ଖସୁଛି ବାଲିମେଳା ଜଳଭଣ୍ଡାର ଜଳସ୍ତର: ମହଜୁଦ ଅଛି ୧୪୫୭ ଫୁଟ୍‌ ପାଣି

ଆନ୍ଧ୍ର ନେଉଛି ୨୫୯୭ କ୍ୟୁସେକ୍

ଖସୁଛି ବାଲିମେଳା ଜଳଭଣ୍ଡାର ଜଳସ୍ତର: ମହଜୁଦ ଅଛି ୧୪୫୭ ଫୁଟ୍‌ ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପାଣିପାଗ ବିଭାଗ ଓଡ଼ିଶାକୁ ମୌସୁମୀ ଛୁଇଁଲା ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାଲକାନଗିରିରେ ବର୍ଷାର ଦେଖାନାହିଁ। ଯାହାଫଳରେ ଜିଲ୍ଲାର ସବୁ ନଦୀନାଳ ଶୁଖି ଯାଉଥିବା ବେଳେ ବାଲିମେଳା ଜଳଭଣ୍ଡାର ମଧ୍ୟ ଶୁଷ୍କ ହେବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରରେ ୧୪୫୭ ଫୁଟ ପାଣି ରହିଛି। ଆଗକୁ ବଡ଼ବର୍ଷା ନହେଲେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ୍‌। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୪୫୭ ଫୁଟ୍‌ ରହିଛି। ବର୍ଷାର ଚିହ୍ନବର୍ଣ୍ଣ ନଥିବାରୁ ଜଳସ୍ତର ଆହୁରି କମିବାର ସମ୍ଭାବନା ରହିଛି। ତେବେ ବିଭାଗ ଜଳସ୍ତରକୁ ନେଇ ଆଦୌ ଚିନ୍ତିତ ନାହିଁ। ଜୁନ୍‌ ମାସରେ ଜଳସ୍ତର ୧୪୪୦ ଫୁଟ୍‌ ରହିଲେ କୌଣସି ସମସ୍ୟା ହେବ ନାହିଁ। ବର୍ତ୍ତମାନ ପ୍ରାୟ ୧୭ଫୁଟ୍‌ ଅଧିକ ପାଣି ରହିଛି, ଯାହା ଚଳିତବର୍ଷ ଜୁନ୍‌ ମାସରେ ସର୍ବୋଚ୍ଚ ଜଳସ୍ତର ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପ୍ରତି ୨୪ଘଣ୍ଟାରେ ଥରେ ଜଳଭଣ୍ଡାରରୁ ୫୪୮୫ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ‌ସେଥିରୁ ୨୫୭୯ କ୍ୟୁସେକ ପାଣି ଆନ୍ଧ୍ର ନେଉଛି। ଅନ୍ୟପଟେ ଜଳଭଣ୍ଡାରରେ ବିଭିନ୍ନ ଜଳ ଉତ୍ସରୁ ଆଦୌ ଜଳ ପ୍ରବେଶ କରୁନଥିବାରୁ ଏମିତି ପାଣି ନିଷ୍କାସିତ ହେଲେ ସ୍ଥିତି ବିଗିଡ଼ିବାକୁ ବେଶି ସମୟ ଲାଗିବ ନାହିଁ ବୋଲି କୁହାଯାଉଛି।

ଆନ୍ଧ୍ର ନେଉଥିବା ପାଣିରେ ତିନୋଟି ପ୍ରକଳ୍ପ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛି। ଗୋଟିଏ ସିଲେରୁରେ ଏବଂ ଅନ୍ୟ ଦୁଇଟି ପ୍ରକଳ୍ପ ଡଙ୍କରାଇରେ ରହିଛି। ସେହିପରି ଆନ୍ଧ୍ର ହଜାରହଜାର ହେକ୍ଟର ଜମିକୁ ଏହି ପାଣିରେ ହିଁ ଜଳ‌ସେଚିତ କରୁଛି। ଅନ୍ୟଦିଗରେ ଓଡ଼ିଶା ଭାଗରେ ପଡ଼ୁଥିବା ୨୯୦୬ କ୍ୟୁସେକ୍‌ ପାଣିକୁ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପରେ ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯାଉଛି। ଏହାପରେ ପାଣିକୁ ଗୋମ୍ଫାକୋଣ୍ଡା ମୁଖ୍ୟ କେନାଲ ଏବଂ ରାଇଟ କେନାଲରେ ଛଡ଼ାଯାଇ ପ୍ରାୟ ୬୧ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଉଛି। ତ‌େବେ ଅଧା ପାଣି ପୋଟେରୁ ଏବଂ ମୋଟୁ ଦେଇ ସାବେରୀ ନଦୀରେ ମିଶୁଛି। ଯେଉଁ ପାଣିକୁ ବ୍ୟବହାର କରାଯାଇ ପୋଟେରୁ ନିକଟରେ ବିଦ୍ୟୁତ ଉତ୍ପାଦନ କରାଯାଇ ପାରିବ। କିନ୍ତୁ ଏ ଦିଗରେ ଆଦୌ ଧ୍ୟାନ ଦିଆଯାଉନି। ଯାହାଫଳରେ ପାଣି ବ୍ୟବହାର ନହୋଇ ନଦୀରେ ମିଶୁଛି। ସୂଚନାଯୋଗ୍ୟ, ଗୋମ୍ଫାକୋଣ୍ଡା ଦେଇ ଯାଉଥିବା ପାଣିକୁ ବ୍ୟବହାର ଲାଗି ଗୋମ୍ଫାକୋଣ୍ଡାରେ କୋଟିକୋଟି ଟଙ୍କା ଖର୍ଚ୍ଚରେ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଯାହା ସଂପୂର୍ଣ୍ଣ ବିଫଳ ହୋଇଥିଲା। ନୂଆ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe