Advertisment

ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ଫକୀରମୋହନ ଜାତୀୟ ପୁରସ୍କାର

Advertisment

କଥାକାର ଡ.ଗୌରହରି ଦାସ ଓ ଶିକ୍ଷାବିତ ପ୍ରଫେସର ସୁଦର୍ଶନ ନନ୍ଦ ପାଇବେ ‘ବ୍ୟାସଗୌରବ ସମ୍ମାନ’

କଥାକାର ଡ.ଗୌରହରି ଦାସ ଓ ଶିକ୍ଷାବିତ ପ୍ରଫେସର ସୁଦର୍ଶନ ନନ୍ଦ ପାଇବେ ‘ବ୍ୟାସଗୌରବ ସମ୍ମାନ’

ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ଫକୀରମୋହନ ଜାତୀୟ ପୁରସ୍କାର

ବାଲେଶ୍ବର : ସ୍ବନାମଧନ୍ୟା ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ୨୦୨୩ ପାଇଁ ‘ଫକୀରମୋହନ ଜାତୀୟ ପୁରସ୍କାର’ ନିମନ୍ତେ ମନୋନୀତ କରାଯାଇଛି। ସେହିପରି ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ.ଗୌରହରି ଦାସ ଓ ବିଶିଷ୍ଟ ଶିକ୍ଷାବିତ ସୁଦର୍ଶନ ନନ୍ଦଙ୍କୁ ଚଳିତବର୍ଷ ‘ବ୍ୟାସଗୌରବ ସମ୍ମାନ’ ପ୍ରଦାନ କରାଯିବ। ଏହି ୩ ଜଣ କୃତବିଦ୍ୟ ପ୍ରତିଭାଙ୍କୁ ଜୁଲାଇ ୧୧ ତାରିଖରେ ଫକୀରମୋହନ ବିଶ୍ବବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ହିନ୍ଦୀ ସାହିତ୍ୟରେ ଅଳକା ସରାୱଗୀ ଏକ ଜଣାଶୁଣା ନାମ। ତାଙ୍କର ପ୍ରଥମ ଉପନ୍ୟାସ ‘କଲିକଥା ଭାୟା ବାଇପାସ୍‌’କୁ ୨୦୦୧ ମସିହାରେ ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ‘କାହାଣୀ କି ତଲାସ୍‌ ମେଁ’, ‘ଶେଷ କାଦମ୍ବରୀ’, ‘କୋଇ ବାତ୍ ନେହିଁ’, ‘କୁଲ୍‌ଭୂଷଣ କା ନାମ୍ ଦର୍ଜ କିଜିଏ’, ‘ଜାନକୀ ଦାସ୍‌ ତେଜାଲ୍ ମେନ୍‌ସନ୍ ଆଦି ତାଙ୍କର ଉଲ୍ଲେଖନୀୟ ସାରସ୍ବତ କୃତି। ପୁରସ୍କାର ବାବଦରେ ଅଳକାଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ଏହି ପୁରସ୍କାର କଥା ସାହିତ୍ୟ ପାଇଁ ପ୍ରଦାନ କରାଯାଉଛି।

ବିଶ୍ବବିଦ୍ୟାଳୟ ତରଫରୁ ପ୍ରଦତ୍ତ ‘ବ୍ୟାସଗୌରବ ସମ୍ମାନ’ ଭଦ୍ରକ ଓ ବାଲେଶ୍ବରର ଦୁଇଜଣ କୃତୀ ସନ୍ତାନଙ୍କୁ ଦିଆଯାଇ ଆସୁଛି। ଚଳିତବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ କଥାକାର ଶ୍ରୀ ଦାସ ଓଡ଼ିଆ କଥାସାହିତ୍ୟ ଜଗତରେ ଏକ ପରିଚିତ ନାମ। ୫୦ରୁ ଅଧିକ ପୁସ୍ତକର ସ୍ରଷ୍ଟା ଡ.ଦାସ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ସମେତ ଅନେକ ସାରସ୍ବତ ସମ୍ମାନ ସ୍ବୀକୃତିପ୍ରାପ୍ତ ହୋଇଛନ୍ତି। ସେ ‘ସମ୍ବାଦ’ର ଫିଚର ସଂପାଦକ ଏବଂ ‘କଥା’ ପତ୍ରିକାର ସଂପାଦକ ଅଛନ୍ତି। ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ ଆଇଆଇଟି ଖଡ଼ଗପୁରରେ ଗଣିତ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରିବା ସହିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଦ୍ବାରା ରଚିତ ୨ ଶହରୁ ଅଧିକ ଗବେଷଣା ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରକାଶିତ ହୋଇଛି। ଉଭୟଙ୍କୁ ବ୍ୟାସଗୌରବ ସମ୍ମାନ ଅବକାଶରେ ମାନପତ୍ର ସହ ୨୫ ହଜାର ଟଙ୍କା ଲେଖା ଅର୍ଥରାଶି ପ୍ରଦାନ କରାଯିବ।

ସେହିପରି ଚଳିତବର୍ଷ ‘ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର’ (ଗାଳ୍ପିକା କବିତା ବାରିକ ପ୍ରଦତ୍ତ) ପାଇବେ ଯୁବ ଗାଳ୍ପିକ ସଞ୍ଜୟ ପଣ୍ତା। ତାଙ୍କ ଗଳ୍ପ ସଂକଳନ ‘ହୁ ବାଇଆ’ ଓ ‘ତକିଆ’କୁ ପୁରସ୍କାର ଲାଗି ଚୟନ କରାଯାଇଛି। ଏହାଛଡ଼ା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଶ୍ରେଷ୍ଠ ଗଳ୍ପକୁ ‘ମନୋଜ ନବପ୍ରତିଭା କଥା ପୁରସ୍କାର’ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe