ନବ ଦାସ ହତ୍ୟା ଘଟଣା: ବିଜେପି ନେତା କହିଲେ- ଚାର୍ଜସିଟରେ ମିଛ କଥା ସବୁ ଲେଖିଛି କ୍ରାଇମ୍‌ବ୍ରାଞ୍ଚ

Advertisment
ନବ ଦାସ ହତ୍ୟା ଘଟଣା: ବିଜେପି ନେତା କହିଲେ- ଚାର୍ଜସିଟରେ ମିଛ କଥା ସବୁ ଲେଖିଛି କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କଲା ପରେ ବିଜେପି ଏନେଇ ପ୍ରତିକ୍ରିୟା ଦେଇଛି। ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ କରାଯାଇ ନାହିଁ । ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଏନେଇ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିନାହିଁ। ଚାର୍ଜସିଟରେ ମିଛ କଥା ସବୁ ଲେଖିଛି। କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ। ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି। ତାଙ୍କର ମାନସିକ ଭାରସାମ୍ୟ ସ୍ଥିର ଥିଲା ଏବଂ ସେ ଜଣେ କାର୍ଯ୍ୟରତ ପୁଲିସ ଥିଲେ। ଯଦି ପ୍ରି ପ୍ଲାନ୍ କରିଥିଲେ କେବେ ଓ କଣ ପାଇଁ କରିଥିଲେ? ନିଜ କ୍ୟାରିୟର ଓ ପରିବାରକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ? ସେ ଜଣେ ସୁସ୍ଥ ମାନସିକତାର ଲୋକ ଥିଲେ। କିନ୍ତୁ ଏମିତି କାହିଁକି କଲେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂରା ଘଟଣାକୁ ଚପାଇବା ଉଦ୍ୟମରେ ଓଡ଼ିଶା ସରକାର ସଫଳ ହେଲା ପରି ଲାଗୁଛି। ଓଡ଼ିଶାବାସୀଙ୍କ ମନରେ ହତ୍ୟା ପଛରେ ଥିବା ସଂପୃକ୍ତିକୁ ନେଇ ପ୍ରଶ୍ନ ହୋଇ ରହିଗଲା । ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଯାଞ୍ଚ ଦାୟିତ୍ଵ ଦିଆଯାଇଥିଲା। ଏଥିରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ। ପ୍ରମାଣ ଅଭାବରୁ ଗୋପାଳ ଦାସଙ୍କୁ ଖସାଇବାକୁ ସଫଳ ହେବେ। ହତ୍ୟା ପଛରେ ବଡଧରଣର ଷଡଯନ୍ତ୍ର ରହିଛି। ରାଜ୍ୟ ସରକାର ଖୁଲାସା କରନ୍ତୁ। ଭୟ କଣ ପାଇଁ ଥିଲା ତାହାର ଉତ୍ତର ମଧ୍ୟ ସରକାର ଲୋକଙ୍କ ଆଗରେ ରଖନ୍ତୁ ବୋଲି ପୃଥ୍ବିରାଜ କହିଛନ୍ତି।

ସୂଚନାଯୋଗ୍ୟ, ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ବ୍ୟକ୍ତିଗତା ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି। ନବ ଦାସ ଓ ତାଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe