୧୦ ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ

Advertisment
୧୦ ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗୁରୁବାର ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଶଶିଭୂଷଣ ସ୍ବାଇଁ ଓ ରାଜ୍ୟ ସମ୍ପାଦକ କ୍ଷୀରୋଦ ସି˚ହଦେଓଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଚାଷୀ ରେଳଷ୍ଟେସନ୍‌ରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଆୟୋଜିତ ସଭାରେ ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ନିନ୍ଦା କରାଯିବା ସହ କ୍ଷୋଭ ପ୍ରକାଶ ପାଇଥିଲା। ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗିଦାରୀ (ଆରସିଇପି) ନାମରେ କେନ୍ଦ୍ର ସରକାର କରୁଥିବା ଚୁକ୍ତିକୁ ବାତିଲ୍‌, ଡ. ସ୍ବାମୀନାଥନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ, ଧାନ କ୍ବିଣ୍ଟାଲ୍‌ ୩ ହଜାର ଟଙ୍କା ଧାର୍ଯ୍ୟ, ଅଭାବୀ ଧାନ ବିକ୍ରି ବନ୍ଦ କରି ଫରୱାର୍ଡ ଟ୍ରେଡିଙ୍ଗ୍‌ ବନ୍ଦ କରିବା, କଳକାରଖାନା ଓ ଖଣି ଖାଦାନ ଅଞ୍ଚଳରେ କୃଷି କ୍ଷେତ୍ରରେ ହେଉଥିବା ଜଳବାୟୁ ପ୍ରଦୂଷଣକୁ ବନ୍ଦ କରିବା, କୃଷିଋଣ ଛାଡ଼, ୬୦ ବର୍ଷରୁ ଊର୍ଧ୍ବ ଚାଷୀଙ୍କୁ ୬ ହଜାର ଟଙ୍କା ପେନସନ୍‌ ପାଇଁ ସଂଘ ଦୃଢ଼ ଦାବି କରିଛି।

ଏହାକୁ ସମର୍ଥନ କରି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ପ୍ରଶାନ୍ତ ମିଶ୍ର, ଶ୍ରୀହର୍ଷ ରଥ, ସନାତନ ପାତ୍ର, ସୁର ଜେନା ଓ ହୃଷୀକେଶ ମିଶ୍ର ପ୍ରମୁଖ କେନ୍ଦ୍ର ବିଜେପି ସରକାର ସମୟରେ କୃଷକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିଥିଲେ। ଦୁଗ୍ଧ, ଧାନ, ନଡ଼ିଆ, ପାନ, ଆଖୁ ପ୍ରଭୃତି ଚାଷ ଗ୍ରାମାଞ୍ଚଳର ଆର୍ଥିକ ମେରୁଦଣ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଦେଶୀ ବିଦେଶୀ କମ୍ପାନି ହାତକୁ ଟେକି ଦେଉଛନ୍ତି। ଅପରପକ୍ଷରେ ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ବିରୁଦ୍ଧରେ ସମସ୍ତ ବାମ, ଗାଣତାନ୍ତ୍ରିକ ପ୍ରଗତିଶୀଳ କୃଷକ ସଂଗଠନ ଏକ ହେବାକୁ ଆହ୍ୱାନ ଦେଇଥିଲେ। ସଭା ପରେ ଏକ ପ୍ରତିନିଧିମଣ୍ଡଳୀ କୃଷିମନ୍ତ୍ରୀଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର କରୁଥିବା କୃଷକ ମାରଣ ଚୁକ୍ତିକୁ ରାଜ୍ୟ ସରକାର ସିଧାସଳଖ ବିରୋଧ କରନ୍ତୁ ବୋଲି କୃଷକ ପ୍ରତିନିଧିମାନେ କୃଷିମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe