ପାରିବାରିକ କଳହର କରୁଣ ପରିଣତି! କୁନି ଝିଅକୁ ବିଷ ଦେଇ ବାପାର ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି! କୁନି ଝିଅକୁ ବିଷ ଦେଇ ବାପାର ଆତ୍ମହତ୍ୟା

ନୟାଗଡ଼: ନୟାଗଡ଼ ଟାଉନ ଥାନା ଅଧୀନ ଦେବୋତ୍ତର କଲୋନିରେ ପାରିବାରିକ କଳହରୁ ଆଜି ଜଣେ ଯୁବକ ତାଙ୍କର ପାଞ୍ଚ ବର୍ଷର କୁନି ଝିଅକୁ ବିଷ ଦେଇ ମାରିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ପୁଲକ ବିଶ୍ବାଳ ଓ ତାଙ୍କର ଝିଅ ପଲକ ବିଶ୍ବାଳ ଓରଫ ପରି। ଉଭୟଙ୍କ ମୃତଦେହ ପୁଲିସ ବନ୍ଦଘରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ ସୂଚନା ମୁତାବକ, ମୃତ ପରି ହେଉଛି ପୁଲକଙ୍କର ପ୍ରଥମ ସ୍ତ୍ରୀର ଝିଅ। ପ୍ରଥମ ସ୍ତ୍ରୀଙ୍କର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବର୍ଷକ ତଳେ ତାଙ୍କର ମୃତ୍ୟୁ ହେବା ପ‌ରେ ଝିଅର ଦେଖାଶୁଣା ପାଇଁ ସେ ତିନିମାସ ତଳେ ଦ୍ବିତୀୟ ବିବାହ କରିଥିଲେ। ପୁଲକ କିଛି ଦିନ ବିଦ୍ୟୁତ୍‌ ବିଭାଗର ମିଟର ରିଡିଂ କାର୍ଯ୍ୟ କରୁଥିଲେ। ଦେବୋତ୍ତର କଲୋନି ଲେନ୍–୪/୧ ନିଜ ପୈତୃକ ସମ୍ପତ୍ତିରେ ଏକ ଘର ନିର୍ମାଣ କରି ରହୁଥିଲେ। କୌଣସି କାରଣରୁ ବିଦ୍ୟୁତ୍‌ ସଂସ୍ଥାରେ କରିଥିବା ଚାକିରି ଛାଡ଼ି ଦେଇଥିଲେ। ଝିଅ ପରିର ଭବିଷ୍ୟତ ନେଇ ସେ ଚିନ୍ତିତ ରହୁଥିଲେ। କିଛି ଦିନ ତଳେ ପ୍ରଥମ ସ୍ତ୍ରୀଙ୍କ ସୁନା ଗହଣା ଓ ନିଜ ସମ୍ପତ୍ତିକୁ ସେ ପରି ନାଁରେ କରିଦେବାକୁ ନିଷ୍ପତ୍ତି ନେଇଥିଲେ।

ମୁରବୀ ଲୋକଙ୍କ ସାମ୍ନାରେ ଏହି ନିଷ୍ପତ୍ତି ହୋଇଥିଲା, ଯାହାକୁ ଦ୍ବିତୀୟ ପତ୍ନୀ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଗତ ସୋମବାର ମଧ୍ୟାହ୍ନରେ ପୁଲକଙ୍କର ଦ୍ବିତୀୟ ପତ୍ନୀ ତାଙ୍କ ବାପ ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ରାତିରେ ସେ ଓ ତାଙ୍କ ଭାଇ ଶାଶୂଘରକୁ ଫେରିଥିଲେ। ଘର ଭିତରପଟୁ ବନ୍ଦ ଥିବା ବେଳେ ଫୋନ୍ ବନ୍ଦ ଥିଲା। ଗ୍ରିଲ୍‌ ଯେତେ‌ ବାଡ଼େଇଲେ ମଧ୍ୟ ଭିତରୁ କିଛି ଉତ୍ତର ମିଳିନଥିଲା। ଫଳରେ ବାଧ୍ୟ ହୋଇ ସେମା‌ନେ ପୁଲିସକୁ ଜଣାଇଥିଲେ। ନୟାଗଡ଼ ତହସିଲଦାରଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ଖଟ ଉପରେ ପରିର ମୃତଦେହ ପଡ଼ିଥିବା ବେଳେ ପୁଲକ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ପୁଲକଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe