ମୃତ୍ୟୁ ସହ ଲଢୁଛନ୍ତି ଆଉ ଜଣେ ଚାଷୀ

Advertisment
ମୃତ୍ୟୁ ସହ ଲଢୁଛନ୍ତି ଆଉ ଜଣେ ଚାଷୀ

ବୁର୍ଲା : ମରୁଡି ଘୋଷଣାର ୩୬ ଘଣ୍ଟା ବିତି ନଥିବା ବେଳେ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବା ନେଇ ଅଭିଯୋଗ ହେଉଛି। ଗୁରୁବାର ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଗାଇସିଲେଟ୍‍ ବ୍ଲକର ଜଣେ ଚାଷୀ ଆତ୍ମହତ୍ୟା କରିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରି ବୁର୍ଲା ମେଡିକାଲ୍‍ରେ ଚିକିତ୍ସାଧୀନ ଥିବା ଆଉ ଜଣେ ଚାଷୀ ମୃତ୍ୟୁ ସହ ଲଢେଇ କରୁଛନ୍ତି।

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ଗାଁର ଚାଷୀ ଜୀବର୍ଦ୍ଧନ ସେଠ୍‍(୪୫) ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେଉଛି। ସେ ଋଣ କରଜ କରି ଧାନ ଚାଷ କରିଥିବା ମୋଟ ୪ ଏକର୍‍ ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଯାଇଛି। ଫସଲ ନଷ୍ଟ ହୋଇଥିବାରୁ ସେ କିଛି ଦିନରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତାଙ୍କ ସ୍ତ୍ରୀ ଉଦିଆଁ ସେଠ୍‍ଙ୍କ କହିବା ଅନୁସାରେ ଗୁରୁବାର ସକାଳେ ପ୍ରାୟ ୬ଟାରେ ଚାଷୀ ଜୀବର୍ଦ୍ଧନ ତାଙ୍କ ଚାଷ ଜମିକୁ କୀଟନାଶକ ସିଞ୍ଚନ କରିବା ପାଇଁ ଯାଇଥିଲେ। ଫସଲ ନଷ୍ଟ ହୋଇଥିବା ଦେଖି ସେ ଚାଷଜମିରେ ହିଁ ସାଙ୍ଗରେ ନେଇଥିବା କୀଟନାଶକକୁ ପିଇ ଦେଇଥିଲେ। ପରିବାରର ଅନ୍ୟ ସଦଶ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋଡଭଗାର ଜଣେ ଘରୋଇ ଡାକ୍ତରଙ୍କୁ ଦେଖେଇବା ପରେ ମୁମୂର୍ଷୁ ଅବସ୍ଥାରେ ବୁର୍ଲାମେଡିକାଲ୍‍ ଆଣିଥିଲେ। ୪ ନଂ ମେଡିସିନ୍‍ ପୁରୁଷ ଓ୍ଵାର୍ଡ ୬୫ ନମ୍ବର ଶଯ୍ୟାରେ ତାଙ୍କୁ ଭର୍ତ୍ତିି କରାଯାଇଛି। ଅବସ୍ଥା ସଙ୍କାଟାପନ୍ନ ରହିଥିବା ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଜଣାପଡିଛି।

ପରିବାର ଲୋକଙ୍କ କହିବା ଅନୁସାରେ ଜୀବର୍ଦ୍ଧନଙ୍କ ବଡ ଭାଇଙ୍କ ମୃତ୍ୟୁ ପରେ ସେ ହିଁ ଦୁଇଟି ପରିବାରର ପ୍ରତିପୋଷଣ କରୁଛନ୍ତି। ତାଙ୍କର ମୋଟ ଚାରି ଏକର୍‍ ଚାଷ ଜମି ଅଛି । ଏଫ୍‍ସିଆଇରୁ ୨୫ ହଜାର ଓ ୨୫ ହଜାର ଏମିତି ମୋଟ ୫୦ ହଜାର ଟଙ୍କା ଋଣ କରି ଧାନ ଚାଷ କରିଥିଲେ। ଏହା ବ୍ୟତୀତ ଏସ୍‍ଏସ୍‍ଜି ଋଣ ଓ ଘରୋଇ ଦୋକାନରୁ ୪ ବସ୍ତା ସାର, କୀଟନାଶକ ଧାରରେ ଆଣିଥିଲେ। ମାତ୍ର ଜଳାଭାବ ଓ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe