ପାଣିକୋଇଲି : ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ମଲ୍ଲିଆ ଗ୍ରାମର ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ରଙ୍କ ଉପରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଯାଜପୁର ଏସ୍ପି ଭିନିତ ଅଗ୍ରୱାଲ୍ଙ୍କୁ ଭେଟି ଓଡ଼ିଶା କୃଷକ ବିକାଶ ମଞ୍ଚ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ କର୍ମୀମାନେ ଦାବି କରିଛନ୍ତି।
ଫତେପୁର ପଞ୍ଚାୟତ ନାଉପାଳ ଗ୍ରାମରେ ମେସିନରେ ପୋଖରୀ ଖୋଳା ଯାଉଥିବାରୁ ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ର ବିଂଝାରପୁର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ଓ ପଞ୍ଚାୟତର ଜିଆରଏସଙ୍କୁ ଫୋନ୍ରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗତ ମେ ମାସ ୨୭ ତାରିଖରେ ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ସଂଘବଦ୍ଧ ଭାବେ ଶ୍ରୀପାତ୍ର ଓ ତାଙ୍କ ପତ୍ନୀକୁ ଆକ୍ରମଣ କରିଥିଲେ। ଶ୍ରୀପାତ୍ରଙ୍କୁ ୨କି.ମି. ଚଲାଇଚଲାଇ ନେଇ ଖୋଳା ଯାଉଥିବା ପୋଖରୀରୁ ମୁଣ୍ଡରେ ମାଟି ବୁହାଇଥିଲେ। ମୋବାଇଲ୍ ଛଡ଼ାଇ ନେବା ସହ ତାଙ୍କଠାରୁ ଓ ତାଙ୍କ ବାପାଙ୍କ ଠାରୁ ଏକ ବଣ୍ଡ ପେପରରେ ଦସ୍ତଖତ କରିନେଇଥିଲେ। ଶ୍ରୀପାତ୍ର ଏନେଇ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ। ଫଳରେ ଆଜି ୪୦ ରୁ ଅଧିକ କୃଷକନେତା, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ ଏସ୍ପି ଶ୍ରୀ ଅଗ୍ରୱାଲଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
ଏହି ପ୍ରତିନିଧି ଦଳରେ ଓଡ଼ିଶା ବିକାଶ ମଞ୍ଚର ଜିଲ୍ଲା ସଭାପତି ବସନ୍ତ ପରିଡ଼ା, ସମ୍ପାଦକ ରବୀନ୍ଦ୍ର କୁମାର ଜେନା, ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଆଇନଜୀବୀ ସୁଧୀର ଭୂୟାଁ, ସଂଯୁକ୍ତା ପାଣିଗ୍ରାହୀ, ଭୁବନାନନ୍ଦ ସାମଲ, ସାମାଜିକ କର୍ମୀ ବିଶ୍ଵଜିତ ମହାନ୍ତି, କିଷାନ ପଣ୍ଡା, ପ୍ରଶାନ୍ତ ବେହେରା, ମନୋଜ ଦାସ, ଗୌରାଙ୍ଗ ବଳ, ସ୍ବର୍ଣ୍ଣପ୍ରଭା ସାମଲ ପ୍ରମୁଖ ଯୋଗ ଦେଇଥିଲେ।
Follow Us