଡ଼୍ ଶୀତଳ ପଡ଼ିଯାଇଛି। ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ସହରର ବିଭିନ୍ନ ସ୍ଥାନକୁ ଯାଇ ଫାଷ୍ଟଫୁଡ଼୍ ଦୋକାନ ଉପରେ ଚଢ଼ାଉ କରୁଛନ୍ତି।

ସୋସିଆଲ୍ ମିଡ଼ିଆରେ ଏହାର ପ୍ରାଚାର ପ୍ରାସର ମଧ୍ୟ ଜୋରସୋର୍ ହେଉଛି। ହେଲେ ଭେଜାଲ ସସ୍ କାରଖାନା ସହରରେ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମଧ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ଅଭିଯୋଗ ହେଉଛି।ସୂଚନା ଅନୁଯାୟୀ, ରାଉରକେଲା ସହରରେ ୧୦ରୁ ଅଧିକ ଜାଗାରେ ଚାଲିଛି ଭେଜାଲ୍‌ ସସ୍‌ ତିଆରି କାରଖାନା। ରେଲଓ୍ବେ କଲୋନି, ମଧୁସୂଦନପାଲ୍ଲୀ, ଗୋପବନ୍ଧୁପାଲ୍ଲୀ, ସେକ୍ଟର-୧୮, ବନ୍ଧମୁଣ୍ଡା, ଜଳଦା, ବାଲୁଘାଟ, ବେଦବ୍ୟାସ, ଜଗଦା ରେଡ଼ିଓ ଷ୍ଟେସନରେ ଥିବା ନିକଟ ଅଞ୍ଚଳ, ଆରଡ଼ିଏ ବିଲ୍ଡିଂ ପଛରେ ଥିବା ବସ୍ତି ଆଦି ସ୍ଥାନରେ ତିଆରି ହେଉଛି ଭେଜାଲ ସସ୍। ପ୍ରତିଦିନ ରାଉରକେଲାରେ ୧୦ରୁ ୧୫ କ୍ବିଣ୍ଟାଲ ଭେଜାଲ୍‌ ସସ୍‌ ଫାଷ୍ଟଫୁଡ୍‌ ଦୋକାନ, ଛୋଟ ହୋଟେଲ ଓ ଢ଼ାବାଗୁଡ଼ିକରେ ବ୍ୟବହାର ହେଉଛି।

କବାଡ଼ିଆ ବ୍ୟବସାୟୀଙ୍କ ଠାରୁ ସସ୍ ବୋତଲ ନେଇ ଦାମୀ କମ୍ପାନୀର ଷ୍ଟିକର ମାରି ବଜାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ସେହି ସସ୍ ଏବେ ବଜାରରେ ବହୁଳ ମାତ୍ରାରେ ବିକ୍ରି ହେଉଛି। ମଞ୍ଚୁରିଆନ୍‌, ଚାଉମିନ୍‌, ଅଣ୍ଡା, ଚିକେନ୍ ରୋଲ୍‌, ଏଗ୍‌ ରୋଲ୍‌, ଚିକେନ୍‌ ଚିଲ୍ଲି, ଅଣ୍ଡା ଚପ୍, ଚିଙ୍ଗୁଡ଼ି ଚପ୍ ଆଦି ଫାଷ୍ଟଫୁଡ଼୍ ଆଇଟମରେ ବହୁଳ ମାତ୍ରାରେ ଭେଜାଲ ସସ୍ ବ୍ୟବହାର ହେଉଛି। ଟମ‌ୋଟା ଓ ଚିଲ୍ଲି ସସ୍‌ରେ ତିଆରି ଯେଉଁ ସବୁ ସାମଗ୍ରୀ ବ୍ୟବହାର କରା ଯାଉଛି, ତାହା ଦେଖିଲେ ଖାଇ ହେବନି। ବଜାରରୁ ସ୍ବଳ୍ପ ଦରରେ ପଚାସଢ଼ା ପନିପରିବା ନେଇ ଭେଜାଲ ସସ୍‌ ତିଆରି ହେଉଛି। ଟମାଟୋ ସସ୍‌ରେ ଟମାଟୋ ପରିବର୍ତ୍ତେ ପଚା କଖାରୁ, ଆଳୁ, ଅମୃତଭଣ୍ଡା, ଲାଉ ବ୍ୟବହାର ହେଉଛି। ଚିଲ୍ଲି ସସ୍‌ରେ ପଚା କଖାରୁ, ଲାଉ ଓ କଞ୍ଚା ଲଙ୍କା ଆଦି ବ୍ୟବହାର କରାଯାଉଛି। ସେଥିରେ ଫ୍ଲେବର ମିଶାଯାଇ ଗ୍ରାହକମାନଙ୍କୁ ବିକ୍ରି କରାଯାଉଛି। ଦାମୀ କମ୍ପାନୀର ସମ୍ ମୂଲ୍ୟ ୧୦୦ରୁ ୩୦୦ ଟଙ୍କାରେ ବଜାରରେ ମିଳୁଛି। ସେହି ସମାନ ବୋତଲ ସାଙ୍ଗକୁ ଦାମୀ କମ୍ପାନୀର ସସ୍ ଷ୍ଟିକର ଲଗାଯାଇ ୨୦ରୁ ୩୫ ଟଙ୍କାରେ ଭେଜାଲ ସସ୍ ବଜାରରେ ମିଳୁଛି। ଫାଷ୍ଟଫୁଡ଼୍ ବ୍ୟବସାୟୀମାନେ କମ୍ ମୂଲ୍ୟରେ ସସ୍ କିଣି ଅଧିକ ଲାଭବାନ୍ ମଧ୍ୟ ହେଉଛନ୍ତି। ଭେଜାଲ ସସ୍ ପାଇଁ ଲୋକଙ୍କ ମନରେ ଭୟ ଥିଲେ ମଧ୍ୟ ଫାଷ୍ଟଫୁଡ଼୍ ବ୍ୟବସାୟୀମାନେ ଦାମୀ କମ୍ପାନୀର ଷ୍ଟିକର ଦେଖାଇ ଗ୍ରାହକମାନଙ୍କୁ ବୁଝାଇ ଦେଉଛନ୍ତି।

ରାଉରକେଲା ସରକାରୀ ଡାକ୍ତରଖାନର ଜଣେ ବରିଷ୍ଠ ଡାକ୍ତର କହିବା ଅନୁଯାୟୀ, ସହରରେ ଏବେ ମାଳମାଳ ହୋଇ ଭେଜାଲ ସସ୍ ବିକ୍ରି ହେଉଛି। ସେହି ସସ୍ ଗୁଡ଼ିକ ୧୦ରୁ ୧୫ ଦିନ ରଖିଲେ ବିଷ ହୋଇଯିବାର ସମ୍ଭାବନା ରହିଛି। ଏହାକୁ ଖାଇଲେ ଖାଦ୍ୟ ହଜାମ ନହେବା, ଗ୍ୟାସ, ପେଟ ବଥା ଆସି ସମସ୍ୟା ସୃଷ୍ଟି ହୋଇଥାଏ। ଏପରି କି କ୍ୟାନସର ମଧ୍ୟ ହେବାର ସମ୍ଭାବନା ରହିଛି। ରାସ୍ତା କଡ଼ ଖାଦ୍ୟଠାରୁ ଦୂରେଇ ରହିବା ସବୁଠୁ ଭଲ। ନିଜ ନାମକୁ ଗୋପନ ରଖି ଜଣେ ଫାଷ୍ଟଫୁଡ଼୍ ବ୍ୟବସାୟୀ କହିଲେ, ଭଲ କମ୍ପାନୀର ସସ୍ କିଣିଲେ ୨୦୦ରୁ ୩୦୦ ଟଙ୍କାରେ ପଡ଼ୁଛି। ସେହି ସମାନ ବୋତଲ ଓ ଷ୍ଟିକରର ସସ୍ ୨୫ରୁ ୩୦ ଟଙ୍କାରେ ମିଳୁଛି। ଆମେ ସେହି ସସ୍ ଆଣିଲେ ଅଧିକ ଲାଭ ମିଳୁଛି। ମୁଖ୍ୟ କଥା ହେଉଛି, ଭଲ କମ୍ପାନୀର ସସ୍ ଅପେକ୍ଷା ଭେଜାଲ ସସ୍ ସ୍ବାଦକୁ ଗ୍ରାହାକ ଅଧିକ ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe