ନକଲି ଶିକ୍ଷକ, ନକଲି ବର!

Advertisment

ବାହାବେଦିରୁ ବନ୍ଧା ହେଲେ, ନକଲି ସୁନା ଗହଣା ବି ଜବତ

ବାହାବେଦିରୁ ବନ୍ଧା ହେଲେ, ନକଲି ସୁନା ଗହଣା ବି ଜବତ

ନକଲି ଶିକ୍ଷକ, ନକଲି ବର!

କଣ୍ଟାବାଞ୍ଜି: ଜଣେ ଯୁବକ ନିଜକୁ ପ୍ରଧାନ ଶିକ୍ଷକ ବୋଲି ପରିଚୟ ଦେଇ ବିବାହ ହେଉଥିବାବେଳେ ବାହାବେଦିରୁ ଗିରଫ ହେବା ଘଟଣା ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ତାଙ୍କ ନିକଟରୁ ନକଲି ସୁନା ଗହଣା ଓ ନକଲି ଶିକ୍ଷକ ଆଇଡି କାର୍ଡ ଜବତ କରିଛି। ଯୁବକ ଜଣକ ପୁଲିସକୁ ତାଙ୍କ ନାଁ ଲକ୍ଷ୍ମୀକାନ୍ତ ତ୍ରିପାଠୀ ବୋଲି କହିଛି। କିନ୍ତୁ ଆଧାର କାର୍ଡରେ ଲକ୍ଷ୍ମୀକାନ୍ତ ତିୱାରୀ ରହିଛି। ତେବେ ସେ ଝିଅ ଘରକୁ ତା ନାଁ ପ୍ରକାଶ ସାହୁ ବୋଲି କହିଥିବା ଜଣାଯାଇଛି।

ସୂଚନା ଅନୁସାରେ, ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ଖଗସା ପଂଚାୟତର ସାଲେପଡା ଗାଁର ଜଣେ ୪୩ ବର୍ଷୀୟ ଯୁବକ ନିଜକୁ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକର ପରିଚୟ ଦେଇ ଗତ ୩ ବର୍ଷ କାଳ କଂଟାବାଞ୍ଜି ଥାନା ଅଂଚଳର ଚାଉଳସୁଖା ଗ୍ରାମର ଜଣେ ଝିଅକୁ ବିବାହର ପ୍ରସ୍ତାବ ଦେଇ ତାଙ୍କ ଘର ସହିତ ସଂପର୍କ ରଖି ଆସିଥିଲେ। ସେ କଳାହାଣ୍ଡି ଜିଲ୍ଲା କୋକସରାର ବେହେରା ଗାଁ ବୋଲି କହିଥିଲେ। ପରେ ସଂପୃକ୍ତ ଯୁବକ ଜଣକ ଝିଅ ଘରର ଲୋକଙ୍କୁ ନେଇ ବେହେରା ଗାଁରେ ପଂହଚି ଜଣେ ବ୍ୟକ୍ତିଙ୍କ କୋଠା ଘରକୁ ମୋର ଘର ବୋଲି କହି ସେଠାରେ ଖାଇବା ଦେବା ସହ ସେଠାରେ ମଧ୍ୟ ଝିଅର ଘର ଲୋକଙ୍କୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ପରେ ଝିଅଘର ଲୋକ ବିବାହ ପ୍ରସ୍ତାବ ପାଇଁ ରାଜି ହୋଇଥିଲେ। ପୁଅ ଓ ଝିଅ ଘର ମଧ୍ୟରେ ବାହାଘର ପାଇଁ ଯାନିଯୌତୁକ କଥାବାର୍ତ୍ତା ମଧ୍ୟ ଛିଣ୍ଡି ଥିଲା।

ସୋମବାର ବିବାହ ପାଇଁ ଦିନ ଧାର୍ଯ୍ୟ ‌ହୋଇଥିଲା। ବରର କଥା ଅନୁସାରେ ଝିଅ ଘର ଲୋକ ୧୫୦ ଜଣ ବରଯାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ। ଯୁବକ ଜଣକ ବରବେଶରେ ସଜାଇ ହୋଇ ୪ ଜଣ ବାଜାବାଲାଙ୍କୁ ଧରି ଏକ ସୁସଜ୍ଜିତ କାର୍‌ରେ ସୋମବାର ରାତିରେ ଚାଉଳଶୁଖା ଗାଁକୁ ପହଞ୍ଚି ଥିଲେ। ବାଜାବାଲାଙ୍କ ବ୍ୟତୀତ ଆଉ କେହି ଲୋକ ଆସିନଥିବାରୁ ଝିଅ ଘର ଲୋକେ ସନ୍ଦେହ କରିଥିଲେ। ତେବେ କୌଣସି କାରଣରୁ ବାପା ଓ ସମ୍ପର୍କୀୟ ଆସି ନଥିବା ଓ ତୁରନ୍ତ ବିବାହ କାର୍ଯ୍ୟ ସାରିବାକୁ ଯୁବକ ଜଣକ କହିଥିଲେ। ତେବେ ଝିଅ ଘର ଲୋକ ସୁନାଗହଣା କଥା କହିବାରୁ ସେ ୬ ଭରି ଅଳଙ୍କାର ଆଣିଥିବା କହି ବାହାରି କରିଥିଲେ। ତେବେ ସେସବୁ ନକଲି ଥିବା ଝିଅର ଘର ଜାଣିବାକୁ ପାଇଥିଲେ। ଯୁବକ ଜଣକ ଠକ ବୋଲି ସନ୍ଦେହ ହୋଇଥିଲା। ଏହାକୁ ନେଇ ଚାଉଳସୁଖା ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଯୁବକଙ୍କୁ କାବୁ କରି ଏକ କୋଠରିରେ ବନ୍ଦ କରି କଂଟାବାଞ୍ଜି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଥିଲା। ଯୁବକ ଜଣକ ‌ପୂର୍ବରୁ ଝିଅର ମାଠାରୁ ୧୫ ହଜାର ଟଙ୍କା ମଧ୍ୟ ଠକି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe