ଦଣ୍ଡ ଦେଇ ଧରାପଡ଼ିଲେ ଭଣ୍ଡ, ୮ ବର୍ଷ ଧରି ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

Advertisment
ଦଣ୍ଡ ଦେଇ ଧରାପଡ଼ିଲେ ଭଣ୍ଡ, ୮ ବର୍ଷ ଧରି ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର : ସ୍କୁଲ୍‌ ଛାତ୍ରୀଙ୍କୁ ମାଡ଼ମାରି ଧରାପଡ଼ିଛନ୍ତି ଜଣେ ନକଲି ଶିକ୍ଷୟିତ୍ରୀ। ବଲାଙ୍ଗୀର ସହରର ଇଚ୍ଛାପଡ଼ା ପ୍ରାଥମିକ ସ୍କୁଲରୁ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଦଣ୍ଡମୁକ୍ତ ସ୍କୁଲରେ ଜଣେ ଛାତ୍ରୀଙ୍କୁ ନିର୍ଧୂମ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସାଇପଡ଼ିଶା ଅଭିଯୋଗ କଲେ। ଘଟଣାର ତଦନ୍ତ ପାଇଁ ସ୍କୁଲରେ ପହଞ୍ଚିଥିଲେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀ। ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଘଟଣା ସମ୍ପର୍କରେ ପଚରାଉଚୁରା କରି ତଦନ୍ତ ସମୟରେ ଜଣାପଡ଼ିଥିଲା ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଜଣକ ନକଲି।

ଘଟଣାଟି ଥିଲା ଏମିତି, ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ନିକି ବଗର୍ତ୍ତିଙ୍କୁ ସୋମବାର ସ୍କୁଲର ପାଠ ପଢ଼ାଉଥିବା ଦିଦି କ୍ଷୀରାଦ୍ରି ତନୟା ପୋଢ଼ ମାଡ଼ ମାରିଥିଲେ। ମାଡ଼ ଖାଇ ଛାତ୍ରୀର ପିଠି କ୍ଷତାକ୍ତ ହୋଇଥିଲା। ଏପରିକି ରକ୍ତ ବି ବାହାରିଥିଲା। ସୋମବାର ମାଡ଼ ଖାଇଥିଲେ ବି ଆଜିଯାଏ କଟା ଦାଗ ରହିଥିଲା। ହେଲେ, ମାଡ଼ ମାରି ଦିଦି ଧମକ ଦେଇଥିବାରୁ ଘରେ କିଛି କହିନଥିଲା ଛାତ୍ରୀ। ସାର୍ଟରେ ରକ୍ତ ଲାଗିଥିବା ଦେଖି ଝିଅକୁ ମା’ ସବୁକଥା ପଚାରି ବୁଝିଥିଲେ। ତା’ପରେ ସାଇପଡ଼ିଶା ସହିତ ସ୍କୁଲ୍‌ ଆସି ଶୁକ୍ରବାର ଅଭିଯୋଗ କରିଥିଲେ। ଖବର ପାଇ ସ୍କୁଲରେ ପହଞ୍ଚିଥିଲେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ଉତ୍ତମ ନାଏକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ। ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀଙ୍କୁ ଏକାଠି ଡାକି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଥିଲା ମାଡ଼ ମାରିଥିବା ଶିକ୍ଷୟିତ୍ରୀଙ୍କ ସ୍କୁଲର ଦଲିଲ ଦସ୍ତାବିଜରେ ନାଁ ଗନ୍ଧ ନାହିଁ। ଗତ ଆଠବର୍ଷ ଧରି ସ୍କୁଲ୍‌ରେ ପାଠ ପଢ଼ାଉଥିଲେ। ଗୋଟିଏ ଏନ୍‌ଜିଓ ତରଫରୁ କାମ କରୁଥିଲେ ବୋଲି ଜଣାପଡ଼ିଥିଲା। ଏକ ଏନ୍‌ଜିଓ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିଲେ, ବି କୌଣସି ପ୍ରାଶାସନିକ ବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନୁମତି ନଥିଲା। ଏପରିକି ସ୍କୁଲ୍‌ କମିଟି ବି ଜାଣିନଥିଲା। ଆଉ ଘଟଣା ଜଣାପଡ଼ିଲା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଉପସ୍ଥିତ ଥିବା ଏନ୍‌ଜିଓ ଅଧିକାରୀ ବିଷ୍ଣୁ ଗୋପାଳ ପାଣିଗ୍ରାହୀ।

ଛାତ୍ରଛାତ୍ରୀଙ୍କ ସହ ଏଭଳି କାରନାମାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି। ସେ କହିଛନ୍ତି, ଏହା ଏକ ଅପରାଧ। ବିଇଓଙ୍କୁ କାରଣଦର୍ଶାଅ ନୋଟିସ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ କହିଛନ୍ତି, ଶିଶୁଙ୍କୁ ସୁରକ୍ଷା ପ୍ରାଥମିକତା। ତେଣୁ ଏଭଳି ଘଟଣା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ଏଭଳି କାରନାମାକୁ ନେଇ ଆଶ୍ଚର୍ଯ୍ୟ ହେବା ସହିତ ନକଲି ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ଅଧିକାରୀଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe