ଶ୍ରୀକ୍ଷେତ୍ରକୁ ଛାରଖାର କରିଦେଲା ଫନି : ଏମିତି ଥିଲା ପ୍ରଳୟର ନକ୍ସା

Advertisment
ଶ୍ରୀକ୍ଷେତ୍ରକୁ ଛାରଖାର କରିଦେଲା ଫନି : ଏମିତି ଥିଲା ପ୍ରଳୟର ନକ୍ସା

ପୁରୀ : କେଇ ଘଣ୍ଟାର ପ୍ରଳୟ ଶ୍ରୀକ୍ଷେତ୍ରକୁ ଛାରଖାର କରିଦେଲା। ହୋଟେଲ ଠୁ ବାସଗୃହ, କ୍ୟାବିନ୍ ଠୁ ସ୍ଥାୟୀ ଦୋକାନ ସବୁ କିଛି ଭାଙ୍ଗିରୁଜିଯାଇଛି। ଉପୁଡ଼ି ପଡ଼ିଛି ମହାଦ୍ରୁମ। ବିଜୁଳି ଭିତ୍ତିଭୂମି ଧୂଳିସାତ୍। ମୋବାଇଲ୍ ସଂଯୋଗ ନାହିଁ, ଲ୍ୟାଣ୍ଡ ଲାଇନ୍ ସଂଯୋଗ ବି। ପାଣି ମିଳୁନି। ଦୋକାନ ବଜାର ବନ୍ଦ। ସବୁ ଅନ୍ଧାର। ଫନି ଶ୍ରୀକ୍ଷେତ୍ରକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଗଲା। ବାଲୁଖଣ୍ଡରେ ଭୂଭାଗ ସ୍ପର୍ଶ କରିବା ପରେ ଉଜାଡ଼ି ଦେଲା ଅଭୟାରଣ୍ୟ। ଶତାଧିକ ହରିଣ ମରି ପଡ଼ିଛନ୍ତି।

ଶୁକ୍ରବାର ସକାଳ ପ୍ରାୟ ୭ଟା ୩୭, ଘୁ… ଘୁ… ହୋଇ ମାଡ଼ି ଆସିଲା ପବନ। ଜୁଆର ମାଡ଼ି ଆସିଲା ସ୍ଥଳଭାଗ ଆଡ଼କୁ। ସବୁ କିଛି ଦିଶୁଥିଲା ଧୂସର। ଆରମ୍ଭ ହୋଇଗଲା ଧୂଳିଝଡ଼। ସମୁଦ୍ରକୂଳରେ କିଛି ବି ଦିଶିଲାନି। ତାହାରି ଭିତରେ ମାଡ଼ି ଆସୁଥିଲା ଉଚ୍ଚ ଉଚ୍ଚ ଜୁଆର। କୂଳ ଲଙ୍ଘିଲା। ଜୁଆରର ଗର୍ଜନ ଥିଲା ଆତଙ୍କ ସୃଷ୍ଟିକାରୀ।

publive-image

ଜୁଆର ବିପଦ ସଙ୍କେତ ପତାକାକୁ ଉପାଡ଼ି ଫିଙ୍ଗି ଦେଲା। ପବନର ବେଗ ବି ବଢ଼ୁଥାଏ। ଘଣ୍ଟା ପ୍ରତି ୬୦/୭୦ରୁ ୧୪୫ କିଲୋମିଟର ବେଗରେ ବହିଲା। ବେଳାଭୂମି ପ୍ରାଚୀରକୁ ଛୁଇଁଲା। ସମୟ ଯେତିକି ଗଡ଼ୁଥାଏ ସମୁଦ୍ର ସେତିକି କରାଳ ରୂପ ଧାରଣ କରୁଥାଏ।

ପ୍ରାୟ ୯ଟା ୧୦ ବେଳକୁ ବେଳାଭୂମି ପ୍ରାଚୀର ଛୁଇଁଲା। କେବଳ ଗଣମାଧ୍ୟମର କ୍ୟାମେରା ବୁଲୁଥିଲା ବେଳାଭୂମିରେ। ପବନ ଆହୁରି ବଢ଼ିଲା। ୯ଟା ୪୫ ବେଳକୁ ପବନର ବେଗ ୨୦୦ କିଲୋମିଟର ଛୁଇଁ ସାରିଥିଲା। ଜୁଆର ସମ୍ଭାଳିବା ସ୍ଥିତିରେ ନଥିଲା। ସମୁଦ୍ର ଜୁଆର ସାତଲହଡ଼ି ମଠ ଠାରୁ ସିପରସୁବାଲି ମଝିରେ ୭ଟି ସ୍ଥାନରେ ରାସ୍ତାକୁ ମାଡ଼ି ଆସିଥିଲା। ଆରମ୍ଭ ହୋଇଗଲା ବର୍ଷା। ଲୋକ ଅଟକି ଯାଇଥିଲେ ଘରର କବାଟ ଭିତରେ।
ଭୟଙ୍କର ଶବ୍ଦ ଯୋଗୁ ସମସ୍ତେ ଥିଲେ ଭୀତତ୍ରସ୍ତ। ସମସ୍ତେ ଭଗବାନଙ୍କୁ ଡାକୁଥିଲେ।

ଦିନ ୯ଟାରୁ ଢ଼ୋ… ଢ଼ା… ଶବ୍ଦ ଆରମ୍ଭ ହୋଇଯାଇଥିଲା। କେଉଁଠି କାଚ ଭାଙ୍ଗୁଥାଏ ତ ଆଉ କେଉଁଠି ଦୁଆର ଝରକା ଭାଙ୍ଗି ଉଡ଼ି ଯାଉଥାଏ। କେଉଁଠି ଦୋକାନର ସାଇନ୍ ବୋର୍ଡ ଉଡ଼ି ଯାଉଥାଏ ତ ଆଉ କେଉଁଠି ଘରର ଛପର। ଦୀପାବଳୀ ପରି ଶୁଭୁଥିଲା। ଦିନ ୧୨ଟା ବେଳକୁ ପବନ କମିଥିଲା। ହେଲେ ସେତେବେଳକୁ ଉଜୁଡି ସାରିଥଲା ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। କାହାକୁ ବି ଅକ୍ଷତ ଛାଡ଼ିଲା ନାହିଁ ଫନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe