ବଜେଟ୍‌ ଉପରେ ପଡ଼ିବ ଫନି ବିପର୍ଯ୍ୟୟର ପ୍ରଭାବ, ଜୁଲାଇ ୩୧ ସୁଦ୍ଧା ପାରିତ ହେବ ବଜେଟ୍‌

ଋଣଭାର ୮୭ ହଜାର କୋଟିକୁ କମିଲା, ୨୦୧୮-୧୯ ଜିଏସ୍‌ଡିପି ୮.୩୫ ପ୍ରତିଶତ

ବଜେଟ୍‌ ଉପରେ ପଡ଼ିବ ଫନି ବିପର୍ଯ୍ୟୟର ପ୍ରଭାବ, ଜୁଲାଇ ୩୧ ସୁଦ୍ଧା ପାରିତ ହେବ ବଜେଟ୍‌

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଦାରୁଣ କ୍ଷତି ଘଟାଇଥିବା ଅତି ପ୍ରଳୟଙ୍କରୀ ବାତ୍ୟା ଫନି ବିପର୍ଯ୍ୟୟ ଯୋଗୁଁ ଗାଁଗଣ୍ଡା କଥା ଛାଡ଼, ପୁରୀ, ଭୁବନେଶ୍ବର ଓ କଟକ ସହରାଞ୍ଚଳରେ ଅର୍ଥନୈତିକ କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପୁନରୁଦ୍ଧାର, ଥଇଥାନ କାର୍ଯ୍ୟ ପୂରା ଦମ୍‌ରେ ଚାଲିଥିଲେ ବି ବିପର୍ଯ୍ୟୟ କବଳରୁ ଅଣ୍ଟା ସଳଖି ଛିଡ଼ା ହେବା ଏ ଯାଏଁ ସମ୍ଭବ ହୋଇପାରି ନାହିଁ। ଏଭଳି ପରିସ୍ଥିତି ଏଥର ରାଜ୍ୟ ବଜେଟ୍‌ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ନିଶ୍ଚିତ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଆକଳନ କରିଛି।

ଆଜି ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ୍‌ କସରତ ଆରମ୍ଭ କଲା ବେଳକୁ ଏଭଳି ଉଦ୍‌ବେଗଜନକ ସ୍ଥିତି ସାମ୍ନାକୁ ଆସିଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ବିଭାଗୀୟ ପ୍ରମୁଖ ସଚିବ ଅଶୋକ କୁମାର ମୀନା ସ୍ବୀକାର କରିଛନ୍ତି ଯେ ଫନି ବିପର୍ଯ୍ୟୟ ବଜେଟ୍‌କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏସ୍‌ଡିଆରଏଫ୍‌ ଓ ଏନ୍‌ଡିଆରଏଫ୍‌ ସମ୍ବଳରୁ ପୁନରୁଦ୍ଧାର, ଥଇଥାନ କାର୍ଯ୍ୟ ତୁଲାଉଛନ୍ତିି। ତେବେ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ସବିଶେଷ ରିପୋର୍ଟ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଦିଆଯିବ। ଏ‌ ନେଇ ସଂପୃକ୍ତ ଜିଲ୍ଲାପାଳମାନେ ଓ ବିଭାଗଗୁଡ଼ିକ କ୍ଷୟକ୍ଷତି ରିପୋର୍ଟ ଦେଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଅବଶ୍ୟ, ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ସୂଚନାରୁ ଜଣାଯାଇଛି ଯେ ପୁରୀ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ପହଞ୍ଚିନାହିଁ। ପ୍ରମୁଖ ସଚିବଙ୍କ କହିବାନୁସାରେ ଗତ ଫେବ୍ରୁଆରି ମାସରେ ହୋଇଥିବା କାମଚଳା ବଜେଟ୍‌ରେ ୧.୨୦ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ ରହିଥିଲା। ଏହି ବଜେଟ୍‌ର ପ୍ରାୟ ୪୦ ପ୍ରତିଶତ ବ୍ୟୟ ଅଟକଳ ପ୍ରଥମ ଚାରିମାସ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ପାରିତ ହୋଇଥିଲା। ଏହାକୁ ଭିତ୍ତିକରି ରାଜ୍ୟ ସରକାର ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଖର୍ଚ କରିପାରିବେ। କିନ୍ତୁ ଅଗଷ୍ଟ ମାସ ପହିଲାରୁ ନୂଆ ବଜେଟ୍‌ ଅନୁଯାୟୀ ଖର୍ଚ କରିବାକୁ ହେବ। ଏଣୁ, ଜୁଲାଇ ୩୧ ତାରିଖ ସୁଦ୍ଧା ନୂଆ ବଜେଟ୍‌ ବିଲ୍‌ ପାରିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଆଧାରରେ ଆଗାମୀ ଦିନରେ ଷୋଡ଼ଶ ବିଧାନସଭାର ବଜେଟ୍‌ ଅଧିବେଶନର କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ। ସେ କହିଲେ, ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ରାଜ୍ୟର ଋଣଭାର ୯୨ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ କିଛି ଖର୍ଚକାଟ ପଦକ୍ଷେପ ଜରିଆରେ ଏହି ରାଶି ୮୭ ହଜାର କୋଟିକୁ ହ୍ରାସ ପାଇଛି। ତେବେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏହି ଋଣଭାର ଯଥେଷ୍ଟ କମ୍‌। ଏହି ହାର ପାଖାପାଖି ୧୮ ପ୍ରତିଶତ। ଫଳରେ ରାଜ୍ୟ ସରକାର ଆହୁରି ଅଧିକ ପରିମାଣରେ ଋଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି।

ଗତବର୍ଷ ବଜେଟ୍‌ ଅଟକଳ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ଥିବା ଦର୍ଶାଇ ପାଖାପାଖି ସେହି ରାଶି ଖର୍ଚ ହୋଇପାରିଥିବା ‌ଶ୍ରୀ ମୀନା ଦର୍ଶାଇଥିଲେ। ସମ୍ବଳ ସର୍ବଦା ବଜେଟ୍‌ ପ୍ରସ୍ତୁତି ପାଇଁ ଆହ୍ବାନ। ତେବେ ରାଜ୍ୟ ନିଜସ୍ବ ସମ୍ବଳ ମଧ୍ୟରୁ ବାସ୍ତବବାଦୀ ବଜେଟ୍‌ ପ୍ରସ୍ତୁତ କରିବାକୁ ଯାଉଛି। ୨୦୧୮-୧୯ ବର୍ଷରେ ରାଜ୍ୟର ସମୁଦାୟ ଘରୋଇ ଉତ୍ପାଦ ବା ଜିଏସ୍‌ଡିପି ୮.୩୫ ପ୍ରତିଶତ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଜିଡିପି ହାର ୫.୬ ପ୍ରତିଶତ। ତେବେ ଓଡ଼ିଶା ଭଳି ରାଜ୍ୟକୁ ସର୍ବଦା କେନ୍ଦ୍ର ତୁଳନାରେ ପ୍ରାୟ ୩ ପ୍ରତିଶତ ଅଧିକ ଜିଏସ୍‌ଡିପି ବଜାୟ ରଖିବା ଅପରିହାର୍ଯ୍ୟ। କାରଣ ରାଜ୍ୟର ମୁଣ୍ଡପିଛା ଆୟ କେନ୍ଦ୍ରର ହାରାହାରି ଆୟ ତୁଳନାରେ ପ୍ରାୟ ୨୫ ପ୍ରତିଶତ କମ୍‌। ରାଜ୍ୟ ଯେଉଁ ହାରରେ ଜିଏସ୍‌ଡିପି ବୃଦ୍ଧି କରିଚାଲିଛି ଆଗାମୀ ୭/୮ ବର୍ଷ ଭିତରେ ଜାତୀୟ ହାରକୁ ଛୁଇଁବାକୁ ସମର୍ଥ ହୋଇପାରିବ ବୋଲି ସେ କହିଥିଲେ। ଗତ ୫ ବର୍ଷରେ କେନ୍ଦ୍ର ସରକାରଙ୍କ ସମ୍ବଳ ଅଭିବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଫଳରେ ଓଡ଼ିଶା ବର୍ଷକୁ ୫ ହଜାର କୋଟି ହାରରେ ଗତ ୫ ବର୍ଷରେ ପ୍ରାୟ ୨୫ ହଜାର କୋଟି ଟଙ୍କା ହରାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ କହିଥିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ ଏପ୍ରିଲ ଓ ମେ’ ମାସ ଏବଂ ଆଜି ସୁଦ୍ଧା ହୋଇଥିବା ରାଜସ୍ବ ସଂଗ୍ରହ ଓ ଖର୍ଚ ଆକଳନ ଅନୁଯାୟୀ ଖଣି ବିଭାଗ ପ୍ରାୟ ୧୯୯୩ କୋଟି ଟଙ୍କାର ରାଜସ୍ବ ଅର୍ଜନ କରିଛି। ଗତ ବର୍ଷର ଏହି ସମୟ ତୁଳନାରେ ଅଭିବୃଦ୍ଧି ହାର ପ୍ରାୟ ୨୦ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe