ଗ୍ରୁପ୍‌ ଲୋନ୍‌ ହେଲା କାଳ : ଜୀବନ ହାରିଲେ ନଟବର

ଗ୍ରୁପ୍‌ ଲୋନ୍‌ ହେଲା କାଳ : ଜୀବନ ହାରିଲେ ନଟବର

କିଶନନଗର : ଗ୍ରୃପ୍‌ ଋଣ କରିଥିଲେ ଝିଅ ବାହାଘର ପାଇଁ। ଋଣ ଟଙ୍କାରେ ୨ବର୍ଷ ତଳେ ଝିଅ ବାହାଘର କରିଥିଲେ। କିନ୍ତୁ ଋଣ ପରିଶୋଧ ହେବା ବଦଳରେ ବଢି ଚାଲିଥିଲା ଋଣଭାର। ସୁଧ ପରିମାଣର ଏପରି ବଢିଯାଇଥିଲା ଯେ, ଋଣ ପରିଶୋଧ ପାଇଁ ପରିସ୍ଥିତି ବାଧକ ସାଜିଥିଲା। ଶେଷରେ ଋଣ ଚାପରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ନଟବର ରଥ (୫୦)। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ସଦର ବ୍ଲକ୍‌ ବୋଧପୁର ଗ୍ରାମରେ ।

ସୂଚନା ଅନୁସାରେ ଦଳିତ ତଥା ଗରିବ ଶ୍ରେଣୀର ନଟବର ମୂଲ ଲାଗି ଭାଗ ଜମିରେ ପରିବା ଚାଷ କରିଥିଲେ। ତେବେ ଧାର ଦେବା ବାଲା ତାଗିଦ କରିବାରୁ କୌଣସି ଉପାୟ ନ ପାଇ ନିଜ ପତ୍ନୀ ଚନ୍ଦନାଙ୍କ ମାଧ୍ୟମରେ ୪ଟି ଗ୍ରୁପ୍‌ରୁ ୬୮ ହଜାର ଟଙ୍କା ଋଣ ଆଣିଥିଲେ। କିସ୍ତି ବାବଦରେ ମାସକୁ ୪ ହଜାରରୁ ଅଧିକ ଟଙ୍କା ଶୁଝିବାକୁ ପଡ଼ୁଥିଲା ନଟବରଙ୍କୁ। ଯାହାକି ତାଙ୍କ ପକ୍ଷେ ସମ୍ଭବ ନଥିଲା। ପରିବା ଚାଷରୁ ପର୍ଯ୍ୟାପ୍ତ ଆୟ ହେଉ ନଥିବା ବେଳେ ସବୁଦିନ ମୂଲ ମଜୁରି ବି ମିଳୁନଥିଲା। ଯଦିଓ ଆରମ୍ଭରେ ନଟବର ଚାଷର ଆୟ ସହ ସେହି ଋଣ ଟଙ୍କାରୁ କିଛି ମିଶାଇ କିସ୍ତି ପ୍ରଦାନ କରିଥିଲେ। ତେବେ ତାହା ସବୁଦିନ ସମ୍ଭବ ହୋଇନଥିଲା। ଗୋଟିଏ ପଟେ ଅର୍ଥାଭାବ ଅନ୍ୟ ପଟେ ଗ୍ରୁପ୍‌ ଲୋନ କିସ୍ତି ଖିଲାପ କଲେ ଗ୍ରୁପ୍‌ ବାଲାଙ୍କ ସାହୁକାରଙ୍କ ପରି ତାଗିଦ୍‌ ନଟବରଙ୍କୁ ବ୍ୟସ୍ତବିବ୍ରତ କରିପକାଇଥିଲା। ଯାହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ଏଭଳି ସ୍ଥିତିରେ ନଟବର ୩/୪ଦିନ ହେବ ମାନସିକ ଚାପରେ ଥିଲେ।

ଶେଷରେ ଗତକାଲି ସେ ବିଷ ପିଇଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ମେଡିସିନ ଓ୍ଵାର୍ଡରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଋଣ ଦେଇ ଥିବା ସଂସ୍ଥା ପକ୍ଷରୁ ନଟବରଙ୍କ ପରିବାରକୁ ଆଉ ଋଣ ଶୁଝିବାକୁ ପଡ଼ିବ ନାହିଁ ବୋଲି ପ୍ରଚାର କରାଯିବା ଘଟଣାକୁ ନେଇ ସାଧାରଣରେ କୌତୂହଳ ପ୍ରକାଶ ପାଇଛି। ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନକାରୀ ସଂସ୍ଥାର କାର୍ଯ୍ୟକଳାପ ଉପରେ ପ୍ରଶାସନ କଡ଼ା ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe