ସରକାରଙ୍କ ଦୃଷ୍ଟି ଅଢୁଆଳରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର: ରାଷ୍ଟ୍ରପତିଙ୍କ ସହରରେ ପରିବାରର ଭୋଗୁଛନ୍ତି ଦୁର୍ଦ୍ଦଶା

Advertisment

ସମସ୍ତ ପ୍ରମାଣ ପତ୍ର ଥାଇ ମଧ୍ୟ ପରିଚୟ ପାଇବାରୁ ବଂଚିତ ପରିବାର

ସମସ୍ତ ପ୍ରମାଣ ପତ୍ର ଥାଇ ମଧ୍ୟ ପରିଚୟ ପାଇବାରୁ ବଂଚିତ ପରିବାର

ସରକାରଙ୍କ ଦୃଷ୍ଟି ଅଢୁଆଳରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର: ରାଷ୍ଟ୍ରପତିଙ୍କ ସହରରେ ପରିବାରର ଭୋଗୁଛନ୍ତି ଦୁର୍ଦ୍ଦଶା

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଇଂରେଜ କବଳରୁ ଦେଶକୁ ଉଦ୍ଧାର କରି ସ୍ୱାଧୀନତା ଆଣି ଦେଇଥିବା ମହାପୁରୁଷମାନଙ୍କୁ ଦେଶ ଝୁରୁଛି। ସୂର୍ଯ୍ୟ-ଚନ୍ଦ୍ର-ତାରା ଥିବା ଯାଏ ତାଙ୍କ ବୀରତ୍ୱ ଗାଥା ଇତିହାର ସ୍ୱର୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ। ସଂଗ୍ରାମୀ ପରିବାରକୁ ଦେଶ ସବୁ ବେଳେ ମୁଣ୍ଡ ଝୁକାଇ ପ୍ରଣାମ କରି ଆସିଛି। ଚଳିତ ବର୍ଷ ଦେଶ ୭୮ ତମ ସ୍ୱାଧୀନତା ଦିବସ ପାଳିବାକୁ ଯାଉଛି । କିନ୍ତୁ ସ୍ୱାଧିନତା ସଂଗ୍ରାମୀଙ୍କୁ ଭୁଲିଗଲେ ସରକାର। ଦେଶର ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବି ପ୍ରତିଟି ଭାରତୀୟ ବେଶ ଉତ୍ସୁକତାର ସହିତ ପାଳନ କରୁଛନ୍ତି। ତେବେ ରାଇରଙ୍ଗପୁର ସହରର ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀର ପରିବାର ପରିଚୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଖରେ ବିନତୀ କରି ବି ବିଫଳ ହେବା ଭଳି ଅଭାବନୀୟ ଦୃଶ୍ୟ ଦେଖା ଯାଇଛି।

ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ସହର ଓାର୍ଡ ନଂ ୯ ରେ ଏହି ସଂଗ୍ରାମୀଙ୍କ ଘର। ସଂଗ୍ରାମୀ ପ୍ରଭୁଦୟାଲ ଚୌବେଙ୍କ ଜନ୍ମ ମାଟି ଥିଲା ତତ୍କାଳୀନ ବିହାର ତଥା ବର୍ତମାନର ଝାଡଖଣ୍ଡସ୍ଥ ଚାଇଁବସା। ସେ ସେଠାରେ ୧ ଜାନୁଆରି ୧୯୧୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ଥିଲେ ସ୍ୱାଧୀନ ଚେତା। ଇଂରେଜ ବିରୁଦ୍ଧରେ ଲଢେଇ କରିବା ପାଇଁ ସାଙ୍ଗ ସାଥି ମେଳରେ ବହୁ ଯୋଜନା କରି ତାହା କାର୍ଯ୍ୟକାରୀ ବି କରୁଥିଲେ। ସେଠାରେ ସେ ସୂତା ଓ ଲୁଗା ଦୋକାନ କରି ୭ ଭାଇ,୬ ଭଉଣୀ ବିଶିଷ୍ଟ ଏତେ ବଡ ପରିବାରର ଗୁଜୁରାଣ ମେଂଟାଉଥିଲେ। ତରୁଣ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସାଙ୍ଗ ସାଥିକୁ ମେଳ କରି ଇଂରେଜମାନଙ୍କୁ ଅସହଯୋଗ କରୁଥିଲେ।

୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ ସେ ସକ୍ରିୟ ଭାବେ ନିଜର କିଛି ଅନୁଗତଙ୍କ ସହ ରେଳ ଲାଇନ ତାଡ଼ିବା, ଟେଲିଗ୍ରାଫ ଟେଲିଫୋନ ତାର ଛିଡେଇବା, ସରକାରୀ କାର୍ଯ୍ୟାଳୟର ବିଜୁଳି ସଂଯୋଗ କାଟିବା ଭଳି ଇଂରେଜ ବିରୁଦ୍ଧରେ ସଂଗ୍ରାମ କରୁଥିଲେ। ୧୯ ସେପ୍ଟେମ୍ବର ୧୯୪୨ ଓ ୨୧ ସେପ୍ଟେମ୍ବର ୧୯୪୨ର ମଧ୍ୟ ରାତ୍ରରେ ୧୫/୨୦ଜଣ ଲୋକକୁ ନେଇ ଗୁପ୍ତ ବୈଠକ କରୁଥିବା ବେଳେ ଇଂରେଜ ହାବୁଡରେ ପଡ଼ି ଯାଇଥିଲେ। ତାଙ୍କ ସମେତ ୬ଜଣ ସହଯୋଗୀଙ୍କୁ ଗିରଫ ପରେ ୧୮ ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ହାଜାରିବାଗ ଜେଲରେ ୯ ମାସ କାରାବରଣ ପରେ ସେମାନଙ୍କୁ ଛାଡି ଦିଆ ଯାଇଥିଲା କିନ୍ତୁ ଇଂରେଜ ମାନଙ୍କ କଡ଼ା ନଜରରେ ସେମାନେ ରହୁଥିଲେ।

ଇଂରେଜମାନେ ପ୍ରତି ସପ୍ତାହରେ ତାଙ୍କୁ ଗରିଫ କରି ନେଉଥିଲେ। ଅକଥନୀୟ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। କ୍ରମଶଃ ନିଜ ବ୍ୟବସାୟ ଦୁର୍ବଳ ହେବାକୁ ଲାଗିଲା। ଇଂରେଜ ଟାର୍ଗେଟରେ ଥିବା ଶ୍ରୀ ଚୌବେ ନିଜ ପରିବାର ସହ ପଡିଶା ଓଡିଶାର ରାଇରଙ୍ଗପୁର ଚାଲି ଆସିଥିଲେ। ସିଂହଭୂମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ୧୧ ଅଗଷ୍ଟ ୧୯୭୨ରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସମ୍ମାନ ପତ୍ର ଦିଆ ଯାଇଥିଲା। ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀ ‘ସ୍ୱତନ୍ତ୍ର ସଂଗ୍ରାମୀ’ ମାନପତ୍ର ଦେଇଥିଲେ। ୨୬ ଜାନୁଆରି ୧୯୮୩ରେ ବାରିପଦା ପେରେଡ ପଡିଆରେ ତାମ୍ର ଫଳକ ମିଳିଥିଲା।

ସେହି ସମୟରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷର ସମ୍ବଳିତ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସେ ୧୯୭୪ରୁ ପେନସନ ପାଇବା ପାଇଁ ଉଦ୍ୟମ କରିଥିଲେ। ୨୦ ମଇ ୧୯୮୧ରେ ଗୃହ ମନ୍ତ୍ରାଳୟ ପେନସନ ନେଇ ଆଦେଶନାମା ଜାରି କରିଥିଲେ । ତାହା ମଧ୍ୟ ୧ ଅଗଷ୍ଟ ୧୯୮୦ରୁ ପାଇବା ପାଇଁ ନିଦେ୍ର୍ଦଶନାମା ମିଳିବା ପରେ ମଧ୍ୟ ପେନସନ ମଞ୍ଜୁର ହେଲା ବେଳକୁ ୬ ଡିସେମ୍ବର ୧୯୮୯ ହୋଇ ଯାଇଥିଲା। ୨୯ ଜାନୁଆରି ୧୯୯୮ରେ ତାଙ୍କର ମହାପ୍ରୟାଣ ଘଟିଲା।

publive-image

ସେବେ ଠାରୁ ପେନସନ ବନ୍ଦ ହୋଇ ରହି ଯାଇଛି। ତାଙ୍କର ରେଳରେ ଶୀତତାପ ନିୟନ୍ତ୍ରିକ ବଗିରେ ପ୍ରଥମ ଶ୍ରେଣୀର ଟିକେଟ ପାସ ବ୍ୟବସ୍ଥା ଥିଲା। ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ରାଜ୍ୟର ସମୂହ ସଂଗ୍ରାମୀ ପରିବାରର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଂଗ୍ରାମୀଙ୍କ ଉଦେଶ୍ୟରେ ଏକ ସଂଗ୍ରହାଳୟ ନିର୍ମାଣ ସହ ସ୍ମୃତି ସେଠାରେ ରଖାଯିବାର ପ୍ରସ୍ତାବ ରହିଥିଲା। ତେବେ ସେହି କାର୍ଯ୍ୟକ୍ରମକୁ ସରକାର ଏହି ପରିବାରକୁ ଭୂଲି ଯାଇଥିଲେ। ଅଦ୍ୟାବଧି ୫ ବର୍ଷର ସଂଘର୍ଷ ପରେ ବି ଏହି ସଂଗ୍ରାମୀ ପରିବାରକୁ ପ୍ରଶାସନ ନା ଦେଉଛି ପେନସନ, ନା ସରକାରୀ ଜମି ନା ଆଉ କୌଣସି ସୁବିଧା ସୁଯୋଗ। ଏମିତି କି ଶ୍ରୀ ଚୌବେଙ୍କ ପରିଚୟ ପାଇଁ ବର୍ତମାନ ତାଙ୍କ ପରିବାର ନଥପତ୍ର ସହ ୧୨ ଦାଣ୍ଡ ୧୩ ପିଣ୍ଡା ହେଉଥିଲେ ବି ନା କେନ୍ଦ୍ର ନା ରାଜ୍ୟ କୌଣସି ସରକାର ପରିଚୟ ଟିକକ ପାଇଁ କୁଣ୍ଠାବଦ୍ଧ କରୁଥିବାରୁ ପରିବାର ସମେତ ସ୍ଥାନୀୟ ଅଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହରର ସ୍ୱାଧୀନତା ସଂଗ୍ରାମୀ ପ୍ରତି ଘୋର ଅନ୍ୟାୟକୁ ସରକାର କେବେ ନ୍ୟାୟ ପୂର୍ବକ ସମ୍ମାନ ପ୍ରଦାନ କରୁଛନ୍ତି ସମୟ ହିଁ କହିବ। ବାସ୍ତବରେ ଯେଉଁ ମହାନ ବରପୁତ୍ର ମାନଙ୍କ ଅକୁଣ୍ଠିତ ସଂଗ୍ରାମ ବଳରେ ଦେଶ ଆଜି ଗୌରବାନ୍ୱିତ ହୋଇଛି ତାଙ୍କୁ ତଥା ତାଙ୍କର ପରିବାର ବର୍ଗଙ୍କ ନିକଟରେ ଦେଶ ତଥା ଜାତି ଚିର ନତ ମସ୍ତକ। ତେବେ ସଂଗ୍ରାମୀ ପ୍ରଭୁଦୟାଲ ଚୌବେଙ୍କ କେବେ ପ୍ରତିମୂର୍ତି ସ୍ଥାପନ ସହ ସ୍ମୃତି ଚାରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ ଯେ ଗତ ୨୦୨୨ ମସିହାରେ ଦେଶ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନୀତ ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ରାଇରଙ୍ଗପୁରର ପ୍ରଭୁଦୟାଲ ଚୌବେଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇନଥିଲା। ଏନେଇ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତୀ ସମୟରେ ରାଷ୍ଟ୍ରପତି, ରାଜ୍ୟପାଳ, ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖକୁ ମତ ପରିଚୟ ପାଇବା ପାଇଁ ନିବେଦନ କରିଥିଲେ। ସବୁସ୍ତରରେ ଯାଂଚ ମଧ୍ୟ ସରିଲା ତଥାପି ପରିଚୟ ପାଇ ପାରିଲେ ନାହିଁ। ଗତ ୯ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଘୋଷଣା କଲେ ଯେ ସ୍ୱାଧିନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି “କୁଟୁମ୍ବ” ଯୋଜନାରେ ତାଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବ। ତେବେ ସମସ୍ତ ପ୍ରମାଣ ଥାଇ ବି ବର୍ତମାନର ବିଜେପି ସରକାର ସମୟରେ ବି ବିଜେଡି ସରକାର ଭଳି ଦୁର୍ଦ୍ଧଶା ଭୋଗିବେ ନା ସ୍ୱାଧିନତା ସଂଗ୍ରାମୀର ପରିଚୟ ପାଇବେ ତାାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe