ସ୍ବାଭାବିକ ହେଉଛି ସ୍ଥିତି

Advertisment

ସହରାଞ୍ଚଳରେ ପିଇବାପାଣି ଅସୁବିଧା ଦୂର, ଜିଏସ୍‌ଟି ଦାଖଲ ତାରିଖ ଘୁଞ୍ଚିଲା, ଇପିଏଫ୍‌, ଇଏସ୍‌ଆଇ ଦେୟ ଓ ରିଟର୍ଣ୍ଣ ସମୟସୀମା ବି ସଂପ୍ରସାରିତ, ୫୨୫୮ ପ୍ରକଳ୍ପ ଦରଖା‌ସ୍ତକୁ ତ୍ବରିତ ମଞ୍ଜୁରି

ସହରାଞ୍ଚଳରେ ପିଇବାପାଣି ଅସୁବିଧା ଦୂର, ଜିଏସ୍‌ଟି ଦାଖଲ ତାରିଖ ଘୁଞ୍ଚିଲା, ଇପିଏଫ୍‌, ଇଏସ୍‌ଆଇ ଦେୟ ଓ ରିଟର୍ଣ୍ଣ ସମୟସୀମା ବି ସଂପ୍ରସାରିତ, ୫୨୫୮ ପ୍ରକଳ୍ପ ଦରଖା‌ସ୍ତକୁ ତ୍ବରିତ ମଞ୍ଜୁରି

ସ୍ବାଭାବିକ ହେଉଛି ସ୍ଥିତି

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ୧୪ଟି ପ୍ରଭାବିତ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଯେଉଁଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ସେଥିରେ ଅନେକାଂଶରେ ସୁଧାର ଆସିଛି। ଧୀରେ ଧୀରେ ଫେରୁଛି ସ୍ବାଭାବିକତା। ତେବେ ପୁରୀର ସ୍ଥିତି ଏବେ ବି ସାଂଘାତିକ ରହିଛି। ମୁଖ୍ୟତଃ ବିଜୁଳି, ବ୍ୟାଙ୍କ ଓ ଏଟିଏମ୍‌ ସେବା ଆଦି ଯୋଗାଇ ଦେବାରେ ଆହୁରି ସମୟ ଲାଗିବ।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ସଂଜୟ କୁମାର ସିଂହ ଏଭଳି ସ୍ଥିତି ବୟାନ କରିଥିଲେ। ସେ କହିଲେ ଯେ ପୂର୍ବ ଘୋଷଣା ମୁତାବକ ୧୫ ତାରିଖରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡରେ ବିଜୁଳି ଜଳିଲା। ସହରାଞ୍ଚଳରେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ପାଇଁ ସେସୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି। ତଦନୁଯାୟୀ ବିଜୁଳି ସେବା ଉପଲବ୍ଧ ହେବ। ଏଥିପାଇଁ ପ୍ରାୟ ୪୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ଇତି ମଧ୍ୟରେ ଚନ୍ଦକା-ପୁରୀ ୧୩୨ କେଭି ଟ୍ରାନ୍ସମିସନ ଲାଇନ କାର୍ଯ୍ୟକ୍ଷମ ହୋଇଛି। କଟକ ଓ ଭୁବନେଶ୍ବରର ବିଭିନ୍ନ ବିଦ୍ୟୁତ୍‌ ଡିଭିଜନ୍‌ରେ ସହରାଞ୍ଚଳ ଫିଡର କାର୍ଯ୍ୟକ୍ଷମ ହୋଇସାରିଛି। କିନ୍ତୁ ଅଧିକାଂଶ ଗ୍ରାମାଞ୍ଚଳ ଫିଡର ଅଚଳ ଥିବାରୁ ବିଦ୍ୟୁତ୍‌ ଯୋଗାଣ ସଂପୂର୍ଣ୍ଣ ହେବା ବାକି ରହିଛି। କିନ୍ତୁ ଅନ୍ୟ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଜୁଳି ସେବା ପ୍ରାୟ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ନେଇ ସେ ତଥ୍ୟ ଜରିଆରେ ଦର୍ଶାଇଥିଲେ।

ପୁରୀରେ ୮୧ ପ୍ରତିଶତ ବ୍ୟାଙ୍କ ସୁବିଧା ଉପଲବ୍ଧ ହୋଇଥିବା ବେଳେ ଏଟିଏମ୍‌ ସେବା ମାତ୍ର ୩୦ ପ୍ରତିଶତ ସମ୍ଭବ ହୋଇପାରିଛି। ‌ଟେଲି ଯୋଗାଯୋଗ କ୍ଷେତ୍ରରେ ପୁରୀ ସହରରେ ୪୫ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୭୮ ପ୍ରତିଶତ, ପୁରୀ ଜିଲ୍ଲାରେ ୫୨ ପ୍ରତିଶତ, କଟକ ଜିଲ୍ଲାରେ ୮୮ ପ୍ରତିଶତ, ଭୁବନେଶ୍ବର ସହରରେ ୮୨ ପ୍ରତିଶତ, କଟକ ସହରରେ ୮୯ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ଓ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଥିବାରୁ ଜିଏସ୍‌ଟି ଦାଖଲ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଏସ୍‌ଟି ପରିଷଦ ପକ୍ଷରୁ ଜିଏସ୍‌ଟିଆର-୧ ଫର୍ମର ଦାଖଲ ତାରିଖ ମେ’ ୧୧ ତାରିଖରୁ ଜୁନ୍‌ ୧୦ ତାରିଖକୁ ଏବଂ ଜିଏସ୍‌ଟିଆର-୩ ଫର୍ମର ସମୟସୀମାକୁ ଜୁନ୍‌ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଇପିଏଫ୍‌ ଓ ଇଏସ୍‌ଆଇ ଉପଭୋକ୍ତାମାନଙ୍କ ଦେୟ ଓ ରିଟର୍ଣ୍ଣ ତାରିଖକୁ ଯଥାକ୍ରମେ ଜୁନ୍‌ ୨୦ ଓ ଜୁନ୍‌ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ସୂଚନା ଦେଇଥିଲେ ସୂଚନା ସଚିବ ଶ୍ରୀ ସିଂହ। ପାନୀୟଜଳ ସଂପର୍କରେ ସେ କହିଲେ ଯେ ପୁରୀ ଜିଲ୍ଲାର କାକଟପୁର ବ୍ଲକ ଅଞ୍ଚଳକୁ ଛାଡ଼ିଦେଲେ ପୁରୀ ଓ ଅନ୍ୟ ୬ଟି ପ୍ରଭାବିତ ଜିଲ୍ଲାରେ ଜଳଯୋଗାଣ ସ୍ବାଭାବିକ ହୋଇପାରିଛି। ସମସ୍ତ ପ୍ରଭାବିତ ଅଞ୍ଚଳର ୯୩.୩୬ ପ୍ରତିଶତ ହିତାଧିକାରୀଙ୍କୁ ରିଲିଫ ଚାଉଳ ଓ ୯୪.୯୧ ପ୍ରତିଶତଙ୍କୁ ନଗଦ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ କାର୍ଡଧାରୀଙ୍କୁ ୨.୫ ଲିଟର କିରାସିନି ଦିଆଯାଉଛି। ପୁରୀ ଜିଲ୍ଲାରେ ଯୋଗାଣ ନିଗମ ପକ୍ଷରୁ ୬ଟି ଭ୍ୟାନ୍‌ ଯୋଗେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ଆଳୁ, ପିଆଜ, ଲୁଣ, ଡିଆସିଲି, ମହମବତୀ ଆଦି ବିକ୍ରି କରାଯାଉଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କୌଣସି ରୋଗ ମହାମାରୀ ରୂପ ଧାରଣ କରିନଥିବା ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ଅଛି ବୋଲି ସେ କହିଥିଲେ।

ଆଜି ସୁଦ୍ଧା ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୬୪ରେ ସୀମିତ ରହିଛି। ବହୁସଂଖ୍ୟାରେ ପଶୁପକ୍ଷୀ ମରିଥିଲେ ବି ସେଗୁଡ଼ିକର ଶବକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବାରୁ କୌଣସି ସ୍ଥାନରେ ସମସ୍ୟା ସୃଷ୍ଟି ‌େହାଇ ନାହିଁ। ୫୨୫୮ଟି ପିଏମ୍‌ଇଜିପି ଦରଖାସ୍ତକୁ ଯଥାଶୀଘ୍ର ମଞ୍ଜୁରି ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି। ବ୍ୟାଙ୍କମାନଙ୍କ ପକ୍ଷରୁ ଋଣ ବିନ୍ୟାସ କୋହଳ କରାଯାଇଥିବାରୁ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କ ନିକଟରେ ନଗଦ ଅର୍ଥ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌.ଏନ୍‌.ଗୁପ୍ତା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe