ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ନିଅଣ୍ଟିଆ ବର୍ଷା

Advertisment
ଭଲ ବର୍ଷା ପାଇଁ ୭% ଅଧିକ ଜମିରେ ଚାଷ

Pinterest

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ଛୁଇଁଥିଲା। ଏଣୁ ଏଥର ଭଲ ଫସଲ ହେବ ବୋଲି ଚାଷୀ ଚାହିଁ ବସିଥିଲା। ହେଲେ ମୌସୁମୀ ୭/୮ ଦିନ ବର୍ଷି ଦୁର୍ବଳ ହୋଇଗଲା। ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେଲା କିନ୍ତୁ ଉପକୂଳରେ ଜୁନ୍‌ରେ ଅଭାବୀ ବର୍ଷା ଦେଖାଦେଲା। ଏହି ଧାରା ଜୁଲାଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶେଷକରି ଉପକୂଳ ଜିଲ୍ଲାରୁ ତଳି ପୋଡ଼ିଯିବା ଓ ଗଜା ମରୁଡ଼ିର ଖବର ଆସିଲାଣି। ଆଗାମୀ ଦିନରେ ଏଭଳି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଫଳରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଏହାର ସଂଲଗ୍ନ କିଛି ଜିଲ୍ଲାରେ ଫସଲ କମିଯିବାର ଆଶଙ୍କା ସୃଷ୍ଟି ହୋଇଛି।

କୃଷି ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି ପୂର୍ବତନ କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ଖରିଫ୍‌ ଫସଲ ଋତୁ କହିଲେ ୩ଟି ପର୍ଯ୍ୟାୟ ଦେଇ ଗତି କରେ। ଜୁନ୍‌ ୧ରୁ ଜୁଲାଇ ୧୫ ହେଉଛି ପ୍ରଥମ ପ୍ରର୍ଯ୍ୟାୟ, ଜୁଲାଇ ୧୬ରୁ ଅଗଷ୍ଟ ୩୧ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଓ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ହେଉଛି ଅନ୍ତିମ ପ୍ରର୍ଯ୍ୟ‌ାୟ। ପ୍ରା‌ଥ‌ମିକ ପର୍ଯ୍ୟାୟରେ ତଳି ପକା ଓ ବୁଣାବୁଣି କାର୍ଯ୍ୟ ହୋଇଥାଏ। କେତେକ ସ୍ଥାନରେ ତଳି ରୁଆ ଓ ବେଉଷଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଥାଏ। ଦ୍ବିତୀୟ ପର୍ଯ୍ୟାୟରେ ରୁଆ ଓ ‌ବେଉସା କାମ ଜୋରଦାର ଚାଲିଥାଏ। ଏହା ସହ ମୁଗ, ବିରି ଆଦି ଡାଲିଜାତୀୟ ଫସଲର ବୁଣା କାର୍ଯ୍ୟ ଢିପ ଜମି‌ରେ ହୋଇଥାଏ। ଅନ୍ତିମ ପର୍ଯ୍ୟାୟରେ ଫସଲ ଫୁଲ ଧରିଥାଏ ଓ ଫସଲ ପାଚିଥାଏ।

publive-image

ଚଳିତ ବର୍ଷ ଖରା ଦିନେ ଅଦିନିଆ ବର୍ଷା ଅଧିକ ହୋଇଥିଲା ଓ ମାଟି ଓଦା ରହିଥିଲା। ପୁଣି ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲା। ତେଣୁ ଚାଷୀମାନେ ବୁଣା ଓ ତଳି ପକା କାମ କରିଦେଲେ। ଉପକୂଳ ଓଡ଼ିଶାରେ ବର୍ଷା କମ୍‌ ଥିଲେ ମଧ୍ୟ ତଳି ଘେରା ପକାଇବା ପାଇଁ ବର୍ଷା ଯଥେଷ୍ଟ ଥିବାରୁ ଜୁନ୍‌ ୨୦ ସୁଦ୍ଧା ଅଧିକାଂଶ ତଳି ପକା କାମ ସରି ଯାଇଥିଲା। କିନ୍ତୁ ଜୁନ୍‌ର ଶେଷ ସପ୍ତାହଠାରୁ ଏ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଉପକୂଳ ଜିଲ୍ଲାରେ ନିଅଣ୍ଟିଆ ରହିଛି। ଅନୁମାନ କରାଯାଉଛି ଯେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହି ନିଅଣ୍ଟିଆ ବର୍ଷା ଲାଗି ରହିବ। ଜୁଲାଇ ଦ୍ବିତୀୟ ସପ୍ତାହରେ ବର୍ଷା କିଛି ଅଧିକ ହେଲେ ମଧ୍ୟ ତାହା ସ୍ବାଭାବିକଠାରୁ କମ୍‌ ରହିବ ବୋଲି ଆକଳନ କରାଯାଉଛି। ଏଭଳି ପରିସ୍ଥିତିରେ କେତେକ ସ୍ଥାନରେ ତଳି ପୋଡ଼ିଯିବା ଓ ଗଜା ମରୁଡ଼ିର ସୂଚନା ମିଳୁଛି। ଆଗାମୀ ଦିନରେ ଏଭଳି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଆଜିକାଲିର ଅଧିକ ଅମଳକ୍ଷମ ଧାନ କିସମ ତଳିର ୨ ସପ୍ତାହ ପରେ ରୋଇଲେ ଅମଳ ଭଲ ହୋଇଥାଏ। ୩ ସପ୍ତାହରୁ ଅଧିକ ବୟସ୍କ ତଳି ରୋଇଲେ ପିଲ ସଂଖ୍ୟା କମିଯିବା ଯୋଗୁଁ ଫସଲ କମିଯିବାର ଆଶଙ୍କା ଥାଏ। ଚଳିତ ବର୍ଷ ଉପକୂଳ ଜିଲ୍ଲା ସହ ସଂଲଗ୍ନ ଆଉ କିଛି ଜିଲ୍ଲାରେ ଏହି ପରିସ୍ଥିତି ଉପୁଜିବାକୁ ଯାଉଛି।

ତେଣୁ ବତ୍ତର୍ମାନ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି ଯେ ଯେ କୌଣସି ପ୍ରକାରେ ଜଳସେଚନ କରି ତଳିକୁ ବଞ୍ଚାଇ ରଖନ୍ତୁ। ଯେପରି କମ୍‌ ପାଣି ଉଠିଲେ ମଧ୍ୟ ଅଧିକ ବର୍ଷାକୁ ଅପେକ୍ଷା ନ କରି ରୋଇ ପାରିବେ। ସେହିପରି ରୋଇଲା ବେଳେ ଅନୁମୋଦିତ ପୋଟାସ ଓ ଫସ୍‌ଫରସ୍‌ ସାର ପ୍ରୟୋଗ କଲେ ପାଣିର ଅସୁବିଧାଜନିତ କ୍ଷତି କମ୍‌ ହୋଇଥାଏ। ଯେଉଁଠାରେ ତଳି ପକାଯାଇନାହିଁ, ବା ତଳି ନଷ୍ଟ ହୋଇଯିବ, ସେଠି ଦୀର୍ଘ ଅବଧି ୧୪୫ଦିନିଆ ଧାନ କିସମ ନ କରି ୧୨୦ ଦିନିଆ ମଧ୍ୟମ ଅବଧି ଧାନ କିସମ ଚୟନ କରନ୍ତୁ। ଯେହେତୁ ବର୍ତ୍ତମାନ ସମୟ ଗଡ଼ି ନାହିଁ କିସମ ପରିବର୍ତ୍ତନ କଲେ ଆମେ କ୍ଷତିଭରଣା କରିପାରିବା।

ଯେଉଁଠାରେ ସିଧା ବୁଣା ଧାନ କରାଯାଇଛି, ସେଠି ୨୦ଦିନ ପରେ ଘାସ ବାଛି ଦିଅନ୍ତୁ। ପାଣି କମ୍‌ ଥିଲେ ମଧ୍ୟ ‌ବେଉଷଣ କରିଦିଅନ୍ତୁ ଏବଂ ବେଉଷଣ ବେଳେ ଫସ୍‌ଫରସ୍‌ ଓ ପୋଟାସିୟମ୍‌ ସାର ପକାଇବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe