ହରଭଙ୍ଗାରୁ ଧରାପଡ଼ିଲେ ଆଉଜଣେ ନକଲି ଶିକ୍ଷୟତ୍ରୀ; ଜାଲ୍‌ ଓଟିଇଟି ସାଟିର୍ଫିକେଟ ଦେଇ କରୁଥିଲେ ଚାକିରି

Advertisment
ହରଭଙ୍ଗାରୁ ଧରାପଡ଼ିଲେ ଆଉଜଣେ ନକଲି ଶିକ୍ଷୟତ୍ରୀ; ଜାଲ୍‌ ଓଟିଇଟି ସାଟିର୍ଫିକେଟ ଦେଇ କରୁଥିଲେ ଚାକିରି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରୁ ଆଉଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି। ଜାଲ୍‌ ଓଟିଇଟି ସାର୍ଟିଫିକେଟ ବଳରେ ସେ ଚାକିରି ହାତେଇଥିବା ଜଣାପଡ଼ିବା ପରେ ବ୍ଲକ ଶିକ୍ଷାଧିକାରୀ ଅଜୟ ଲୁହା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୁରୁଣାକଟକ ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଲାପୋଖରୀ ଗ୍ରାମର ଶିକ୍ଷୟିତ୍ରୀ କୁମୁଦିନୀ ପଣ୍ତା ହରଭଙ୍ଗା ବ୍ଲକ୍‌ ଆଡ଼େଣିଗଡ଼ ପଞ୍ଚାୟତ ରାଣୀଗଞ୍ଜ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୨ ମସିହାରେ ଶିକ୍ଷୟିତ୍ରୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ୨୦୧୯ ମସିହାରେ ଜାଲ୍‌ ଓଟିଇଟି ସାର୍ଟିଫିକେଟ ଆଧାରରେ ସେ ଚାକିରିରେ ନିୟମିତ ହୋଇଥିଲେ। ମାତ୍ର ତାଙ୍କର ଓଟିଇଟି ସାର୍ଟିଫିକେଟ ଯାଞ୍ଚ ପରେ ଜାଲ୍‌ଥିବା ଧରାପଡ଼ିଥିଲା।

ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡର ପରୀକ୍ଷା ନିୟନ୍ତ୍ରକ ଜିଲ୍ଲା ଶିକ୍ଷା ବିଭାଗକୁ ଶିକ୍ଷୟିତ୍ରୀ କୁମୁଦିନୀ ପଣ୍ତାଙ୍କ ଓଟିଇଟି ଶିକ୍ଷାଗତ ପ୍ରମାଣପତ୍ର ଜାଲ୍‌ ବୋଲି ରିପୋର୍ଟ ଦେବା ପରେ ବିଇଓ ଥାନାରେ ଏତଲା ଦେଇଥିଲେ। ସୂଚନାଥାଉ କି, ୨୦୨୧ରେ ହରଭଙ୍ଗା ବ୍ଲକ୍‌ରେ ଜାଲ୍‌ ଓଟିଇଟି ସାର୍ଟିଫିକେଟ ହାତେଇଥିବା ପ୍ରସଙ୍ଗରେ ବ୍ଲକ୍ ଶିକ୍ଷାଧିକାରୀ ୨୨ଜଣ ଠିକା ଗଣଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଜାଲ୍‌ ସାର୍ଟିଫିକେଟ ଗୁମର ସାମନାକୁ ଆସୁଥିବା ବେଳେ ଏହାର ଚେରକୁ ଖୋଜି ବାହାର କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ଏହାର ଖୋଳତାଡ଼ ହେବା ଜରୁରି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ସର୍ମ୍ପକରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୁହାଙ୍କୁ ପଚାରିବାରୁ ଥାନାରେ ଏତଲା ଦିଆଯାଇଛି, ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭାଗୀୟ ପ୍ରସିଡିଂ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe