ସାବଧାନ୍‌! ମାତିଲେଣି ସାଇବର ଠକ, ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ପାଇଁ ନକଲି ୱେବ୍‌ସାଇଟ୍‌

Advertisment
ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଭୁବନେଶ୍ବର : ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍ (ଏଚ୍‌ଏସ୍‌ଆରପି) ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍‌ ୧ରୁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତା (ଏସ୍‌ଆଇଏଏମ୍‌) ୱେବ୍‌ସାଇଟ୍‌ରେ ଗାଡ଼ି ମାଲିକମାନେ ନୂଆ ନମ୍ବର ପ୍ଲେଟ୍‌ ପାଇଁ ଆବେଦନ ଆରମ୍ଭ କରୁଛନ୍ତି। ତେବ‌େ ଏହାକୁ ଏକ ସୁଯୋଗ ଭାବି କିଛି ସାଇବର୍‌ ଠକ ସକ୍ରିୟ ହୋଇଯାଇଛନ୍ତି। ଲୋକଙ୍କୁ ଠକିବା ପାଇଁ ସେମାନେ ଜାଲ ବିଛାଇବା ଆରମ୍ଭ କରିଛନ୍ତି। ଏକ ନକଲି ୱେବସାଇଟ୍‌ ଖୋଲି ନମ୍ବର ପ୍ଲେଟ୍‌ ହୋମ୍‌ ଡେଲିଭରି ଦେବା ପାଇଁ କହୁଛନ୍ତି।

ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଗାଡ଼ି ମାଲିକଙ୍କୁ ସତର୍କ କରାଇଛି। ଓଡ଼ିଶାରେ ହୋମ୍‌ ଡେଲିଭରି ନାହିଁ ବୋଲି ସ୍ପଷ୍ଟ କରିବା ସହ ନକଲି ୱେବ୍‌ସାଇଟ୍‌କୁ ବ୍ୟବହାର ନ କରି କେବଳ ଅସଲି (www.siam.in) ୱେବ୍‌ସାଇଟ୍‌ ବ୍ୟବହାର କରିବାକୁ ଏସ୍‌ଟିଏ ପରାମର୍ଶ ଦେଇଛି।

ଏସ୍‌ଟିଏ ସୂଚନା ମୁତାବକ, www.siam.in କୁ ଯିବା ପରେ ନାମ, ଗାଡ଼ି ପଞ୍ଜୀକରଣ ନମ୍ବର, ରାଜ୍ୟର ନାମ, ଇ-ମେଲ୍ ଆଇଡି, ମୋବାଇଲ୍ ନମ୍ବର ଇତ୍ୟାଦି ପୂରଣ କରିବାକୁ ହେବ। ତା’ ପରେ ଜିଲ୍ଲା, ଯାନର ପ୍ରକାର ଓ ନିର୍ମାତାଙ୍କ ନାମ ବାଛିବାକୁ ହେବ। ଏହାସହ ଗାଡ଼ିର ଚେଚିସ୍‌ ଓ ଇଞ୍ଜିନ ନମ୍ବର ଲେଖିବାକୁ ହେବ। ପୋର୍ଟାଲଟି ସ୍ୱୟଂଚାଳିତ ଭାବରେ ବାହନରୁ ଗାଡ଼ି ସମ୍ବନ୍ଧରେ ସବିଶେଷ ତଥ୍ୟ ଯାଞ୍ଚ କରିବ। ଯଦି ଗାଡ଼ି ମାଲିକ ଦେଇଥିବା ତଥ୍ୟ ସଠିକ୍‌ ଥାଏ, ତେବେ ପୋର୍ଟାଲ ଆପେ ପେମେଣ୍ଟ ଓ ସ୍ଲଟ୍ ବୁକିଂ ମୋଡ୍‌କୁ ଚାଲିଯିବ। ସେଠାରେ ଡିଲର ବିବରଣୀ ସହ କେବେ ନମ୍ବର ପ୍ଲେଟ୍‌ ଫିଟ୍‌ ହେବ, ତାହା ଧାର୍ଯ୍ୟ ହେବ। ଏହା ପରେ ଦେୟ ଦାଖଲ ପାଇଁ ୟୁପିଆଇ, ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ବା କାର୍ଡ ଜରିଆରେ ଟଙ୍କା ପଇଠ ପାଇଁ ବିକଳ୍ପ ଆସିବ। ଦେୟ ଜମା ହେବା ପରେ ରସିଦ୍‌ ବି ମିଳିଯିବ। ତାହାକୁ ପ୍ରିଣ୍ଟ କରି ପ୍ରମାଣ ଭାବେ ରଖି ହେବ। ଏହି ରସିଦକୁ ଧରି ଧାର୍ଯ୍ୟ ତାରିଖରେ ମନୋନୀତ ଡିଲର ନିକଟରୁ ନମ୍ବର ପ୍ଲେଟ୍‌ ଆଣିବାକୁ ହେବ। ସେଠାରେ ଏଚ୍‌ଏସ୍‌ଆରପି ଗାଡ଼ିରେ ଫିଟ୍‌ ହେବା ପରେ ଗାଡ଼ିର ବିବରଣୀ ବାହନ ପୋର୍ଟାଲରେ ଅପ୍‌ଡେଟ୍‌ ହୋଇଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଗାଡ଼ି ମାଲିକ ଅନଲାଇନ୍‌ରେ ବୁକ୍‌ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe