କଟକ : ରାଜ୍ୟର ସ୍ବନାମଧନ୍ୟ ପାଲା ଗାୟକ, ଲେଖକ ତଥା ସମ୍ବାଦର ବରିଷ୍ଠ ସାମ୍ବାଦିକ ଗଦାଧର ପଣ୍ଡାଙ୍କ ପିତା ପୀତାମ୍ବର ପଣ୍ଡା(୮୬)ଙ୍କର ପରଲୋକ ଘଟିଛି। ଯାଜପୁର ଜିଲ୍ଲା ଅନ୍ତର୍ଗତ ଖପୁରିଆପଦା ପଞ୍ଚାୟତର ବାଲିପଶି ଗ୍ରାମସ୍ଥିତ ତାଙ୍କ ବାସଭବନରେ ଆଜି ପୂର୍ବାହ୍ନ ୧୧ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ସ୍ବର୍ଗତ ପଣ୍ଡା ଓଡ଼ିଶାର ଜଣେ ପ୍ରତିଷ୍ଠିତ ପାଲା ଗାୟକ ଥିଲେ। ତାଙ୍କୁ ଗାୟକ ପ୍ରବର ଉପାଧି ମିଳିଥିଲା। ୧୪ ବର୍ଷ ବୟସରୁ ସେ ପାଲା ଗାଇବା ସହିତ ୫୦ ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରି ଆସୁଥିଲେ। ରାଜ୍ୟରେ ଏବେ ୨ ଶହରୁ ଅଧିକ ତାଙ୍କର ଛାତ୍ର ପାଲା ପରିବେଷଣ କରୁଛନ୍ତି। ସେ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଆଜୀବନ ସଦସ୍ୟ, ଯାଜପୁର ଜିଲ୍ଲା ପାଲା ଗାୟକ ପରିଷଦର ପୂର୍ବତନ ସଭାପତି ଓ ଉପଦେଷ୍ଟା ଦାୟିତ୍ବ ତୁଲାଇଥିଲେ। କାବ୍ୟ ସାହିତ୍ୟରେ ତାଙ୍କର ବିଶେଷ ଋଚି ରହିଥିଲା। ପୀତାମ୍ବର ପଦ୍ୟାବଳି, ପୀତାମ୍ବର ରସସାଗର, ମୋ ସଂସାର, ପୀତାମ୍ବର କଲ୍ଲୋଳ ଭଳି ୪ଟି କାବ୍ୟ ପୁସ୍ତକ ସହିତ ସେ ୧୦ରୁ ଅଧିକ ପାଲା ପୁସ୍ତକ ରଚନା କରିଥିଲେ। ସ୍ବର୍ଗତ ପଣ୍ଡା ଯାଜପୁରର ବିଶିଷ୍ଟ କବି କୃଷ୍ଣ ପ୍ରସାଦ ବସୁଙ୍କ ଛାତ୍ର ଥିଲେ। ଓଡ଼ିଶା ଓ ରାଜ୍ୟ ବାହାରର ୫୦ରୁ ଅଧିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସଂଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ମଧ୍ୟମ ପୁତ୍ର ହଳଧର ପଣ୍ଡା ମୁଖାଗ୍ନି ଦେଇଥିଲେ। ଶେଷଶଯ୍ୟା ନିକଟରେ ପୁଅ ଲକ୍ଷ୍ମୀଧର, ହଳଧର, ଜଳଧର, ଗଦାଧରଙ୍କ ସହିତ ପରିବାରର ଓ ବଂଧୁବାନ୍ଧବ ଉପସ୍ଥିତ ଥିଲେ।
Follow Us