shutterstock.com
ବେତନଟୀ: ବେତନଟୀ ଥାନା କାଠପାଳର ଭାସ୍କର ଚନ୍ଦ୍ର ମହାନ୍ତ (୬୨) ବିଲରେ ଚାଷ କରୁଥିବାବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ପାଇଁ ଲୋକେ ଅଡ଼ି ବସିଥିଲେ।
ସୂଚନା ଅନୁଯାୟୀ ଆଜି ସକାଳେ ନିଜ ଜମିରେ ହିଡ଼ କାଟୁଥିଲେ ଭାସ୍କର। ଏହି ସମୟରେ ଜମି ଉପରେ ଯାଇଥିବା ୧୧ କେଭି ତାର ହଠାତ ଛିଣ୍ଡିପଡ଼ି ତାଙ୍କ ଉପରେ ପଡ଼ିଥିଲା। ଆଉ ଘଟଣାସ୍ଥଳରେ ଭାସ୍କର ଛଟପଟ ହୋଇ ପ୍ରାଣ ହରାଇଥିଲେ। ଖବର ପାଇ ଭାସ୍କରଙ୍କ ଦୁଇ ପୁଅ ଦୁବରାଜ, ଧନଞ୍ଜୟ, ପୁତୁରା ଶଙ୍କର, ବୈକୁଣ୍ଠ, ହୃଷୀକେଶ ଓ ଗ୍ରାମବାସୀ ଆସି ମୃତଦେହ ଉଦ୍ଧାର କରିଥିଲେ। ଏହି ଅଘଟଣ ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଥିଲେ ଗ୍ରାମବାସୀ ଓ ପରିବାର ଲୋକ। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବିଜେପି ବାରିପଦା ମଣ୍ତଳ ସଭାପତି ରତିକାନ୍ତ ମହାନ୍ତ, ଦାନ୍ତିଆମୁହାଁ ମଣ୍ତଳ ସଭାପତି ସୁକୁଲ ମୁର୍ମୁ, ଯୁବନେତା ଯଦୁପତି ମହାନ୍ତ, ଜନାର୍ଦ୍ଦନ ମହାନ୍ତ, ସଂଗ୍ରାମ କେଶରୀ ଦେବ, ପଦ୍ମଲୋଚନ ମହାନ୍ତ, ଗୋପାଲ ଚନ୍ଦ୍ର ମହାନ୍ତ ପ୍ରମୁଖ ଅଡ଼ି ବସିଥିଲେ। ବିଦ୍ୟୁତ୍ ସରଞ୍ଜାମଗୁଡିକର ନିୟମିତ ରକ୍ଷଣାବେକ୍ଷଣ ହେଉନି। ବହୁ ସ୍ଥାନରେ ୧୧ କେଭି ତାର ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଏଥିପାଇଁ ବିଦ୍ୟୁତ ବିଭାଗ ଦାୟୀ। ତେଣୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଭାସ୍କରଙ୍କ ପରିବାରର ଜଣଙ୍କୁ ନେସ୍କୋରେ ଚାକିରି ଦେବାକୁ ଗ୍ରାମବାସୀ ଦାବି କରିଥିଲେ।
ଖବର ପାଇ ନେସ୍କୋ ଉପଖଣ୍ତ ଅଧିକାରୀ ସତ୍ୟବ୍ରତ ସେଠୀ, ଜୁନିଅର ମ୍ୟାନେଜର ବସନ୍ତ ସାହୁ, କୃଷ୍ଣଚନ୍ଦ୍ରପୁର ଫାଣ୍ତି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ, ବଡ଼ଜାମବଣୀ ଫାଣ୍ତି ଅଧିକାରୀ ପିଏମ୍ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଉତ୍ତେଜନା କମିଥିଲା ଓ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବିଦ୍ୟୁତ ବିଭାଗର ଅବହେଳାରୁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ମୃତ ଭାସ୍କରଙ୍କ ପୁଅ ଦୁବରାଜ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନଂ ୧୪୮/୨୦ରେ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ନେସ୍କୋ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ଦଣ୍ତପାଟଙ୍କୁ ପଚାରିବାରୁ ଆଜି ସକାଳେ ହଠାତ ଡିସ୍କ୍ଟି ସମ୍ପୂର୍ଣ୍ଣ ଫାଟିଯିବାରୁ ତାର ଝୁଲିପଡ଼ି ଏହି ଅଘଟଣ ଘଟିଲା ବୋଲି ସେ କହିଛନ୍ତି।
Follow Us