ବିଜେପୁରରେ ଚାଷୀ ଆତ୍ମହତ୍ୟା

Advertisment
ବିଜେପୁରରେ ଚାଷୀ ଆତ୍ମହତ୍ୟା

ବରଗଡ଼ : ଉପନିର୍ବାଚନ ପାଇଁ ବିଜେପୁରର ରାଜନୈତିକ ହାଓ୍ଵା ସରଗରମ ଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ୍‌ ବ୍ଲକରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସବୁ ରାଜନୈତିକ ଦଳର ନେତାମାନେ ସେଠାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ବେଳେ ଏହି ବ୍ଲକ ନୂଆପାଲି ଗାଁର କ୍ଷମାସାଗର ବିଶ୍ୱାଳ (୫୫) ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଋଣବୋଝ ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ଥିବା କ୍ଷମାସାଗର ୧୫ ତାରିଖ ଦିନ ବିଷ ପିଇ ଦେଇଥିଲେ। ଶନିବାର ତାଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ଝିଅ ବାହାଘର ପାଇଁ କ୍ଷମାସାଗର ଗୋଟିଏ ଏକର ଜମି ବନ୍ଧକ ରଖି ଲକ୍ଷେ ଟଙ୍କା କରଜ ଆଣିଥିଲେ। ଫସଲ ଭଲ ନ ହେବାରୁ ଋଣ ପରିଶୋଧର ଚାପ ତାଙ୍କୁ ଘାରିଥିଲା। ଜମି ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ସେ ୧୮ ଡିସମିଲ୍‌ ଜମି ନେଇ ଯିବାକୁ କହିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ଜଣକ ସୁଧ ସହ ମୂଳ ଟଙ୍କା ମାଗିଥିଲେ। ଚାପଗ୍ରସ୍ତ କ୍ଷମାସାଗର ଶେଷରେ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଶନିବାର ବୁର୍ଲା ନିଆଯାଉଥିଲା। ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘଟଣା ସଂପର୍କରେ ଖବର ପାଇ ସେଠାରେ ପହଂଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତୁରନ୍ତ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ବିଭିନ୍ନ ଦଳର କର୍ମକର୍ତା ମଧ୍ୟ ନୂଆପାଲିରେ ପହଂଚି ମୃତକଙ୍କ ପରିବାରକୁ ଭେଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe