ନିଖୋଜଙ୍କ ଘରବାହୁଡ଼ା: ୩୦ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ଯାମିନୀ

Advertisment

୮ ବର୍ଷ ପୂର୍ବରୁ ପରିବାର ଲୋକେ ସାରି ଦେଇଛନ୍ତି ଶୁଦ୍ଧିକ୍ରିୟା

୮ ବର୍ଷ ପୂର୍ବରୁ ପରିବାର ଲୋକେ ସାରି ଦେଇଛନ୍ତି ଶୁଦ୍ଧିକ୍ରିୟା

ନିଖୋଜଙ୍କ ଘରବାହୁଡ଼ା: ୩୦ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ଯାମିନୀ

ରାଜନଗର: ୩୦ ବର୍ଷ ତଳେ ରାଜସ୍ଥାନରେ କାମ କରୁଥିବା ବେଳେ କେଉଁଆଡ଼େ ହଜି ଯାଇଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କ ଖୋଜ ଖବର ମିଳି ନଥିଲା। ଦୀର୍ଘବର୍ଷ ଧରି ଅପେକ୍ଷା କରିବା ପରେ ପରିବାର ଲୋକେ ୮ବର୍ଷ ତଳେ ଶୁଦ୍ଧି ହୋଇ ଯାଇଥିଲେ। ମାତ୍ର ମହାରାଷ୍ଟ୍ରରେ ମାନସିକ ରୋଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରିବାର ଓ ଗାଁ ଲୋକଙ୍କ କଥା ମନେ ପଡ଼ିବାରୁ ଦୀର୍ଘ ୩୦ ବର୍ଷ ପରେ ଗାଁକୁ ଫେରି ଆସିଛନ୍ତି ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଂଚାୟତ ଢୋଲମରା ଗାଁର ଯାମିନୀ ସେଠୀ। ଅବଶ୍ୟ ଅସୁସ୍ଥତା କାରଣରୁ ସେ ଠିକ୍‌ ଭାବେ କଥା ହୋଇପାରୁ ନ ଥିବା ବେଳେ ଠିକ୍ ଭାବେ ଚାଲି ବି ପାରୁନାହାନ୍ତି।

ରାଜନଗରବ୍ଲକ ଢୋଲମରା ଗାଁର ପାଣ୍ତବ ସେଠୀଙ୍କ ସାନପୁଅ ଯାମିନୀ ୩୦ବର୍ଷ ତଳେ ରାଜସ୍ଥାନକୁ କାମ କରିବାକୁ ଯାଇଥିଲେ। ସେତେବେଳେ ତାଙ୍କୁ ୨୫ବର୍ଷ ବୟସ ହୋଇଥିଲା। ସେଠାରେ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଆଉ ଖୋଜ ଖବର ମିଳି ନଥିଲା। ପୁଅ ହଜିବା ଦୁଃଖରେ ବାପା ପାଣ୍ତବ ଓ ମା ସୁବର୍ଣ୍ଣା କିଛି ଦିନ ପରେ ପ୍ରାଣ ହରାଇଥିଲେ। ପରିବାର ଲୋକେ ଓ ବନ୍ଧୁ ପରିଜନ ଯାମିନୀଙ୍କ ଦୀର୍ଘବର୍ଷ ଧରି ଖୋଜଖବର ନ ପାଇ ୮ବର୍ଷ ତଳୁ ଶୁଦ୍ଧି ହୋଇ ଯାଇଥିଲେ। ମାତ୍ର ଗତକାଲି ଅପରାହ୍ଣ ୫ଟାବେଳେ ହଠାତ୍ ଗାଁରେ ପହଞ୍ଚିଥିଲେ ଯାମିନୀ। ବାପା, ମାଙ୍କୁ ନ ପାଇ କାନ୍ଦିବା ସହ ଭାଇ, ଭାଉଜ ଓ ପୁତୁରା ଝିଆରୀଙ୍କୁ ଦେଖି ଖୁସିରେ ବିଭୋର ହୋଇ ଯାଇଥିଲେ। ଗାଁ ଲୋକଙ୍କୁ ଚିହ୍ନିବା ସହିତ ତାଙ୍କ ଦୁଃଖ କାହାଣୀ ବଖାଣି ଥିଲେ। ଗତକାଲି ମହାରାଷ୍ଟ୍ର ଥାନେର ‘ଶ୍ରଦ୍ଧା ଥଇଥାନ ଫାଉଣ୍ଡେସନର ୩ଜଣ ସଦସ୍ୟ ଯାମିନୀଙ୍କୁ ସାଙ୍ଗରେ ଆଣି ଢୋଲମରା ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଜିମା ଦେବା ସହ ସେ ଖାଉଥିବା ଔଷଧପତ୍ର ଦେଇ ଯାଇଛନ୍ତି।

ସେମାନଙ୍କ ସୂଚନା ମୁତାବକ, ଯାମିନୀ ମହାରାଷ୍ଟ୍ର ଥାନେର ରିଜିଓନାଲ ମେଂଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ସହ ଶ୍ରଦ୍ଧା ଫାଉଣ୍ଡେସନରେ ରହୁଥିଲେ। ତାଙ୍କର ପରିବାର ଓ ଘର କଥା କିଛି ମନେ ନ ଥିଲା। ୨୦/୨୫ଦିନ ତଳେ ହଠାତ୍ ତାଙ୍କର ଗାଁ, ପରିବାର କଥା ମନେ ପଡି ଯାଇଥିଲା। ସେ ତାଙ୍କର ପରିଚୟ ଦେବା ସହ ଘରକୁ ଆସିବାକୁ ମନ ବଳାଇଥିଲେ। ତାଙ୍କର ପରିଚୟ ମନେ ପଡ଼ିବା ପୂର୍ବରୁ ମେଣ୍ଟାଲ୍‌ ହସ୍‌ପିଟାଲ ଓ ଥଇଥାନ ସ୍ଥଳରେ କାଳୁ ନାଁରେ ପରିଚିତ ଥିଲେ। ଘର କଥା ମନେ ପଡିବା ପରେ ଗାଁକୁ ଆସିବା ପାଇଁ ଶ୍ରଦ୍ଧା ଥଇଥାନ ଫାଉଣ୍ଡେସନ ତରଫରୁ ବ୍ୟବସ୍ଥା କରାଯାଇଥିଲା। ଗତକାଲି ଟ୍ରେନରେ ଆସି ଭୁବନେଶ୍ବରରେ ଓହ୍ଲାଇବା ପରେ ଅଟୋ ଯୋଗେ ଗାଁରେ ପହଞ୍ଚିଥିଲେ। ଆଜି ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଯାମିନୀ ମାନସିକ ରୋଗ ସହିତ ଛାତି, ଉଚ୍ଚ ରକ୍ତଚାପ, କିଡନି, ହେପାଟାଇଟିସ ବି ଆଦି ରୋଗ ପାଇଁ ଔଷଧ ଖାଉଛନ୍ତି। ଅତ୍ୟନ୍ତ ଗରିବ ହୋଇଥିବାରୁ ସେ କିପରି ଚିକିତ୍ସା ପାଇବେ ଓ ଔଷଧ ଖାଇବେ, ତାହାକୁ ନେଇ ତାଙ୍କ ପରିବାର ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe