ବିଲରେ ଛିଣ୍ଡି ପଡ଼ିଥିଲା ୧୧ କେଭି ତାର, କୋବି ତୋଳିବାକୁ ଯାଇ ଟଳିପଡ଼ିଲେ ଚାଷୀ ଦମ୍ପତି

Advertisment

ଦୁଇ ଦିନ ପରେ ହୋଇଥାନ୍ତା ପୁଅର ବାହାଘର

ଦୁଇ ଦିନ ପରେ ହୋଇଥାନ୍ତା ପୁଅର ବାହାଘର

ଗୁଣିଆ ସନ୍ଦେହ‌ରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

East Idaho News

ହିଞ୍ଜିଳିକାଟୁ : ସାଥୀ ହୋଇ ସବୁଦିନ ବାଡ଼ିକୁ ପରିବା ତୋଳିବା ପାଇଁ ଯାଉଥିଲେ। ହେଲେ ଆଜି ସାଥୀ ହୋଇ ଆରପାରିକୁ ଚାଲିଗ‌ଲେ। ବିଦ୍ୟୁତ୍ ବିଭାଗର ଅପାରଗତା ଲାଗି ୧୧ କେଭି ତାରରେ ଛନ୍ଦି ହୋଇ ନିମିଷକ‌ରେ ଚାଷୀ ଦମ୍ପତିଙ୍କ ଜୀବନ ଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଓ ଶେରଗଡ଼ ଥାନା ଅଧୀନ ପୁରୁଣା ବୁରୁପଡ଼ା ଗ୍ରାମରେ ଏଭଳି ଏକ ଅଘଟଣ ଆଜି ଆଲୋଡ଼ନ ସୃଷ୍ଟି କରିଛି। ମୃତ ଦମ୍ପତି ହେଲେ, ବୁରୁପଡ଼ା ଗ୍ରାମର ଦଳେଇ ସାହିର ହୀନ ସାମଲ (୬୫) ଓ ପତ୍ନୀ ବିଷ୍ଣୁ (୬୦)। ଆସନ୍ତା ୧୪ ତାରିଖରେ ପୁଅ ଗୌଡ଼ଙ୍କ ବାହାଘର ଥିବା ବେଳେ ସମସ୍ତ ପ୍ରସ୍ତୁତ ସରିଥିଲା। ହେଲେ ବାପାମା'ଙ୍କ ମୃତ୍ୟୁ ପରେ ପୂରା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ସୂଚନାନୁସାରେ, ପ୍ରତିଦିନ ଭଳି ଆଜି ମଧ୍ୟ ଭୋର୍ ସାଢ଼େ ୪ଟାରେ ହୀନ ଓ ବିଷ୍ଣୁ ବାଡ଼କୁ ଫୁଲକୋବି ତୋଳିବାକୁ ଯାଇଥି‌ଲେ। ଏହି ସମୟରେ ବାଡ଼ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ନଡ଼ିଆ ଗଛର ବାହୁଙ୍ଗା ସହ ଛିଣ୍ଡି ପଡ଼ିଯାଇଥିଲା। ଅନ୍ଧାର ଯୋଗୁଁ ସେମାନେ ଦେଖି ନ ପାରି ତାର ସଂସ୍ପର୍ଶରେ ଅସିଯାଇଥିଲେ। ପୁଅ ଗୌଡ଼ ସାମଲ ସଂଗେ ସଂଗେ ପହଞ୍ଚି ବାପା ହୀନ ଓ ମା' ବିଷ୍ଣୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କାନ୍ଦ‌ବୋବାଳିରେ ଡାକ୍ତରଖାନା ପରିବେଶ ଫାଟି ପଡ଼ିଥିଲା।

ହିଞ୍ଜିଳିକାଟୁ ଥାନାଧିକାରୀ ଅଭିମନ୍ୟୁ ଦାସ ଓ ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାଶ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଶେରଗଡ଼ ଥାନାରେ କେସ୍ ନମ୍ବର ୧୫୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ହିଞ୍ଜିଳିକାଟୁ ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ପ୍ରଭାତ କୁମାର ପରିଡ଼ା ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୪୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଦମ୍ପତିଙ୍କ ଏମିତି ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେମାନଙ୍କର ୪ ଝିଅ ବିବାହ କରିସାରିଥିବା ବେଳେ ଘରେ ଦୁଇ ପୁଅ ଅଛନ୍ତି। ତେବ‌େ ଏହି ଘଟଣା ଲାଗି ବିଦ୍ୟୁତ ବିଭାଗର ମନମୁଖୀ ନୀତିକୁ ଦାୟୀ କରିଛନ୍ତି। ବାଡ଼ ଓ ଜମି ଦେଇଯାଇଥିବା ୧୧ କେଭି ତାର କମ୍ ଉଚ୍ଚତାରେ ଥିବାରୁ ସାମାନ୍ୟ ପବନ ହେଲେ ଏହା ଉପରେ ନଡ଼ିଆ ଗଛ ବାହୁଙ୍ଗା ପଡ଼ି ଛିଣ୍ଡିଯାଉଛି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe