ମଣିଷ ବିବର୍ତ୍ତନବାଦର ଚରମ ପ୍ରତିଶ୍ରୁତି: ରାଜ୍ୟପାଳ

Advertisment

ଫକୀରମୋହନ ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ଫକୀରମୋହନ ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ମଣିଷ ବିବର୍ତ୍ତନବାଦର ଚରମ ପ୍ରତିଶ୍ରୁତି: ରାଜ୍ୟପାଳ

ବାଲେଶ୍ବର : ମଣିଷ ବିବର୍ତ୍ତନବାଦର ଚରମ ପ୍ରତିଶ୍ରୁତି। ଶିକ୍ଷା, ସାଧନା ଓ ସ୍ୱାଭିମାନ ବଳରେ ସେ ଅତୁଳନୀୟ ଶକ୍ତି ଏବଂ ସାମର୍ଥ୍ୟର ଅଧିକାରୀ ହୋଇପାରିବ। ଭାରତବର୍ଷର ଇତିହାସ, ପୁରାଣ ଓ ଶାସ୍ତ୍ର ଆଦିରେ ବିଶ୍ୱକୁ ଦୃଷ୍ଟାନ୍ତ ଯୋଗାଇବା ଭଳି ଅନେକ କଥା ଲିପିବଦ୍ଧ ହୋଇଛି। ଏଗୁଡ଼ିକ ଶାଶ୍ବତ, ସୁନ୍ଦର ଓ ହିତକର ପରିବେଶରେ ବଞ୍ଚିବା ପାଇଁ ଭିତ୍ତିଭୂମି ପ୍ରଦାନ କରିଆସିଛି ଏବଂ ଏହା ହିଁ ଆମ ମୌଳିକ ଶିକ୍ଷାର ଆଧାର ହେବା ଉଚିତ। ଆଜି ଫକୀରମୋହନ ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ତଥା ପ୍ରାକ୍-ରୌପ୍ୟ ଜୟନ୍ତୀ ସମାରୋହ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଯୋଗଦେଇ ଏହା କହିଛନ୍ତି।

ଅନୁବାଦ ହିଁ ଗୋଟିଏ ଭାଷାର ସାହିତ୍ୟିକ ମୂଲ୍ୟକୁ ଅନ୍ୟ ଭାଷାରେ ଆଦୃତ କରାଇଥାଏ: ପେରୁମାଲ ମୁରଗାନ

ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ତାମିଲ ଭାଷାର ବିଶିଷ୍ଟ ସାହିତ୍ୟିକ ପେରୁମାଲ ମୁରଗାନ। ଓଡ଼ିଆ ଓ ତାମିଲ ଭାଷାର ସମ୍ପର୍କ ବିଷୟରେ ସଂକ୍ଷିପ୍ତ ପରିଚୟ ଦେଇ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ, ଭାରତୀୟ ହୋଇଥିଲେ ସୁଦ୍ଧା ବିଭିନ୍ନ ଭାରତୀୟ ଭାଷାରେ ସମସ୍ତେ ପାରଦର୍ଶୀ ହେବା ସମ୍ଭବ ନୁହେଁ। ଏପରି କ୍ଷେତ୍ରରେ ଅନୁବାଦ ହିଁ ଗୋଟିଏ ଭାଷାର ସାହିତ୍ୟିକ ମୂଲ୍ୟକୁ ଅନ୍ୟ ଭାଷା ନିକଟରେ ଆଦୃତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଭାରତବର୍ଷରେ ଜମିଦାରୀ ପ୍ରଥା ଲୋପ ପାଇଥିଲେ ହେଁ ସେ ଧରଣର ମାନସିକତା ଓ ପ୍ରଭାବ ଏବେ ବି କେଉଁଠି ନା କେଉଁଠି ସମାଜକୁ ନିୟନ୍ତ୍ରଣ କରୁଛି। ଊନବିଂଶ ଶତାବ୍ଦୀର ଆରମ୍ଭରେ ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ ଉପନ୍ୟାସ ରଚନା କରି ସାମାଜିକ ବାସ୍ତବତାର ସଦ୍ୟ ଓ ସତ୍ୟଶୀଳ ରୂପାୟିତ ହୋଇଥିଲା । ତାମିଲ ଭାଷା ସାହିତ୍ୟରେ ମଧ୍ୟ ଏହି ଭାବାଦର୍ଶ ଆଧାରିତ ଉପନ୍ୟାସ ରଚିତ ହୋଇଛି ବୋଲି କହି ତାର ତୁଳନାତ୍ମକ ଅଧ୍ୟୟନ ନୂତନ ସିଦ୍ଧାନ୍ତମୂଳକ ହୋଇପାରିବ ବୋଲି ଶ୍ରୀ ମୁରୁଗାନ ନିଜର ମତ ଉପସ୍ଥାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ,ବ‌ାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅବସସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ତଥା ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ସଂଜୀବ କୁମାର ହୋତା ଅତିଥି ଭ‌ାବେ ଯୋଗ ଦେଇଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ହାତରୁ ୨୦୨୧-୨୨ ବର୍ଷ ପାଇଁ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଗଜେନ୍ଦ୍ରପ୍ରସାଦ ସାହୁଙ୍କୁ ‘ବ୍ୟାସ ଗୌରବ ସମ୍ମାନ-୨୦୨୨’ ଏବଂ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଲାଭ କରିଥିବା ତାମିଲ ଭାଷାର ଲେଖକ ପେରୁମାଲ ମୁରୁଗାନ୍‌ଙ୍କୂ ‘ଫକୀରମୋହନ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯାଇଥିଲା। ଡା. ଦିଲ୍ଲୀପ କୁମାର ବେହେରାଙ୍କୁ ‘ଫକୀରମୋହନ ଯୁବ ଲେଖକ ସମ୍ମାନ-୨୦୨୨’ରେ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe