ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅଗଷ୍ଟ ୧ରୁ, ନଭେମ୍ବର ୧ରୁ ଧାନ ସଂଗ୍ରହ ଆରମ୍ଭ

Advertisment
କ୍ୟାବିନେଟ୍‌ ସଂକଳ୍ପକୁ ନେଇ ବୟାନବାଜି

The Hindu ( Representational)

ଭୁବନେଶ୍ବର : ୨୦୨୦-୨୧ର ଖରିଫ ଧାନ ସଂଗ୍ରହ ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ପାଇଁ ଚାଷୀ ପଞ୍ଜୀକରଣ ଅଗଷ୍ଟ ୧ ତାରିଖରୁ ଆରମ୍ଭ ‌‌‌ହେବ। ବିଭାଗ ସ୍ତରରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ‌େଲଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଏହି ଚିଠିରେ ଦର୍ଶାଯାଇଛି ଯେ ୨୦୧୯-୨୦ ଖରିଫ୍‌ ଧାନ ପାଇଁ ଯେଉଁ ଚାଷୀମାନଙ୍କର ନାମ ପଞ୍ଜୀକରଣ ହୋଇଥିଲା, ସେହି ତଥ୍ୟକୁ ନେଇ ୨୦୨୦-୨୧ ପାଇଁ ଏକ ଚିଠା ଡାଟାବେସ୍‌ ଜିଲ୍ଲା ସ୍ତରରେ ପ୍ରସ୍ତୁତ ହେବ। ଯେଉଁମାନେ ଗତ ବର୍ଷ ନାମ ପଞ୍ଜୀକରଣ କରିଥିଲେ, ସେମାନେ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ତାହାକୁ ନବୀକରଣ କରିବେ। ଯଦି ସେମାନେ କିଛି ତଥ୍ୟ ସଂଶୋଧନ କରିବାକୁ ଚାହୁଁଥିବେ, ତେବେ ଆଉ ଏକ ଫର୍ମ ପୂରଣ କରିବାକୁ ପଡ଼ିବ। ଏହା ସହ ନୂଆ ଚାଷୀଙ୍କର ମଧ୍ୟ ନାମ ପଞ୍ଜୀକରଣ କରାଯିବ। ପାକ୍ସ, ଲାମ୍ପ୍‌ସ୍‌, ଏସ୍‌ଏଚ୍‌ଜି ଓ ପାଣି ପଞ୍ଚାୟତ ଆଦିରେ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ।

ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଓ ନୂଆ ପଞ୍ଜୀକରଣ ଫର୍ମ ଡାଉନ୍‌ଲୋଡ୍‌ କରି ବିତରଣ କରାଯିବ। ଫର୍ମ ଦାଖଲର ଶେଷ ତାରିଖ ରହିଛି ଅଗଷ୍ଟ ୩୧। ଉଭୟ ନବୀକରଣ ଓ ନୂଆ ଫର୍ମର ଡିଜିଟାଇଜେସନ୍‌ର ଶେଷ ତାରିଖ ରହିଛି ସେପ୍ଟେମ୍ବର ୫। ପ୍ରତ୍ୟେକ ସୋସାଇଟି ପଞ୍ଜୀକୃତ ଚାଷୀମାନଙ୍କର ଏକ ତାଲିକା( ସେମାନଙ୍କ ଜମି ପରିମାଣ ସହ) ନିଜ କାର୍ଯ୍ୟାଳୟ, ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ଲଗାଇବେ। ଯେଉଁ ଚାଷୀଙ୍କର କିଛି ଆପତ୍ତି ଥିବ, ସେମାନେ ଅଗଷ୍ଟ ୧୦ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ସୋସାଇଟି କିମ୍ବା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦାଖଲ କରିପାରିବେ। ଜିଲ୍ଲା ଯୋଗାଣ ଅଧିକାରୀ ପଞ୍ଜୀକୃତ ଚାଷୀଙ୍କ ଜମି ଓ ବ୍ୟାଙ୍କ ବିବରଣୀ ସମ୍ପର୍କରେ ଆବଶ୍ୟକ ଯାଞ୍ଚ୍‌ ପ୍ରକ୍ରିୟା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe