New Indian Express
ପୁରୀ : ଫନି ଉଜାଡ଼ି ଦେଲା ଫସଲ। ଉଜୁଡ଼ା ଫସଲ ଦେଖି ଭାଙ୍ଗି ପଡ଼ିଲେ ଯୁବ ଭାଗଚାଷୀ ବିଶ୍ବନାଥ। ଋଣ ପରିଶୋଧ ଚିନ୍ତାରେ ବିଚଳିତ ହୋଇ ଶେଷରେ ବିଷ ପିଇ ଦେଲେ। ୧୨ ଦିନର ସଂଘର୍ଷ ପରେ ଆଜି ଆଖି ବୁଜିଛନ୍ତି ୩୦ ବର୍ଷର ବିଶ୍ବନାଥ।
ପୁରୀ ଜିଲ୍ଲା କଣାସ ବ୍ଲକ ତ୍ରିଲୋଚନାପୁର ଗାଁର ସର୍ବେଶ୍ବର ଦଳେଇଙ୍କ ପୁଅ ବିଶ୍ବନାଥ। ନିଜର ଜମି ନଥିବାରୁ ଭାଗ ଆଣି ସାଢ଼େ ୪ ଏକର ଜମିରେ ଚାଷ କରିଥିଲେ। ହାତଉଧାରି କରି ଚାଷରେ ଲଗାଇଥିଲେ ଟଙ୍କା। ଆଶା ଥିଲା ଅମଳ ପରେ ଋଣ ଶୁଝିଦେବେ ଏବଂ ଆଉ ଯାହା ବଳିବ ବର୍ଷକର ଆୟ ଚିନ୍ତା ଯିବ। ମାତ୍ର ମେ ୩ ତାରିଖରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟାରେ ହଜାର ହଜାର ଏକର ଜମିରୁ ଫସଲ ଉଜାଡ଼ି ଦେଲା। ୭ ତାରିଖରେ ଧାନ ବିଲକୁ ଗଲେ। ହେଲେ ବିଲରେ ଫସଲ ବୋଲି କିଛି ନଥିଲା। ଅମଳକ୍ଷମ ଧାନ ଶୋଇଥିଲା ତଳେ। ଆଖି ଆଗରେ ଉଜୁଡ଼ା ଫସଲ ଦେଖି ପାଗଳ ପ୍ରାୟ ହୋଇଗଲେ ବିଶ୍ବନାଥ। ଘରକୁ ଫେରିଲେ, ହେଲେ ଘାରିଲା ମହାଜନଙ୍କ ଚିନ୍ତା। ଫସଲ ଉଜୁଡ଼ିଗଲା, ଋଣ କେମିତି ଶୁଝିବେ ଏବଂ ବର୍ଷ ସାରା ଚଳିବେ କେମିତି? ଏହି ଚିନ୍ତାରେ ୮ ତାରିଖରେ ବିଷ ପିଇ ଦେଇଥିଲେ। ଜଣାପଡ଼ିବା ପରେ ସାହିଭାଇ ଚାନ୍ଦାଭେଦା କରି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଆଜି ଶେଷନିଶ୍ବାସ ତ୍ୟାଗ କରିଛନ୍ତି ବିଶ୍ବନାଥ। ବିଲରେ ଉଜୁଡ଼ା ଫସଲ ମୋ ପୁଅର ଜୀବନ ନେଇଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି ତାଙ୍କ ବାପା ସର୍ବେଶ୍ବର।
Follow Us