ଭୁବନେଶ୍ବର : ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ (ଆଇସିଆରଆଇଏସଏଟି)ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଓଡ଼ିଶାର ଖଣି ବହୁଳ ଅଞ୍ଚଳ ଗୁଡ଼ିକରେ ପୁରୁଣା ଖଣି ଓ ଖାଦାନ, ବର୍ତ୍ତମାନର ପାଉଁଶ ଗଦା ଏବଂ ପ୍ରଦୂଷଣ ଯୋଗୁଁ ବହୁ ଜମି ଯାହା ପୂର୍ବରୁ ଚାଷ ଉପଯୋଗୀ ଥିଲା ବର୍ତ୍ତମାନ ସମୟରେ ପତିତ ଜମିରେ ପରିବର୍ତ୍ତିତ ହୋଇଛି । ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ, କୃଷି ମନ୍ତ୍ରଣାଳୟ ତଥା ଆଇସିଆରଆଇଏସଏଟିର ଧ୍ୟାନ ଆକର୍ଷଣ କରିଥିଲେ। ପରୀକ୍ଷାମୂଳକ ଭାବେ ଏହି ଗବେଷଣା କେନ୍ଦ୍ର ଅନୁଗୋଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ନେଇ ଆଲୋଚନା ହୋଇଛି।
ଶ୍ରୀ ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ଏହି ବୈଠକରେ ଆଇସିଆରଆଇଏସଏଟି ଦ୍ୱାରା ବୈଜ୍ଞାନିକ ଉପାୟରେ ଚାଷ କାର୍ଯ୍ୟ କରିବା ଦିଗରେ ଏକ ପ୍ରେଜେଣ୍ଟେସନ ମଧ୍ୟ ଦିଆଯାଇଥିଲା। ଦୀର୍ଘ ଦିନର କୋଇଲା ଉତ୍ତୋଳନ ଏବଂ ବର୍ତମାନର ପାଉଁଶ ପୋଖରୀ ଜନିତ ପ୍ରଦୂଷଣର ସମସ୍ୟାକୁ ସମାଧାନ ସହ ଜମିକୁ ବର୍ତମାନ ଚାଷ ଉପଯୋଗୀ କରିବା ପାଇଁ ଏହି ପ୍ରକଳ୍ପ ଏକ ନୂତନ ପଦକ୍ଷେପ। ଏହାସହ ଚାଷ ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟର ବିକାଶ ତଥା ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ଚାଷୀଙ୍କ ସହ ବଜାର ସଂଯୋଗୀକରଣ, ଚାଷୀଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ(ଏଫ୍ପିଓ) ମାଧ୍ୟମରେ ଚାଷୀମାନଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ମଧ୍ୟ ଆଲୋଚନା ହୋଇଛି।
Follow Us