ଏନ୍‌ଟିପିସି ଡୁଲିଙ୍ଗା ଖଣି ୭୦ ବିସ୍ଥାପିତ ଝିଅ ଗିରଫ ଘଟଣା: ଜିଲ୍ଲାପାଳଙ୍କୁ ଭେଟିଲେ ପରିବାରବର୍ଗ

Advertisment
ଏନ୍‌ଟିପିସି ଡୁଲିଙ୍ଗା ଖଣି ୭୦ ବିସ୍ଥାପିତ ଝିଅ ଗିରଫ ଘଟଣା: ଜିଲ୍ଲାପାଳଙ୍କୁ ଭେଟିଲେ ପରିବାରବର୍ଗ

ସୁନ୍ଦରଗଡ଼: ଥଇଥାନ ଓ ପୁନର୍ବାସ ସୁବିଧା ଦେବାକୁ ଦାବି କରି ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ପରିବାରର ବିବାହିତ ଝିଅମାନେ
ଦୀର୍ଘ ୮ ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ୪ ତାରିଖରେ ଖଣି ବନ୍ଦ ଡାକରା ଦେଇଥିଲେ। ତାକୁ ଦୃଷ୍ଟିରେ ରଖି ପ୍ରଶାସନ ଖଣି ଅଞ୍ଚଳରେ ଦିନକ ଆଗରୁ ୧୪୪ ଜାରି କରିଥିଲା।। ଏହା ସହ ସୋମବାର ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ୭୦ରୁ ଅଧିକ ମହିଳା ଆନ୍ଦୋଳନକାରୀଙ୍କୁ ଗିରଫ କରି ସୁନ୍ଦରଗଡ଼ସ୍ଥିତ ମାଦ୍ରିକାଲୋ ଭବନରେ ଅଟକ ରଖିଥିଲା। ମଙ୍ଗଳବାର ଶତାଧିକ ପରିବାର ସଦସ୍ୟ ସୁନ୍ଦରଗଡ଼ ଆସି ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ପୁଲିସ ଗିରଫ ମହିଳାମାନଙ୍କୁ ସର୍ତ୍ତମୂଳକ ଭାବେ ଧାରା ୪୧ରେ ଛାଡ଼ିଛି।

ତେବେ ନ୍ୟାୟ ନମିଳିବା ଯାଏ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ବିସ୍ଥାପିତ ପରିବାରର ବିବାହିତ ପୁଅଙ୍କ ପରି ବିବାହିତା ଝିଅମାନଙ୍କୁ ମଧ୍ୟ ଥଇଥାନ ଓ ପୁନର୍ବାସ ସୁବିଧା ଦେବାକୁ ଦାବି କରି ମହିଳାମାନେ ଗତ ୨୦୨୧ ଅକ୍ଟୋବର ୨୮ରେ ଏନଟିପିସି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଅନେକ ସମୟରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ଧାରଣାରୁ ଓହରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନ୍ୟାୟ ନମିଳିବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଧାରଣା ଜାରି ରହିଥିବା ବେଳେ ପ୍ରଶାସନ ସେମାନଙ୍କ ଦାବି ଶୁଣୁ ନଥିବା ଅଭିଯୋଗ କରି ଜୁଲାଇ ୪ ତାରିଖରେ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ କରିବାକୁ ଡୁଲିଙ୍ଗାର ଜନତା ପ୍ରଧାନ, ପଙ୍କଜିନୀ ଭୋଏ, ନମିତା ପଣ୍ଡା, ପୂର୍ଣ୍ଣିମା ସେଠ, ମଝାପଡ଼ାର ସୁନିତା ଭଇଁସା, ପିଙ୍କି ଖର୍ସେଲ, ସୁକାନ୍ତି ଖର୍ସେଲ, ଖପୁରିକଛାର ଜ୍ୟୋତ୍ସ୍ନା ପଟେଲ ଓ ଅନ୍ୟ ୧୨୦ ବିବାହିତା ଝିଅମାନେ ନିଷ୍ପତ୍ତି ନେଇଥିଲେ। ଏ ସଂକ୍ରାନ୍ତରେ ପ୍ରଶାସନକୁ ମଧ୍ୟ ସୂଚୀତ କରାଯାଇଥିଲା। ଏହା ପରେ ପ୍ରଶାସନ ଖଣି ଅଞ୍ଚଳରେ ୧୪୪ ଜାରି କରିଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରି ସୁନ୍ଦରଗଡ଼ ନେଇ ଆସିଥିଲା। ମଙ୍ଗଳବାର ସକାଳୁ ବିସ୍ଥାପିତ ଗାଁର ଶତାଧିକ ପରିବାର ସଦସ୍ୟ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କୁ ଭେଟି ନ୍ୟାୟ ମାଗିଥିଲେ। ହକ୍ ପାଇଁ ଲଢ଼ୁଥିବା ଝିଅମାନଙ୍କୁ ପୁଲିସ ଜୋର୍ କରି ଉଠାଇ ଆଣିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe