ଚାଷୀ ଆତ୍ମହତ୍ୟା ଅଭିଯୋଗ : ସପ୍ତାହକ ମଧ୍ୟରେ ଚାଲିଗଲେ ପରିବାରର ୩

Advertisment
ଚାଷୀ ଆତ୍ମହତ୍ୟା ଅଭିଯୋଗ : ସପ୍ତାହକ ମଧ୍ୟରେ ଚାଲିଗଲେ ପରିବାରର ୩

Photo by : newindianexpress.com

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ଖୁଟୁଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ଋଣ ବୋଝ ଅସହ୍ୟ ହେବାରୁ ଜଣେ ଚାଷୀ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଅଭିଯୋଗ ମିଳିବା ପରେ ଉମରକୋଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଖୁଟୁଗୁଡ଼ା ଗାଁର ଚାଷୀ ଦୁବୁର ଗୌଡ଼ ୮ଏକର ଜମିରେ ମକା, ୩ଏକର ଜମିରେ ଧାନ ଏବଂ ଅନ୍ୟ କିଛି ଜମିରେ ପରିବା ଚାଷ କରିଥିଲେ। ତେବେ ଲଘୁଚାପ ଜନିତ ବର୍ଷାରେ ମକା, ଧାନ ସହ ପରିବା ଚାଷ ନଷ୍ଟ ହୋଇଥିଲା। ବ୍ୟାଙ୍କ ଏବଂ ମହାଜନଙ୍କ ଠାରୁ ଋଣ ଆଣି ଚାଷ କରିଥିବାରୁ ପରିଶୋଧ ଚିନ୍ତାରେ ଦୁବୁର ରହିଥିଲେ। ଅନ୍ୟପଟେ ସପ୍ତାହକ ତଳେ ତାଙ୍କ ମା’ ଏବଂ ୩ଦିନ ତଳେ ଦିବ୍ୟାଙ୍ଗ ଭାଇର ମୃତ୍ୟୁ ହେବାରୁ ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅତ୍ୟଧିକ ଚାପଗ୍ରସ୍ତ ରହିଥିବା ବେଳେ ଗତକାଲି ରାତିରେ ଚାଷ ଜମି ନିକଟରେ ଥିବା କୁଡ଼ିଆକୁ ଶୋଇବାକୁ ଯାଇଥିଲେ। ସକାଳେ ନ ଫେରିବାରୁ ପୁଅ ହେମନ୍ତ ଗୌଡ଼ ଖୋଜିବାକୁ ବାହାରିଥିଲା। ଚାଷ ଜମି ନିକଟସ୍ଥ କୁଡ଼ିଆ ମଧ୍ୟରେ ଚିତ୍ ହୋଇ ଦୁବୁର ପଡ଼ିଥିଲେ। ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ପାଖରେ ଥିବା କୀଟନାଶକ ଦେଖି ବାପା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା।

ଏନେଇ ଉମରକୋଟ ଥାନାରେ ପୁଅ ଏତଲା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସପ୍ତାହକ ମଧ୍ୟରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଘଟଣା ସଂପର୍କରେ ତହସିଲଦାର ଡ. ହିମାଞ୍ଚଳ ମଣ୍ଡଳଙ୍କୁ ଯୋଗାଯୋଗ କରିବାରୁ ଏଭଳି ଘଟଣା ସଂପର୍କରେ ସେ ସୂଚନା ପାଇଛନ୍ତି। ବର୍ତ୍ତମାନ ସେ ଛୁଟିରେ ଅଛନ୍ତି, ଫେରିବା ପରେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଉମରକୋଟ ଥାନା ଆଇଆଇସି ନରେଶ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ପରିବାର ଲୋକଙ୍କ ଅଭିଯୋଗ ହେଲା, ସଂପୃକ୍ତ ଚାଷୀ ଋଣଗ୍ରସ୍ତ ହୋଇ ଚିନ୍ତାରେ ରହିଥିଲେ। ତେଣୁ ଖାଇବା ପିଇବା ଠିକ୍ ରୂପେ କରୁନଥିଲେ ଏବଂ ସବୁବେଳେ ଅନ୍ୟମନସ୍କ ରହୁଥିଲେ। ମାତ୍ରାଧିକ ଚାପଗ୍ରସ୍ତ ହୋଇ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe