ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ବିଜୟ ମିଶ୍ରଙ୍କ ପରଲୋକ

ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ର ଆଉ ନାହାନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ବିଜୟ ମିଶ୍ର ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି । ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସେହି ସିନେମାର ସଂଳାପ ରଚନା କରିବା ସହିତ ଏହାର ଅନ୍ୟତମ ନିର୍ଦ୍ଦେଶକ ମଧ୍ୟ ଥିଲେ ।

ସୂଚନାଯୋଗ୍ୟ, ପ୍ରଖ୍ୟାତ ଅଭିନେତା ହେମନ୍ତ ଦାସ, ଗାୟକ ତଥା ସଂଗୀତକାର ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ର ମିଶି ତ୍ରିମୂର୍ତ୍ତି ଛଦ୍ମନାମରେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ବିଜୟ ମିଶ୍ର ଆଉ ପଛକୁ ଚାହିଁ ଫେରି ନଥିଲେ । ସେ ପରେ ଅଶାନ୍ତ ଗ୍ରହ, ଡୋରା, ଜଗାବଳିଆ, ଧର୍ମ ସହିଲେ ହେଲା, ଲକ୍ଷ୍ମଣ ରେଖା, ଯଶୋଦା, ଯାହକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ମୋ କୋଳ ତୋ ଝୁଲଣା, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଭୀଷ୍ମ ପ୍ରତିଜ୍ଞା, ସୁନା ଚଢ଼େଇ, ଆଇ ଲଭ ମାଇ ଇଣ୍ଡିଆ, ବାହୁଡ଼ିବେ ମୋ ଜଗାବିଳଆ ଆଦି ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସମେତ ୫୦ରୁ ଅଧିକ ସିନେମାରେ ସଂଳାପ ଲେଖିଥିଲେ । ସେ  ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ରଜନୀଗନ୍ଧା’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।

publive-image

ସେ ଗତ ବର୍ଷ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ । ଏତଦ ବ୍ୟତୀତ ସେ ଓଡ଼ିଶା ସାହିତ୍ୟ ଏକାଡେମି ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଲାଭ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ/ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ହେତୁ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe