ଏବେ ଗଜା ଭୟ, ଧାନ କେଉଁଠି ଭାସୁଛି, କେଉଁଠି ବୁଡ଼ିଛି

ଏବେ ଗଜା ଭୟ, ଧାନ କେଉଁଠି ଭାସୁଛି, କେଉଁଠି ବୁଡ଼ିଛି

ଅନୁଗୁଳ/କଙ୍କଡ଼ାହାଡ଼/ବନ୍ତଳା: ଅନୁଗୁଳ ଓ ଢେଙ୍କାନାଳକୁ ଭିଜାଇଛି ସାମୁଦ୍ରିକ ବାତ୍ୟା ‘ପେଥାଇ’। ଗତକାଲି ଅପରାହ୍‌ଣରୁ ଜିଲ୍ଲା ସାରା ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ରାତିସାରା ଏମିତିି ବର୍ଷି ଆଜି ମଧ୍ୟହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଫଳତଃ ୨୪ଘଣ୍ଟା ଭିତରେ ବାତ୍ୟା ‘ପେଥାଇ’ ଅନୁଗୁଳ ଜିଲ୍ଲାରେ ହାରାହାରି ୪୫ମିଲିମିଟର ବର୍ଷା କରାଇଛି। ଅଦିନିଆ ବର୍ଷା ସିଧା ଚାଷୀଙ୍କ ଉପରେ ମାଡ଼ ହୋଇଛି। କ୍ଷେତରେ ଲୋଟିଥିବା ଚାଷୀଙ୍କ ସୁନାର ଫସଲ ସବୁ ଆଜକୁ ଦୁଇ ଦିନ ହେଲା ପାଣିରେ ବୁଡ଼ି ରହିଥିବା ବେଳେ କଟା ହୋଇଥିବା ଧାନ ସବୁ ଭାସୁଛି। ଓଦା ସରସର ସୁନାର ଫସଲ କେମିତି ଶୁଖାଇବେ ସେହି ଚିନ୍ତାରେ ଚାଷୀକୁଳ ପଡ଼ିଛନ୍ତି। ଅନୁଗୁଳ ବ୍ଲକ ବନ୍ତଳା ଇଲାକାରେ ପ୍ରାୟ ୩୦ଭାଗ ଫସଲ ଅମଳ ହୋଇଥିବା ବେଳେ ୭୦ଭାଗ ଧାନ ଏବେ ବି କ୍ଷେତରେ ପଡ଼ି ରହିଛି। ଧାନ ନ ଶୁଖିବା ପର୍ଯ୍ୟନ୍ତ କାଟିବା ସମ୍ଭବ ନୁହେଁ। ଧାନ କଟା ହୋଇ ଖଳାକୁ ଆଣିଲେ ମଧ୍ୟ ଫିମ୍ପିରୁ ରକ୍ଷା ନାହିଁ ବୋଲି ମାଧପୁର ଚାଷୀ ପ୍ରମୋଦ ସାହୁ, ବିଶ୍ବଜିତ୍ ପ୍ରଧାନ, ଦୁଲ୍ଲଭ ବିଶ୍ବାଳ, ସର୍ବେଶ୍ବର ଦେହୁରୀ ପ୍ରକାଶ କରିଛନ୍ତି।

ସେହିପରି ଢେଙ୍କାନାଳ ସଦର ବ୍ଲକର ୮ଟି ପଞ୍ଚାୟତ ଏବଂ ଓଡ଼ାପଡ଼ା ବ୍ଲକର ୪ଟି ପଞ୍ଚାୟତର ଧାନ ଫସଲ ପେଥାଇ ବର୍ଷାରେ ବେହାଲ ହୋଇଛି। ଛଦେଶ ଅଞ୍ଚଳର ଏହି ୧୨ଟି ପଞ୍ଚାୟତର ୪୦ଭାଗ ଖାଲ ଜମିରେ ପାଣି ଭର୍ତ୍ତି ହୋଇଥିବା ବେଳେ ୫୦ଭାଗ ଜମିରେ ବୁଣା ହୋଇଥିବା ଚଣା, ବିରି ଫସଲ ନଷ୍ଟ ହେବ ବୋଲି ଭାପୁର ଗାଁର ଚାଷୀ ଅନିରୁଦ୍ଧ ପଣ୍ଡା, ରାମଚନ୍ଦ୍ର ପଣ୍ଡା ଆଶଙ୍କା କରିଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ମହାବିରୋଡ଼ ଇଲାକାରେ ଅଧିକ ବର୍ଷା ଦେଖିବାକୁ ମିଳିଛି। ବିଶେଷ କରି ଦଶିପୁର, ପଙ୍ଗାତିରା, ବିରିବୋଲେଇ, ଘାଗରାମୁଣ୍ଡା, ଚାନ୍ଦପୁର, କୁଟୁରିଆ, ଝିଲ୍ଲୀ, ଗଡ଼ପଳାଶୁଣି, ବାମ ଆଦି ପଞ୍ଚାୟତରେ ଧାନ ଜମିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଭର୍ତ୍ତି ହୋଇଛି। ଧାନ ଫସଲ ସବୁ ବତୁରୁଛି। ଯେଉଁ ଚାଷୀମାନେ କ୍ଷେତରୁ ଖଳାକୁ ଫସଲ କାଟି ଆଣିଥିଲେ ତାହା ବି ଭିଜି ଯାଇଛି। ଭିଜା ଫସଲ ନେଇ କରିବେ କ’ଣ ସେହି ଚିନ୍ତା ଚାଷୀକୁଳଙ୍କୁ ଖାଇ ଯାଉଛି। ଯଦିଓ ଆଜି ମଧ୍ୟାହ୍ନରୁ ବର୍ଷା ଛାଡ଼ି ଯାଇଛି, କିନ୍ତୁ କୋହଲା ପାଗ ଛାଡ଼ି ଫସଲରେ ସୂର୍ଯ୍ୟ କିରଣ ଟିକେ ନ ବାଜିଲେ ଶହ ଶହ ହେକ୍ଟର ପାଚିଲା ଧାନ ଗଜା ଓ ଫିମ୍ପି ମାରିଯିବାର ଭୟ ଚାଷୀଙ୍କୁ ଘାରିଛି। ଏଭଳି ସ୍ଥିତିରେ କେମିତି ଧାନ ଶୁଖାଇଯିବ? ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ କନପରେନ୍ସିଂ ଜରିଆରେ ଆଜି ରାଜ୍ୟ ସରକାର ଚାଷର ସ୍ଥିତି ସମୀକ୍ଷା କରିଛନ୍ତି। କେଉଁ ଅଞ୍ଚଳରେ କେତେ ବର୍ଷା ହୋଇଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe