ପୁଲିସର ବେଆଇନ ଗିରଫଦାରୀକୁ ପ୍ରତିବାଦ, ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ପୂରା ପରିବାର

Advertisment
ପୁଲିସର ବେଆଇନ ଗିରଫଦାରୀକୁ ପ୍ରତିବାଦ, ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ପୂରା ପରିବାର

ଭଦ୍ରକ: ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା ପରେ ଏସପିଙ୍କ ଅଫିସ ଆଗରେ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପୁରା ପରିବାରର ସଦସ୍ୟ । ତେବେ ଅଘଟଣ ଘଟିବା ଆଗରୁ ଘଟଣାସ୍ଥଳରେ ପହଞ୍ଚି ପୂରା ପରିବାରକୁ କାବୁ କରିଛି ପୁଲିସ।

ଗତ ପ୍ରାୟ ମାସକ ତଳେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଗବସାହି ଗ୍ରାମରେ ଜାଗାଜମି ବିବାଦକୁ ନେଇ ଗ୍ରାମର ବାବାଜୀ ଦାସ ଏବଂ ସୁଦର୍ଶନ ଦାସଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଏଥିନେଇ ସୁଦର୍ଶନଙ୍କ ପରିବାର ଆଗୁଆ ପୁଲିସ ସହାୟତା ଲୋଡିଥିଲେ ମଧ୍ୟ ପୁଲିସ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ପରେ ପ୍ରତିଶୋଧ ପରାୟଣ ହୋଇ ବିଳମ୍ବିତ ରାତିରେ ଏହି ପରିବାରଙ୍କୁ ଘର ବାହାରୁ ତାଲା ପକାଇ ନିଆଁ ଲଗାଇ ଦିଆଯାଇଥିଲା। ସୌଭାଗ୍ୟ ବଶତଃ ଏହି ପରିବାର ବର୍ତ୍ତି ଯାଇଥିଲେ ମଧ୍ୟ ଏଥିରେ ୫ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଭସ୍ମୀଭୂତ ହୋଇ ଯାଇଥିଲା।

ଏହି ମାମଳାରେ ପୁଲିସ ଉଭୟ ପରିବାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ପୀଡିତ ପରିବାର ସୁଦର୍ଶନ ଦାସଙ୍କ ପୁଅକୁ ବେଆଇନ ଗିରଫ କରିଥିଲା। ଏହି ମାମଲାରେ ପ୍ରତିପକ୍ଷ ପରିବାର ବିରୁଢ଼ରେ ଅଭିଯୋଗ ସତ୍ୱେ ପୁଲିସ ସେମାନଙ୍କୁ ଛାଡି ପୀଡିତ ପରିବାର ଲୋକଙ୍କୁ ଗିରଫ କରିବା ଘଟଣାକୁ ନେଇ ସୁଦର୍ଶନଙ୍କ ପରିବାର ଲୋକେ ଆଜି ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ମାମଲାରେ ମନ୍ଦ ଉଦେଶ୍ୟ ରଖି ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୁଦର୍ଶନ ପରିବାରପକ୍ଷରୁ ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe