ଲଘୁଚାପ ବର୍ଷା ହେଲା କାଳ : ବାଲିଆପାଳରେ ଆତ୍ମହତ୍ୟା କଲେ ଚାଷୀ

Advertisment
ଲଘୁଚାପ ବର୍ଷା ହେଲା କାଳ : ବାଲିଆପାଳରେ ଆତ୍ମହତ୍ୟା କଲେ ଚାଷୀ

Photo by : youngindiaface.in

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ରତାଇ ପଞ୍ଚାୟତ ଅନ୍ତର୍ଗତ ଭାନପୁର ଗାଁର ଚାଷୀ ଯତୀନ୍ଦ୍ର ବିଶ୍ୱାଳ (୫୨) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷ କ୍ଷତିଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ଅନିୟମିତ ମୌସୁମୀ ଓ ବନ୍ୟାରେ ଯତୀନ୍ଦ୍ରଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଯାହାକିଛି ଅମଳର ଆଶାଥିଲା, ଲଘୁଚାପ ବର୍ଷା ଓ ପୋକ ସେଇ ଆଶା ଟିକକ ମଧ୍ୟ ଛଡ଼ାଇନେଲା। ଏଥିଯୋଗୁଁ ସେ ଚିନ୍ତାଗ୍ରସ୍ତଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥବା ଗାଁ ଲୋକେ ବି କହିଛନ୍ତି।

ଯତୀନ୍ଦ୍ରଙ୍କ ଶବ ଆଜି ତାଙ୍କ ଚାଷଜମିଠାରୁ ଅଳ୍ପ ଦୂରରୁ ମିଳିଛି। ଜମି ନିକଟରେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାରଲୋକଙ୍କୁ ଖବର ଦେଇଥିଲେ। ସୂଚନା ପାଇ ବାଲିଆପାଳ ତହସିଲଦାର ଡ. ଜିତେନ୍ଦ୍ର କୁମାର ପାତ୍ର, କୃଷି ଅଧିକାରୀ ଅଜୟ କୁମାର ତିର୍କୀ, ଆର୍‌ଆଇ ରାଜକିଶୋର ନାୟକ ଓ ବାଲିଆପାଳ ଥାନା ଏଏସ୍‌ଆଇ ଜୟନ୍ତ କୁମାର ପତି ମଧ୍ୟ ପହଂଚିଥିଲେ। ସରକାରୀ ଅଧିକାରୀମାନେ ପାରିପାର୍ଶ୍ୱିକ ଅବସ୍ଥା ଯାଂଚ୍‌ କରିଛନ୍ତି। ଶବ ପାଖରେ କୀଟନାଶକ ବୋତଲ ପଡ଼ିଥିବାରୁ ଯତୀନ୍ଦ୍ର ଏହାକୁ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବାଲିଆପାଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯତୀନ୍ଦ୍ରଙ୍କ ପୁତୁରା ଉମାକାନ୍ତ ବିଶ୍ୱାଳଙ୍କ ଏତଲା ଭିତ୍ତିରେ ପୁଲିସ ଥାନା କେସ୍‌ ନମ୍ବର ୩୧/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯତୀନ୍ଦ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କ୍ଷମାସାଗର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।

ଗାଁ ଲୋକଙ୍କ କହିବା କଥା; ଗରିବ ଯତୀନ୍ଦ୍ର ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ପରିବାର କହିଲେ- ଝିଅ, ଦୁଇପୁଅ ଓ ପତ୍ନୀ। ଝିଅର ବାହାଘର ସରିଛି। ବଡ଼ପୁଅ ରାଜ୍ୟ ବାହାରର ଏକ କମ୍ପାନିରେ କାମ କରୁଛନ୍ତି। ସାନପୁଅ ତ୍ରିଲୋଚନ ଓ ପତ୍ନୀ ଜୟନ୍ତୀ ଗାଁରେ ରହନ୍ତି। ଯତୀନ୍ଦ୍ର ନିଜର ୬ ଗୁଣ୍ଠ ଜମି ସହ ୩ ଏକର ଜମିରେ ଭାଗଚାଷ କରିଥିଲେ। ଚଳିତ ବର୍ଷ ଅନିୟମିତ ମୌସୁମୀ ଓ ବନ୍ୟାରେ ତାଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଯାହାବା କିଛି ଅମଳ ହୋଇଥା’ନ୍ତା, ଲଘୁଚାପ ବର୍ଷା ସେ ଆଶା ଟିକକ ମଧ୍ୟ ଛଡ଼ାଇନେଲା। ବର୍ଷା ପରଠୁ ଯତୀନ୍ଦ୍ର ସବୁବେଳେ ବିଷାଦଗ୍ରସ୍ତ ରହୁଥିଲେ। ତାଙ୍କ ମୁହଁରୁ ହସ ଲିଭି ଯାଇଥିଲା। ଫସଲ କ୍ଷତି ଚିନ୍ତା ଅସହ୍ୟ ହେବାରୁ ଯତୀନ୍ଦ୍ର ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe